ହେଡଲାଇନସ୍:

ଜଗତସିଂହପୁର ଜିଲ୍ଲାରେ ବିଶ୍ବ ପ୍ରାଣୀ ଚିକିତ୍ସା ଦିବସ-୨୦୨୨ ମହାସମାରୋହରେ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ; ଆମ ଜୀବନ ଓ ଜୀବିକା ସହିତ ପ୍ରାଣୀ ପାଳନ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । କୃଷି ସହିତ ପ୍ରାଣୀ ପାଳନ ପରସ୍ପର ପରିପୂରକ ଓ ନିର୍ଭରଶୀଳ । ଗୋଟିଏର ବ୍ୟତିରକେରେ ଅନ୍ୟଟିର ବିକାଶ ଅସମ୍ଭବ । କୃଷିବର୍ଯ୍ୟ ପଦାର୍ଥ ଖାଦ୍ୟରୂପେ ବ୍ୟବହାର କରି ପ୍ରାଣୀମାନେ ଆମକୁ ବିଭିନ୍ନ ପ୍ରାଣୀଜ ପୃଷ୍ଟିସାର ଯଥା- ଦୁଗ୍ଧ,ମାଂସ ଓ ଅଣ୍ଡା ପ୍ରଦାନ ସହ ସେମାନଙ୍କର ମଳ ଉତ୍କୃଷ୍ଟ ଜୈବିକ ଖତ ରୂପେ ବ୍ୟବହାର ହୁଏ । ବିଭିନ୍ନ ପ୍ରାଣୀ ପାଳନ କରି ଆଜିର ଯୁବପିଢୀ ମାନେ ରୋଜଗାରକ୍ଷମ ହେବା ସହିତ ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି । ଏହି ପ୍ରାଣୀ ମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା କ୍ଷେତ୍ରରେ ପ୍ରାଣୀଚିକିତ୍ସକମାନଙ୍କ ଭୂମିକା ଅତୁଳନୀୟ ବୋଲି ଜଗତସିଂହପୁର ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ବିଶ୍ବପ୍ରାଣୀ ଚିକିତ୍ସା ଦିବସ ପାଳନ ଅବସରରେ ବିଭିନ୍ନ ବକ୍ତା ମାନେ ମତ ପ୍ରକାଶ କରିଛନ୍ତି ।
ଆଜି ଆଦିକବି ସାରଳା ଦାସ ସଂସ୍କୃତି ଭବନଠାରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ବିଶ୍ବପ୍ରାଣୀ ଚିକିତ୍ସା ଦିବସରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁରର ଜିଲ୍ଲା ପରିଷଦର ସଭାପତି ଶ୍ରୀ ମନୋଜ ଭୋଇ ଉକ୍ତ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ନିଜ ଭାଷଣ ପ୍ରସଙ୍ଗରେ କହିଲେ ଯେ ସୁସ୍ଥ ସମାଜ ଗଠନରେ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ସେବାରେ ସମ୍ପୃକ୍ତ ଥିବା ପ୍ରାଣୀଚିକିତ୍ସକ ମାନଙ୍କ ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ । ରାଜ୍ୟରେ ଜଗତସିଂହପୁର ଜିଲ୍ଲାରେ ଉନ୍ନତ ସଙ୍କର ଗାଈଙ୍କ ସଂଖ୍ୟା ୮୫ ପ୍ରତିଶତରୁ ଉର୍ଦ୍ଧ୍ଵ ଥିବା ହେତୁ ଦୁଗ୍ଧ ଉତ୍ପାଦନରେ ପ୍ରଥମ ଜିଲ୍ଲା ଭାବେ ସ୍ଥାନ ପାଇଅଛି । ପ୍ରାଣୀସଂପଦ ବିକାଶ ବିଭାଗର ଅନବରତ ଉଦ୍ୟମ ଓ ପ୍ରାଣୀଚିକିତ୍ସକ ମାନଙ୍କ ଉତ୍ସର୍ଗୀକୃତ ପ୍ରାଣୀଚିକିତ୍ସା ସେବା ଯୋଗୁ ଏହା ସମ୍ଭବପର ହୋଇପାରିଛି । ଚଳିତ ବିଶ୍ବ ପ୍ରାଣୀ ଚିକିତ୍ସା ଦିବସର ମୁଖ୍ୟ ବାର୍ତ୍ତା ହେଲା " ପ୍ରାଣୀ ଚିକିତ୍ସା ସେବାର ସୁଦୃଢୀ କରଣ " |ଏହି ଉତ୍ସବରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ସଭାପତିତ୍ବ କରିବା ସହିତ ଜଗତସିଂହପୁରର ଜିଲ୍ଲା ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସମଗ୍ର ରାଜ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବାରୁ ଜିଲ୍ଲାର ସମସ୍ତ ଦୁଗ୍ଧ ଚାଷୀ ଓ ପ୍ରାଣୀଚିକିତ୍ସକ ମାନଙ୍କୁ ପ୍ରଶଂସା କରିଥିଲେ ଏବଂ ଜିଲ୍ଲାକୁ ପ୍ରାଣୀ ଚିକିତ୍ସା ସେବାର ସୁଦୃଢୀ କରଣ କରିବା ଉପରେ ଗୁରୁତ୍ବାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥ୍‌ ଭାବେ, ଜଗତସିଂହପୁର ମୁନିସିପାଲିଟିର ଅଧ୍ୟକ୍ଷା ଶ୍ରୀମତୀ ଅର୍ଜନା ସିଂ,ଏ .ଡି.ଏମ ( ପ୍ରଶାସନ ) ଶ୍ରୀ ସଚ୍ଚିଦାନନ୍ଦ ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡ଼ା. ରୁଦ୍ର ନାରାୟଣ ଦାଶ, ପ୍ରାଣୀ ସଂପଦ ବିଭାଗର ପ୍ରାକ୍ତନ ଯୁଗ୍ମ ନିର୍ଦ୍ଦେଶକ ଡ଼ା.ରମେଶ ଚନ୍ଦ୍ର ବେହେରା ,ପ୍ରାକ୍ତନ ବରିଷ୍ଠ ପ୍ରାଣୀଚିକିତ୍ସକ ଡ଼ା. କୁଞ୍ଜବିହାରୀ ସ୍ବାଇଁ ,ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ପ୍ରମୁଖ ମିଳିତ ବିବୃତିରେ ଉନ୍ନତପ୍ରାଣୀ ପାଳନ ମାଧ୍ୟମରେ ଜିଲ୍ଲା ତଥା ରାଜ୍ୟରେ ଦୁଗ୍ଧ , ମାଂସ ଓ ଅଣ୍ଡା ଉତ୍ପାଦନ ଆଶାତୀତ ଭାବେ ବୃଦ୍ଧି ପାଉଥିବାବେଳେ ଚାଷୀଙ୍କ ଆୟ ଦ୍ବିଗୁଣିତ ହୋଇପାରିଛି ବୋଲି ପ୍ରକାଶ କରିଥିଲେ । ଶେଷରେ ୪ ଜଣ ପ୍ରାଣୀ ଚିକିତ୍ସକ, ୨ ଜଣ ପ୍ରାଣୀଧନ ନିରୀକ୍ଷକ,ଗୋପାଳନରେ ୩ ଜଣ ଶ୍ରେଷ୍ଠ ଯୁବଦ୍ୟୋଗୀ ଛେଳି ପାଳନରେ ଜଣେ,ମାଂସାଳ ଓ ଅଣ୍ଡାଦିଆ କୁକୁଡା ପାଳନରେ ୨ ଜଣ, ଅଣ୍ଡାଦିଆ କୁକୁଡା ପାଳନରେ ୩ ଜଣ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଏବଂ ଓମଫେଡ୍‌ର ଚନ୍ଦାପାଟ ମହିଳା ଦୁଗ୍ଧ ସମବାୟ ସମିତି ସହିତ ୨ ଜଣ ଦୁଗ୍ଧ ଚାଷୀଙ୍କୁ ଅତିଥ୍‌ମାନଙ୍କଦ୍ୱାରା ମାନପତ୍ର ଓ ମୋମେଣ୍ଟୋ ପ୍ରଦାନ ସହ ସମ୍ବର୍ଦ୍ଧିତ କରଯାଇଥିଲା । ଏହି ସଭାରେ ସ୍ବାଗତ ଭାଷଣରେ ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ଡ଼ା. ବୀର କିଶୋର ପରିଡା,ବିଶ୍ବ ପ୍ରାଣୀ ଚିକିତ୍ସା ଦିବସର ଆଭିମୁଖ୍ୟ ଉପରେ ବର୍ଣ୍ଣନା କରିବା ସହିତ ଜିଲ୍ଲାରେ ପ୍ରାଣୀ ସଂପଦର ବିକାଶ ପାଇଁ ସରକାରଙ୍କ ତରଫରୁ ଜିଲ୍ଲାରେ କାର୍ଯ୍ୟକାରୀ ବିଭିନ୍ନ ଯୋଜନା ସଂପର୍କରେ ଆଲୋକ ପାତ କରିଥିଲେ । ସଭାଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅତିରିକ୍ତ ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀ ଡା. ବିଭୂରଞ୍ଜନ ଦାସ । ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶ୍ରୀମତୀ ଯାଜ୍ଞସେନି ନାୟକ । ସଭା ପ୍ରାରମ୍ଭରେ ରାଜ୍ୟ ବିଶ୍ବ ପ୍ରାଣୀ ଚିକିତ୍ସା ଦିବସ ଅବସରରେ ମାନ୍ୟବର କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ ସାହୁଙ୍କ ଦ୍ବାରା କୃଷିଭବନରେ ଉଦଘାଟିତ ଉତ୍ସବକୁ ଲାଇଭଷ୍ଟ୍ରିମ ମାଧ୍ୟମରେ ଏଠାରେ ପ୍ରଦର୍ଶନ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ୧୦୦ ରୁ ଉର୍ଦ୍ଧ୍ବ ପ୍ରାଣୀ ପାଳକ, ଦୁଗ୍ଧ ଚାଷୀ, ପ୍ରାଣୀଚିକିତ୍ସକ,ପ୍ରାଣୀଧନ ନିରୀକ୍ଷକ ଓ ବିଭାଗୀୟ କର୍ମକ ମାନେ ଯୋଗଦାନ କରିଥିଲେ । ଏହି ଉପଲକ୍ଷେ ବାଲିକୁଦା ବ୍ଲକ ର ଥାଇଲୋ ଗ୍ରାମ ପଞ୍ଚାୟତ ଅଧ୍ଵସ୍ଥ ଜଙ୍ଗଲ ଗ୍ରାମ ଏବଂ ବିରିଡି ବ୍ଲକ ର ପୁଟ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଚାଷୀଖଣ୍ଡରେ ଉଭୟ ପ୍ରାଣୀ ସଂପଦ ବିଭାଗ ଓ ଓମଫେଡ଼ ର ମିଳିତ ଆନୁକୁଲୁରେ ମେଗା ପ୍ରାଣୀଚିକିତ୍ସା ଶିବିରି ଅନୁଷ୍ଠି ହୋଇଥିଲା । ସେହିପରି ଜଗତସିଂହପୁର ଆନିମଲ ହେଲ୍‌ଲାଇନ ଦ୍ବାରା ବୁଲା କୁକୁରଙ୍କ ଜଳାନ୍ତକ ରୋଗ ବିରୁଦ୍ଧରେ ପ୍ରତିଷେଧକ ଟିକା ପ୍ରଦାନ କ ଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଡ଼ା.ବିଶ୍ବଜିତ ପଣ୍ଡା, ଡ଼ା.ଶଶାଙ୍କ ଶେଖର ନାୟକ, ଡ଼ା.ବିକ୍ରମ ଆଚାର୍ଯ୍ୟ, , ଡ଼ା.ଶଶାଙ୍କ ଶେଖର ଲେଙ୍କା, ଡ଼ି ଶୁଭେନ୍ଦୁ ସେଠୀ, ଡ଼ା. ମନୋରଞ୍ଜନ ନନ୍ଦ, ଡ଼ା. ଯଦୁନାଥ ପରିଡା, ଡ଼ା.ଦିଲ୍ଲୀପ ସେଠୀ, ଡ଼ା. ସୋମ୍ୟଜିତ ରାଉତ ପ୍ରମୁଖଙ୍କ ସମେତ ଓମଫେଡର ତିର୍ତ୍ତୋ ଡାଏରୀର ପ୍ଲାଣ୍ଟ ୟୁନେଜର ଲଳିତେନ୍ଦୁ ପାତ୍ର ଓ ଅନ୍ୟମାନେ ଯୋଗଦାନ କରିଥିଲେ।

0
0
0
s2sdefault