ପୌରାଂଚଳରେ ୨୪ ଘଂଟିଆ ୟୁନିଫାଏଡେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବ
ଭୁବନେଶ୍ୱର,:ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନଗର ଉନ୍ନୟନ ବିଭାଗ ଓ ପଚାଂୟତିରାଜ ବିଭାଗ ଆବଶ୍ୟକୀୟ ପ୍ରସ୍ତୁତ ରହିବାକୁ ପଚାଂୟତିରାଜ,ପାନୀୟଜଳ,ଆଇନ, ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ଆଜି ଦୁଇ ବିଭାଗର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ରାଜ୍ୟର ୨୦୯ଟି ବ୍ଲକ୍ ଏବଂ ୭୭ ଟି ପୌରାଚଂଳ ପ୍ରଭାବିତ ହେବାର ଆଶଙ୍କା ଥିବା ପ୍ରକାଶ । ସମସ୍ତ ପୌରାଚଂଳରେ ଖାଲୁଆ ଅଂଚଳରୁ ବର୍ଷାପାଣି ନିଷ୍କାସନ ପାଇଁ ପ୍ରାୟ ୫୦୦ ଟି ଜେନ୍ସେଟ୍ ଓ ଡିଜି ସେଟ୍ ଅନ ହୁଇଲ ବାବସ୍ଥା କରାଯାଇଛି । ଆବଶ୍ୟକ ସ୍ଥଳେ ଅଧି୍କ ଜେନେରେଟର ବ୍ୟବସ୍ଥା କରିବାକୁ କୁହାଯାଇଛି । ଜେନେରେଟର ଓ ପାଣି ପମ୍ଫ ଆଗୁଆ ନିର୍ଦ୍ଧାରିତ ସ୍ଥାନମାନଙ୍କରେ ରଖି ଆବଶ୍ୟକ ବେଳେ ତୁରନ୍ତ କାମରେ ଲାଗିପାରିବ ।
ସେହିପରି ବାତ୍ୟା ଆଶ୍ରୟ ସ୍ଥଳିମାନଙ୍କରେ ଯେପରି ପିଇବା ପାଣିର କୌଣସି ପ୍ରକାର ଅସୁବିଧା ନହୁଏ , ସେଥି ପ୍ରତି ସତର୍କ ରହିବାକୁ କୁହାଯାଇଛି । ଏଥି ପାଇଁ ଆବଶ୍ୟ ସଂଖ୍ୟକ ସିନ୍ଟେକ୍ସ ଟାଙ୍କି ବାବସ୍ଥା କରି ପିଇବା ପାଣି ମହଜୁତ ରଖାଯିବ । ସହରାଚଂଳମାନଙ୍କରେ ଜିଲ୍ଲାପାଳ ମାନଙ୍କ ପରାମର୍ଶ କ୍ରମେ ଖାଦ୍ୟ ବ୍ୟବସ୍ଥା କରାଯିବ ।
ପୌରାଚଂଳମାନଙ୍କରେ ୨୪ ଘଂଟିଆ ୟୁନିଫାଏଡ୍ ନିୟନ୍ତ୍ରଣ କକ୍ଷଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସହରଚଂଳର ଯେଉଁଠି ଜଳବନ୍ଦି ସମସ୍ୟା ରହିବ ସେହି ସବୁ ସ୍ଥାନଗୁଡିକୁ ଚିହ୍ନଟ କରି ବ୍ୟବସ୍ଥା ଗ୍ରହଣ ସହିତ ଆବଶ୍ୟକ ହେଲେ ପାୟାରବ୍ରିଗେଡ୍ ସାହାଯ୍ୟ ନେବାକୁ ପରାମର୍ଶ ଦିଆଯାଇଛି ।
ସେହିପରି ପ୍ରଭାବିତ ହେବାକୁ ଆଶଙ୍କା ଥିବା ୨୦୯ ଟି ବ୍ଲକ୍ ଅଂଚଳରେ ମଧ୍ୟ ଅନୁରୂପ ବ୍ୟବସ୍ଥା ମାନ ଗ୍ରହଣ କରାିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ଯୋଗୁ କୌଣସି ଯାଗାରେ ଯଦି ରାସ୍ତା ଆବରୋଧ ହୁଏ ତାକୁ ତୁରନ୍ତ ସଫା କରାଯିବ । ବର୍ଷାଜଳ ପରିମାଣ ମାପିବା ବା ରେନ୍ଗଜ୍ ଗୁଡିକୁ କାର୍ଯ୍ୟକ୍ଷମ ରଖିବାକୁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି । ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳିରେ ଲୋକଙ୍କ ରହିବା ପାଇଁ ଆବସ୍ୟକ ସୁବିଧା ସୁଯୋଗ ବ୍ୟବସ୍ଥା କରିବାକୁ , ପାନୀୟ ଜଳ ବ୍ୟବସ୍ଥା କରିବାକୁ ଓ ବର୍ଷା ପରବର୍ତି ସମୟରେ ନଳକୂପ ଓ ଅନ୍ୟାନ୍ୟ ପାନୀୟ ଜଳ ଉତ୍ସଗୁଡିକୁ ଯୁଦ୍ଧକାଳୀନ ଭିତିରେ ବିଶୋଧନ କରିବା , ତଳିଆ ଅଂଚଳମାନଙ୍କରୁ ଲୋକମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳିକୁ ସ୍ଥାନାନ୍ତର କରିବା ଓ ସେମାନଙ୍କ ନିମନ୍ତେ ଖାଦ୍ୟ ପେୟ ବ୍ୟବସ୍ଥା କରାଯିବ । ବାତ୍ୟାପାଇଁ ଏହି ସବୁ ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ସମସ୍ତ ଜିଲ୍ଲାପାଳ , ପୌରନିର୍ବାହୀ ଅଧିକାରୀ ଏବଂ ପଚାଂୟତିରାଜ ବିଭାଗ ତରଫରୁ ସମସ୍ତ ଜିଲ୍ଲାପାଳ , ପିଡି,ଡିଆର୍ଡିଏ ଓ ଗୋଷ୍ଠୀଉନ୍ନୟନ ଅଧିକାରୀମାନଙ୍କୁ ନିର୍ଦ୍ଦେଶନାମା ପଠାଯାଇଛି । ତେବ ବିଭାଗ ତରଫରୁ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦଶ ଦେଇଛନ୍ତି ।
ଲୋକସେବା ଭବନସ୍ଥିତ ମନ୍ତ୍ରୀ ଶ୍ରୀ ଜେନାଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଉକ୍ତ ବୈଠକରେ ପୌରପ୍ରଶାସକ ସଂଗ୍ରାମଜିତ୍ ନାୟକ , ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ , ପଚାଂୟତିରାଜ ନିର୍ଦ୍ଦେଶକ ଗଣେଶ ଚନ୍ଦ୍ର ପାତ୍ର , ୱାଟ୍କୋ ସିଇଓ ପି.ସି.ସ୍ୱାଇଁ , ଇ.ଆଇ.ସି ଜନସ୍ୱାସ୍ଥ୍ୟ ରବିନ୍ଦ୍ର ନାଥ ନାୟକ , ନଗରଉନ୍ନୟନ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଭାତ ମହାପାତ୍ର ଓ ଉପଶାସନ ସଚିବ ସନ୍ତୋଷ କୁମାର ଦାଶଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।