ଭୁବନେଶ୍ୱର : ଆସନ୍ତା କାଲି ରାଜ୍ୟ ସରକାର ରାଜଧାନୀରେ ଉନବିଂଶ ଶତାଦ୍ଦୀର ମହାନ ବିପ୍ଳବୀ ,ଆଦିବାସୀ ନେତା ଧରଣୀଧର ଭୂୟାଁଙ୍କ ୧୫୮ ତମ ଜନ୍ମ ଜୟନ୍ତୀ ପାଳନ କରିବାକୁ ଯାଉଛନ୍ତି । ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଏ’ ଉତ୍ସବ ପାଳନ ହେବ । ନିଖିଳ ଉତ୍କଳ ଭୂୟାଁ ସମାଜ ଓ କେନ୍ଦୁଝର ବିକାଶ ପରିଷଦ , ଭୁବନେଶ୍ୱର ଏଥିପାଇଁ ସହଯୋଗର ହାତ ବଢାଇଛନ୍ତି । ସୂଚନା ଅନୁଯାଇ , ଜୟଦେବ ବିହାର ଅଞ୍ଚଳରେ ଥିବା ଧରଣୀଙ୍କ ପ୍ରତିମୂର୍ତ୍ତିରେ ସକାଳେ ପୁଷ୍ପ ମାଲ୍ୟ ଅର୍ପଣ କରାଯିବ ଓ ସନ୍ଧ୍ୟାବେଳେ ଜୟଦେବ ଭବନରେ ଏକ ସଭାର ଆୟୋଜନ ହେବ । ଏଥିରେ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀ ସାଙ୍ଗକୁ , କେନ୍ଦୁଝରର ନେତା, ମନ୍ତ୍ରୀ , ବିଧାୟକ ଯୋଗ ଦେବାର କାର୍ଯକ୍ରମ ରହିଛି ।
କେନ୍ଦୁଝର ବିକାଶ ପରିଷଦ , ଭୁବନେଶ୍ୱରର ପ୍ରତିଷ୍ଠାତା ସଦସ୍ୟ ଶ୍ରୀ ଡମ୍ବରୁଧର ଘଣା ଏଥିପାଇଁ ସରକାରଙ୍କ ବିଭାଗ, ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କୁ ଧନ୍ୟବାଦ ଦେବା ସାଙ୍ଗକୁ ଓ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତିଯେ କେନ୍ଦୁଝରର ନେତା , ବିଧାୟକ , ମନ୍ତ୍ରୀ ଏ’ ମହାନ ସମାଜ ସେବୀ ଏବଂ ଯୋଦ୍ଧା ଙ୍କ ପବିତ୍ର ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ଓ ଭାଷଣ ଛଳରେ ତାଙ୍କ ଆଦର୍ଶର ଅନୁପାଳନ କରିବାକୁ ଲୋକଙ୍କୁ କହିବାର ନୈତିକ ଅଧିକାର ହରାଇବସିଛନ୍ତି । ଯେଉଁ ନେତା ଜିଲ୍ଲାର ଆଦିବାସୀ ଇଲାକାର ମୌଳିକ ଆବଶ୍ୟକତା ଯଥା – ପିଇବା ପାଣି, ବାସଗୃହ , ସଡ଼କ , ଶିକ୍ଷା ଓ ସାମାନ୍ୟ ଔଷଧର ବ୍ୟବସ୍ଥା ପାଇଁ ସର୍ବନିମ୍ନ ପ୍ରଚେଷ୍ଠା କରୁନାହାନ୍ତି , ସେମାନେ କେଉଁ ଅଧିକାରରେ ଏହି ମହାନ ସଂଗ୍ରାମୀଙ୍କ ଆଦର୍ଶ ବଖାଣିବେ ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେ ଆହୁରି ଅଭିଯୋଗ ଆଣି କହିଛନ୍ତି , ଭୂୟାଁ ସମାଜ ବାସ କରୁଥିବା ସଦର ନିର୍ବାଚନ ମଣ୍ଡଳୀ ଓ ତେଲକୋଇ ନିର୍ବାଚନ ମଣ୍ଡଳୀର ବିଧାୟକ ମାନେ ଏ ସମାଜ ପ୍ରତି ବେଶ ଉଦାସୀନ । ସେମାନେ ନା କାହାରି ଭତ୍ତା ପାଇଁ ସୁପାରିଶ କରନ୍ତି , ନା ଗାଁଗୁଡିକର ବିକାଶ ପାଇଁ କୌଣସି ପଦକ୍ଷେପ ନିଅନ୍ତି । ଆଜିର ଦିନରେ ମଧ୍ୟ ଏ’ ସମାଜ ବେଶ ଅବହେଳିତ । କେବଳ ସେତିକି ନୁହେଁ , ସେ ଅଭିଯୋଗ ଆଣିଛନ୍ତି ଯେ , କେନ୍ଦୁଝରର ନେତାମାନେ ଧରଣୀଙ୍କ ସ୍ମ୍ରୁତି ପାଇଁ ସେପରି କିଛି ପଦକ୍ଷେପ ନେଇନାହାନ୍ତି । ୨୦୦୯ ମସିହାରେ ଡାକଟିକଟ ପ୍ରକାଶନ ପାଇଁ ଦିଆଯାଇଥିବା ପ୍ରସ୍ତାବ ଏବେବି ଶୀତଳ ଭଣ୍ଡାରରେ ପଡିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କରିଥିଲେ ମଧ୍ୟ , ଆଜି ପର୍ଯନ୍ତ ଭାରତ ସରକାରଙ୍କ ନିକଟରେ ଏ’ ପ୍ରସ୍ତାବ ପେଶ କରାଯାଇ ପାରିଲା ନ।ହିଁ। ରାଜଧାନୀରେ ଏକ ରାଜପଥ ବିପ୍ଳବୀଙ୍କ ନାମରେ ନାମିତ କରିବା ପାଇଁ ପ୍ରସ୍ତାବ ଦେବା କଥା କୌଣସି ନେତା ଭାବି ନାହାନ୍ତି । ସେହିପରି ଧରଣୀ ସଂଗ୍ରହାଳୟର ଅବସ୍ଥା । ୨୦୨୦ ମସିହାରେ କେନ୍ଦୁଝର ବିକାଶ ପରିଷଦ , ଭୁବନେଶ୍ୱର ବିପ୍ଳବୀ ଧରଣୀଙ୍କ ଜନ୍ମ ମାଟିରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା ସକାଶେ ମାନ୍ୟବର ସଂସ୍କୃତି ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲା । ମନ୍ତ୍ରୀଙ୍କ ସୁପାରିଶ ପରେ ଜିଲ୍ଲା ସଂସ୍କୃତି ଅଧିକାରୀ କୁସୁମିତା ପରିଦର୍ଶନ କରି ଏକ ବିସ୍ତୃତ ବିବରଣୀ ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକଙ୍କ ନିକଟରେ ଦାଖଲ କରିଥିଲେ । ବାରମ୍ବାର କହିଲେ ମଧ୍ୟ ଏ ପ୍ରସ୍ତାବ ଆଜି ପର୍ଯନ୍ତ ସରକାରଙ୍କ ନିକଟକୁ ଆସିପରିଲା ନ।ହିଁ ।
କେବଳ ଭାଷଣରେ ନିଜର କର୍ତ୍ତବ୍ୟକୁ ସୀମିତ ନ ରଖି , ଧରଣୀ ଯେପରି ଲୋକଙ୍କ ହକ ପାଇଁ ଲଢିଥିଲେ , ସେପରି କାମ କରିବାକୁ ସେ ଜିଲ୍ଲା ନେତାଙ୍କୁ ଆହ୍ୱାନ ଦେଇଛନ୍ତି ଓ ଉପରୋକ୍ତ ବକେୟା କାମ ଯେପରି ଶୀଘ୍ର ହେବ ସେଥି ସକାଶେ ଧ୍ୟାନ ଦେବାକୁ ସେ ନେତାଙ୍କୁ ପରାମର୍ଶ ଦେଇଛନ୍ତି । ନଚେତ , ଏପରି ସଭାରେ ଯୋଗ ଦେବା ଓ ଭାଷଣ ବାଜି କରିବା କେବଳ ହାସ୍ୟାସ୍ପଦ ହେବ ବୋଲି କହିଛନ୍ତି ।
ରାଜ୍ୟ
ଧରଣୀଙ୍କ ମୂର୍ତ୍ତିରେ ଫୁଲମାଳ , କିନ୍ତୁ ଧରଣୀ କୁଳକୁ ଛଳ !!!
- Hits: 695