ଭୁବନେଶ୍ୱର, : କୋଭିଡ୍ ମହାମାରୀ ଯୋଗୁଁ ୨ ବର୍ଷ ଧରି ଘରେ ରହିଥିବା ମାନସିକ ଭାବେ ଭିନ୍ନକ୍ଷମ ପିଲାମାନଙ୍କ ନିମନ୍ତେ ଆଜି ସ୍ପେଶିଆଲ୍ ଅଲିମ୍ପିକ୍ସ ଭାରତ ସଂସ୍ଥା ଦ୍ୱାରା ଦେଶବ୍ୟାପୀ ଏକ ସ୍ୱାସ୍ଥ୍ୟ ପରୀକ୍ଷା ତଥା “ଜଗିଂ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ନିମନ୍ତେ ଏହି କାର୍ଯ୍ୟକ୍ରମ ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ ଠାରେ ଆୟୋଜିତ ହୋଇଥିଲା ।
ନ୍ୟାସ୍ନାଲ୍ ହେଲ୍ଥ ଟେଷ୍ଟ ଫର ଦିବ୍ୟାଙ୍ଗଜନ ଭାବେ ନାମିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୫,୦୦୦ ପିଲାମାନଙ୍କର ଏପ୍ରିଲ୍ ୫ ଓ ୭ ମଧ୍ୟରେ ଦେଶର ୭୫ଟି ସ୍ଥାନରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ଏହାକୁ ଦେଶରେ ପାଳିତ ହେଉଥିବା ‘ଆଜାଦି କି ଅମ୍ରିତ୍ ମହୋତ୍ସବ’ ସହ ସାମିଲ୍ କରାଯାଇଥିଲା ।
ଉଲ୍ଲେଖ ଯୋଗ୍ୟ ଯେ ସୋଆ ସମେତ ଆଜି ସାରା ଦେଶରେ ୭,୫୦୦ ମାନସିକ ଭାବେ ଭିନ୍ନକ୍ଷମ ପିଲାମାନେ ଦେଶର ୧୨୬ଟି ସ୍ଥାନରେ ଏକ ସଂଗେ ଏକ ମିନିଟ ପାଇଁ ଜଗିଂ କରି ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍ରେ ସ୍ଥାନ ପାଇପାରିଛନ୍ତି ।
ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କୁ ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ଅ ଫ୍ ଡେଂଟାଲ୍ ସାଇନ୍ସେସ୍ର ଏକ ଡାକ୍ତରୀ ଦଳ ତଥା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଫିଜିଓଥେରାପି ବିଭାଗର ଡାକ୍ତରମାନେ ପରୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ୪ଟି ଗୁରୁତ୍ୱପୂର୍ଣ୍ଣ ମନ୍ତଣାଳୟ ସହଯୋଗ କରିଥିଲେ ।
ଏହାର ଉଦ୍ଘାଟନ ଉତ୍ସବରେ ଯୋଗ ଦେଇ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ମାନସିକ ଭାବେ ଭିନ୍ନକ୍ଷମ ଲୋକଙ୍କର ସଶକ୍ତିକରଣ ନିମନ୍ତେ ସବୁ ପ୍ରକାର ଉଦ୍ୟମ ହେବା ଆବଶ୍ୟକ ବୋଲି କହିଥିଲେ । ଏହି ପିଲାମାନଙ୍କର ଲୁକ୍କାୟିତ ପ୍ରତିଭା ବିଷୟରେ ଆଲୋଚନା କରି ସେ କହିଥିଲେ ଯେ ଏହି ପିଲାମାନେ ପାରା ଅଲିମ୍ପିକ୍ସରେ ଭାରତ ନିମନ୍ତେ ଗୌରବ ଅର୍ଜନ କରିପାରିଛନ୍ତି । ବିଖ୍ୟାତ ଚିତ୍ରକର ସତୀଶ ଗୁଜରାଲ୍ଙ୍କ ବିଷୟ ଉଲ୍ଲେଖ କରି ପ୍ରଫେସର ମହାପାତ୍ର କହିଥିଲେ ଯେ ସେ ମୁକ ଓ ବଧିର ହୋଇଥିଲେ ମଧ୍ୟ ଦେଶର ୫ ଜଣ ଶ୍ରେଷ୍ଠ ଚିତ୍ରକରଙ୍କ ମଧ୍ୟରେ ସ୍ଥାନ ପାଇପାରିଛନ୍ତି ।
ସ୍ପେଶିଆଲ୍ ଅଲିମ୍ପିକ୍ସ ଭାରତର ଆଂଚଳିକ ନିର୍ଦ୍ଦେଶକ ଶ୍ରୀ ପ୍ରକାଶ ରଥ ଏହି କାର୍ଯ୍ୟକ୍ରମ ପିଲାମାନଙ୍କୁ ୨ ବର୍ଷ ପରେ ସେମାନଙ୍କ ଘରୁ ବାହାରକୁ ଆଣିବା ପାଇଁ ଉଦ୍ଦିଷ୍ଟ ବୋଲି କହିଥିଲେ । ଗତବର୍ଷ ସ୍ପେଶିଆଲ୍ ଅଲିମ୍ପିକ୍ସରେ ଯୋଗ ଦେଇ ଏହିପରି ମାନସିକ ଭାବେ ଭିନ୍ନକ୍ଷମ କ୍ରୀଡାବିତମାନେ ଦେଶ ପାଇଁ ୮୫ଟି ସ୍ୱର୍ଣ୍ଣ ସହ ୩୭୯ଟି ପଦକ ଅର୍ଜନ କରିଥିବା ସେ କହିଥିଲେ ।
ଏହି ଉତ୍ସବରେ ଆଇଡିଏସ୍ର ଡିନ୍ ପ୍ରଫେସର ନୀତା ମହାନ୍ତି, ଆଇଏଏସ୍ର ଡିନ୍ ପ୍ରଫେସର ବିଜୟ କୁମାର ସାହୁ ଓ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିଲେ । ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଫିଜିଓଥେରାପି ବିଭାଗ ମୁଖ୍ୟ ଡାକ୍ତର ସ୍ଥିତିପ୍ରଜ୍ଞା ଦଳବେହେରା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ରାଜ୍ୟ
ସୋଆରେ ସ୍ପେଶାଲ୍ ଅଲିମ୍ପିକ୍ସ ଭାରତର ସ୍ୱତନ୍ତ୍ର କାର୍ଯ୍ୟକ୍ରମ
- Hits: 325