ପୁରୀ(ଅନିମେଶ ପଟ୍ଟନାୟକ): ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନକୁ ମିଳିଲାନି ଅନୁମତି । ଫଳରେ ୨୭ ତାରିଖରେ ହେବାକୁ ଥିବା ପଦଯାତ୍ରାକୁ ସ୍ଥଗିତ ରଖାଯାଇଥିବା ଜଣା ପଡିଛି ।
ଗତ କିଛି ଦିନ ହେଲା ଶ୍ରୀମନ୍ଦିର ପରିକ୍ରମା ମାର୍ଗକୁ ନେଇ ମହାପ୍ରଭୁଙ୍କ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଯାହାକୁ ନେଇ ଶ୍ରୀକ୍ଷେତ୍ର ଦୁଇଭାଗ ହୋଇଯାଇଛି । ପରିକ୍ରମା ମାର୍ଗ ପ୍ରକଳ୍ପ ସପକ୍ଷ ଓ ବିପକ୍ଷବାଦୀଙ୍କ ଭିତରେ ଦ୍ୱନ୍ଦ ଲାଗିଥିବା ବେଳେ ଆସନ୍ତାକାଲି ପୁରୀଠାରେ ହେବାକୁ ଥିବା ଜନ ପଦଯାତ୍ରାକୁ ଜିଲ୍ଲା ପ୍ରଶାସନ ଅନୁମତି ମିଳିପାରିନି । ଫଳରେ ଅଭିଯାନ ସ୍ଥଗିତ ରହିଲା । ଏବେ କେବଳ ଆଲୋଚନା ମାଧ୍ୟମରେ ଏ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ଆବାହକ ବିନୟ ନୃସିଂହ ମହାପାତ୍ର ।
ସେପଟେ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନର ଅନ୍ୟତମ ପ୍ରମୁଖ ତଥା ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ମଧ୍ୟ ଏହି ଅଭିଯାନରୁ ଓହରି ଯାଇଥିବା ଜଣାପଡିଛି । ଅନ୍ୟପଟେ ଅଭିଯାନ ନହେଲେ ମଧ୍ୟ ଆସନ୍ତାକାଲି ସାଂସଦ ଅପରାଜିତା ଷଡଙ୍ଗୀ ପୁରୀ ଆସିବେ ବୋଲି କହିଛନ୍ତି । ସେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସିବେ ବୋଲି ଟୁଇଟ୍ କରି କହିଛନ୍ତି ।