ପରିବେଶ ପ୍ରଦୂଷଣ ରୋକିବା ପାଇଁ ମିଳିତ ସହଯୋଗ ଆବଶ୍ୟକ: ବାଚସ୍ପତି ଡଃ ପାତ୍ର
ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡ଼ିଶାର ପରିବେଶ ପ୍ରଦୂଷଣ ପ୍ରତିଷେଧ ଓ ନିୟନ୍ତ୍ରଣ ସଂପର୍କିତ ଅନୁଧ୍ୟାନ ପାଇଁ ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ପ୍ରଥମ ଗୃହ କମିଟି ବୈଠକ ବିଧାନସଭାର ୫୪ ନଂ ପ୍ରକୋଷ୍ଠରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି ।
ବାଚସ୍ପତି ଡଃ. ପାତ୍ର କମିଟିର ଭବିଷ୍ୟତ ଯୋଜନା ଓ କାର୍ଯ୍ୟପନ୍ଥା ସଂପର୍କରେ ଆଲୋକପାତ କରିବା ସହିତ ପରିବେଶ ପ୍ରଦୂଷଣ ରୋକିବା ପାଇଁ ମିଳିତ ସହଯୋଗ ଆବଶ୍ୟକ ବୋଲି ପ୍ରକାଶ କରିଛନ୍ତି । କମିଟିର ସଦସ୍ୟମାନେ ପରିବେଶ ପ୍ରଦୂଷଣ ପ୍ରତିଷେଧ ଓ ନିୟନ୍ତ୍ରଣ, ବର୍ଜ୍ୟବସ୍ତୁ ପରିଚାଳନା, ଶିଳ୍ପସଂସ୍ଥା ଦ୍ୱାରା ବିଭିନ୍ନ ଜଳାଶୟକୁ ଛଡ଼ାଯାଉଥିବା ପ୍ରଦୂଷିତ ଜଳ, ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ବିଶୁଦ୍ଧିକରଣ ଉପରେ ଆଲୋଚନା କରିଥିଲେ । ଚଳିତବର୍ଷ ନୂତନ ସବ୍କମିଟି ଗଠନ କରି କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ବାଚସ୍ପତି ଡଃ ପାତ୍ରଙ୍କୁ ଅନୁରୋଧ କରିଥିଲେ । କମିଟିମାନେ କୌଣସି ଜିଳ୍ଲାକୁ ଗସ୍ତ କରିବା ପୂର୍ବରୁ ସ୍ଥାନୀୟ ବିଧାୟକମାନଙ୍କୁ ଅବଗତ କରିବା ପରମ୍ପରାକୁ ଅବ୍ୟାହତ ରଖିବାକୁ ବାଚସ୍ପତି ଡଃ ପାତ୍ର ପରାମର୍ଶ ଦେଇଛନ୍ତି । ନୂତନ ସବ୍କମିଟି ଗଠନ ହେଲା ପରେ ସଦସ୍ୟମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ପରିବେଶ ପ୍ରଦୂଷଣ ସମ୍ପର୍କିତ ରିପୋର୍ଟ ମୁଖ୍ୟ କମିଟିକୁ ବିଚାର ନିମନ୍ତେ ପ୍ରଦାନ କରିବେ ବୋଲି ବାଚସ୍ପତି ଡଃ ପାତ୍ର ପ୍ରକାଶ କରିଛନ୍ତି । ପରିବେଶ ପ୍ରଦୂଷଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହିତ ପରିବେଶ ପ୍ରଦୂଷଣକାରୀଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ହିଁ ପରିବେଶ ପ୍ରଦୂଷଣ ଉପରେ ରୋକ ଲଗାଯାଇପାରିବ ବୋଲି ବରିଷ୍ଠ ବିଧାୟକ ଶ୍ରୀ ଅମର ଶତପଥି ପ୍ରକାଶ କରିଛନ୍ତି । ଜିଲ୍ଲା ଅନୁଯାୟୀ କମିଟି ଗଠନ କରାଗଲେ ଭଲ ହୁଅନ୍ତା ବୋଲି ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ ପ୍ରକାଶ କରିଛନ୍ତି । ଗୃହ ନିର୍ମାଣ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ବରିଷ୍ଠ ବିଧାୟକ ଶ୍ରୀ ନରସିଂହ ମିଶ୍ର, ଶ୍ରୀ ବଦି୍ର ନାରାୟଣ ପାତ୍ର, ଶ୍ରୀ ପ୍ରଶାନ୍ତ ମୁଦୁଲି, ଶ୍ରୀ ସୁଶାନ୍ତ ବେହେରା, ଶ୍ରୀ ପ୍ରଣବ ବଳବନ୍ତରାୟ, ଡଃ ସି.ଏସ୍. ରାଜେନ ଏକ୍କା , ଶ୍ରୀ ସୁବାସ ଚନ୍ଦ୍ର ବେହେରା, ଶ୍ରୀମତୀ ମିନାକ୍ଷୀ ମହନ୍ତ, ଶ୍ରୀ ପ୍ରକାଶ ସୋରେନ୍, ଶ୍ରୀ ସରୋଜ କୁମାର ମେହେର, ଶ୍ରୀ ଦାଶରଥି ଗମାଙ୍ଗୋ, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ମୋନା ଶର୍ମା , ବିଧାନସଭା ସଚିବ ଶ୍ରୀ ଦାଶରଥି ଶତପଥି, ନିର୍ଦ୍ଦେଶକ ପରିବେଶ ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁଶାନ୍ତ ନନ୍ଦ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ଯନ୍ତ୍ରୀ(ପରିବେଶ) ଶ୍ରୀ ସିତିକାନ୍ତ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।