ଭୁବନେଶ୍ୱର: ୭୯ ବର୍ଷ ବୟସରେ ସେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ ଏବଂ ଦୁର୍ଭାଗ୍ୟବଶତଃ ତାଙ୍କ ମେରୁଦଣ୍ଡ ହାଡ଼ ଭାଙ୍ଗି ଯାଇଥିଲା । ସେହିଦିନ ଠାରୁ ସେ ନଇଁ ନଇଁ ଚାଲୁଛନ୍ତି । ସେ ଆଉ କେହି ନୁହନ୍ତି, ପରିଣତ ବୟସରେ ପାଦ ଥାପିଥିବା ଜଣାଶୁଣା ଇମ୍ଫା କମ୍ପାନୀର ଅବସରପ୍ରାପ୍ତ ପି. ଆର. ଓ ଶ୍ରୀ ପ୍ରେମାନନ୍ଦ ନାୟକ । ତାଙ୍କର ଅସହାୟତା ସମ୍ପର୍କରେ ଅବଗତ ହେଲା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତାଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଥିଲା ।
ସୂଚନାନୁସାରେ, ଭୁବନେଶ୍ୱରସ୍ଥିତ ଝାରପଡ଼ା ଅଞ୍ଚଳର ବାସିନ୍ଦା ୭୯ ବର୍ଷିୟ ପ୍ରେମାନନ୍ଦ ନାୟକ ଇମ୍ଫା କମ୍ପାନୀରେ କିଛି ବର୍ଷ ପୂର୍ବେ ପି.ଆର.ଓ ଭାବେ କାମ କରୁଥିଲେ । ଗତ ୨୦୦୧ ମସିହାରେ ସେ ଚାକିରିରୁ ଅବସର ନେଇଥିଲେ । ସେ ଦିନେ ବଜାରରୁ ଘରକୁ ଫେରୁଥିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମେରୁଦଣ୍ଡ ହାଡ଼ ଭାଙ୍ଗି ଯାଇଥିଲା । ସେହିଦିନ ଠାରୁ ସେ ନଇଁ ନଇଁ ଚାଲୁଛନ୍ତି । ତାଙ୍କର କହିବାନୁସାରେ, ସେ ଦୈନିକ ୧୩ ରୁ ୧୪ଟି ଖବରକାଗଜ ପଢନ୍ତି ଓ ସେ ଖବରକାଗଜମାନଙ୍କରୁ ହିଁ ଓଡ଼ିଶା ମୋ ପରିବାରର ସମାଜସେବା କାର୍ଯ୍ୟକ୍ରମ ବିଷୟରେ ଜାଣିବାକୁ ପାଇଥିଲେ । ସେ ଓଡ଼ିଶା ମୋ ପରିବାରର ସମସ୍ତ କର୍ମକର୍ତ୍ତାଙ୍କ ବିଷୟରେ ସୂଚନା ରଖିଛନ୍ତି । ଗତ ମେ’ ୨୦ ତାରିଖରେ ସେ ଓଡ଼ିଶା ମୋ ପରିବାର କାର୍ଯ୍ୟାଳୟକୁ ଆସି ତାଙ୍କ ମେରୁଦଣ୍ଡରେ ଭୋଗୁଥିବା ଯନ୍ତ୍ରଣା ବିଷୟରେ କହିଥିଲେ ଏବଂ ତାଙ୍କୁ ଡାକ୍ତରଙ୍କ ପରାମର୍ଶ ନେବାରେ ସାହାଯ୍ୟ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ଏ ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ହେଲ୍ପଡ଼େସ୍କ ସହଯୋଗୀ ରଶ୍ମୀ ରଞ୍ଜନଙ୍କ ମାଧ୍ୟମରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ଦେଖିବା ପରେ, ସେ ପ୍ରାପ୍ତ ବୟସରେ ପହଞ୍ଚିଥିବାରୁ ଅପରେସନ ନ କରିବାକୁ ପରାମର୍ଶ ଦେଇଥିଲେ । ଅପରେସନ କଲେ ତାଙ୍କ ଜୀବନ ଉପରେ ବିପଦ ଆସିପାରେ ବୋଲି ଡାକ୍ତର କହିଥିଲେ । ଏହାପରେ ତାଙ୍କୁ କିଛି ମେଡ଼ିସିନ ଖାଇବା ସହ ଅଣ୍ଟାରେ ଏକ ବେଲ୍ଟ ବାନ୍ଧିବାକୁ ପରାମର୍ଶ ଦେଇଥିଲେ ଓ ପ୍ରତିଦିନ ବ୍ୟାୟାମ କରିବାକୁ କହିଥିଲେ । ଓଡ଼ିଶା ମୋ ପରିବାର ପକ୍ଷରୁ ତାଙ୍କୁ ହସ୍ପିଟାଲରେ ସମସ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଥିଲା ଏବଂ ତାଙ୍କ ଅଣ୍ଟାର ମାପ ନିଆଯାଇ ଏକ ବେଲ୍ଟ ପ୍ରଦାନ କରାଯାଇଥିଲା । ନିଜ ପରିବାର ସଦସ୍ୟମାନଙ୍କ ଭଳି ତାଙ୍କୁ ସାହାଯ୍ୟ ଯୋଗାଇ ଦେଇଥିବାରୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଦେଇଥିଲେ ।