-
କାର୍ଯ୍ୟ କରିବ 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷଦୁର୍ବଳ ନଦୀବନ୍ଧ ଉପରେ ରହିବ ନଜର ।
-
କ୍ଷେତ୍ରସ୍ତରରେ କାର୍ଯ୍ୟରତ ଯନ୍ତ୍ରୀଙ୍କ ଛୁଟି ବାତିଲ କରିବାକୁ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ।
ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଂଚଳରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ‘ଆସାନି’ ଫଳରେ ରାଜ୍ୟର ଉପକୂଳ ଅଂଚଳରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ଜଳସଂପଦ ବିଭାଗ ତରଫରୁ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ଣରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ , ଜଳ ସଂପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସମେତ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।
ବୈଠକରେ ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦାୟିତ୍ୱ ସଂପନ୍ନନିର୍ବାହୀ ଯନ୍ତ୍ରୀଙ୍କ ଦ୍ୱାରା ଏହା ପରିଚାଳିତ ହେବ । ସମ୍ଭାବ୍ୟ ବାତ୍ୟା ପାଇଁ ସବୁ ପ୍ରକାର ପ୍ରସ୍ତୁତିରେ ରହିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ବଳ ଥିବାନଦୀ ଓ କେନାଲ ବନ୍ଧଗୁଡିକ ପ୍ରତି ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି । ସମ୍ଭାବ୍ୟ ବାତ୍ୟା ପରିସ୍ଥିତିରେ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନେ ଜିଲ୍ଲାପ୍ରଶାସନ ସହିତ ସମନ୍ୱୟ ରଖି ଆବଶ୍ୟକ ଆନୁଷଙ୍ଗିକ ସହାୟତା ଯୋଗାଇଦେବେ । ବାତ୍ୟା ଯୋଗୁଁ ବନ୍ୟା ବା ଅତ୍ୟଧିକ ବର୍ଷାଫଳରେ ଡ୍ରେନେଜ ସମସ୍ୟା ଉପୁଜିଲେ ତାହାକୁ ତୁରନ୍ତ ପରିସ୍କାର ପାଇଁ ଆବଶ୍ୟକ ଯନ୍ତ୍ରପାତି ସହ ପଦକ୍ଷେପ ନେବାକୁ କୁହାଯାଇଛି । ଜଳଭଣ୍ଡାରଗୁଡିକର ସ୍ଥିତି ଅନୁଧ୍ୟାନ କରି ନିୟନ୍ତ୍ରଣ କକ୍ଷକୁ ନିୟମିତ ସୂଚନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।କ୍ଷେତ୍ରସ୍ତରରେ କାର୍ଯ୍ୟକରୁଥିବା ଯନ୍ତ୍ରୀମାନଙ୍କର ଛୁଟି ବାତିଲ କରାଯାଇଛି । ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବିନା ଅନୁମତିରେ ଛୁଟି ମଂଜୁର ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବୈଠକରେ ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ସଚିବ (ତଦାରଖ) ଚନ୍ଦ୍ରଶେଖର ପାଢୀ, ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର, ସର୍ବୋଚ୍ଚ ଯନ୍ତ୍ରୀ( ଯୋଜନା ଓ ନକ୍ସାଙ୍କନ) ଅସୀମ ମହାପାତ୍ର, ଅତିରିକ୍ତ ଶାସନ ସଚିବ ସୁବ୍ରତ କୁମାର ପଣ୍ଡା, ମୁଖ୍ୟ ଯନ୍ତ୍ରୀ , ବେସିନ୍ ମ୍ୟାନେଜର-ମହାନଦୀ କାଠଯୋଡି ସିଷ୍ଟମ ଭକ୍ତରଂଜନ ମହାନ୍ତି, ମୁଖ୍ୟଯନ୍ତ୍ରୀ ଡ୍ରେନେଜ୍ ବାଲେଶ୍ୱର ନାଥ ସାହୁ, ମୁଖ୍ୟଯନ୍ତ୍ରୀ ଏଚ୍.ଏଚ୍ .ଜି.ଆଇ.ସ୍ ଓ ଅନ୍ୟ ବରିଷ୍ଠ ଯନ୍ତ୍ରୀ ଓ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।