ପୁରୀ/ ଅନିମେଶ ପଟ୍ଟନାୟକ: ମହାପ୍ରଭୁ ହେଲେ ମହାସ୍ନାନ । ଦର୍ଶନ ପାଇଁ ଶ୍ରୀମନ୍ଦିର ବାହାରେ ପ୍ରବଳ ଭିଡ଼ । ଭିତର କାଠ ପାଖେ ରକ୍ତ ଛିଟା ଯୋଗୁଁ ତିନି ଠାକୁରଙ୍କ ମହାସ୍ନାନ ନୀତି କରାଯାଇଛି । ଫଳରେ ଶ୍ରୀମନ୍ଦିର ବେସ କିଛି ଘଣ୍ଟା ପାଇଁ ବନ୍ଦ ରହିଥିଲା ବୋଲି ଜଣାପଡିଛି । ତେବେ ଭିତର କାଠ ପାଖେ ରକ୍ତ ଛିଟା କେଉଁଠୁ ଆସିଲା ତାହା ଜଣା ପଡିନାହିଁ ।
ସେପଟେ ଶ୍ରୀମନ୍ଦିର ବାହାରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଖରା ଗରମରେ ଚକା ଆଖିକୁ ଦେଖିବା ପାଇଁ ଭକ୍ତଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ଶ୍ରୀମନ୍ଦିର ପାଖରୁ ମାର୍କେଟ ଛକ ଯାଏଁ ଲାଗିଥିଲା ଲମ୍ବା ଲାଇନ । ଫଳରେ ସ୍ଥାନୀୟ ବାସିନ୍ଦାଙ୍କୁ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ମହାସ୍ନାନ ନୀତି ପରେ ଶ୍ରୀମନ୍ଦିର ଖୋଲାଯାଇଥିଲା । ବିଡମ୍ବନାର କଥା ହେଲା । ଘଣ୍ଟା ଘଣ୍ଟା ଖରାରେ ଧାଡିରେ ଅପେକ୍ଷା କରିଥିବା ଭକ୍ତଙ୍କ ପାଇଁ ପାଣି ସିଞ୍ଚନ କରାଯାଇନଥିଲା । ପିବାକୁ ମଧ୍ଯ ପାଣିର ବ୍ୟବସ୍ଥା ନଥିଲା । ଏପରିକି ଭକ୍ତଙ୍କୁ ସୂଚିତ କରାଯାଇନଥିଲା କି କ'ଣ ପାଇଁ ଶ୍ରୀମନ୍ଦିର ବନ୍ଦ ଅଛି ଓ କେତେ ସମୟ ପରେ ଖୋଲିବ ଶ୍ରୀମନ୍ଦିର ।
ଅନ୍ୟପଟେ କୋଭିଡ କଟକଣା କୋହଳ ପରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ବଢୁଛି । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ସେପରି କିଛି ବ୍ୟବସ୍ଥା କରିନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ରଜାନହର ଠାରୁ ମରଚୀକୋଟ ଛକ ଯାଏଁ ଅହରହ ଭିଡ଼ ଦେଖିବାକୁ ମିଳୁଛି । ଭକ୍ତଙ୍କ ଅସ୍ଥାୟୀ ଚଲାପଥ ଖାଲି ପଡୁଛି । ଭକ୍ତମାନେ ରାସ୍ତାର ଦୁଇ ପାର୍ଶ୍ବରେ ଦର୍ଶନ ପାଇଁ ଯାତାୟତ କରୁଛନ୍ତି । ଫଳରେ ଗହଳି ବଢୁଛି । ପ୍ରଶାସନ ପକ୍ଷରୁ ଏଥିପ୍ରତି ଜନସଚେତନତା କରାଗଲେ ସ୍ଥାନୀୟ ଲୋକଙ୍କର ଯାତାୟତରେ ଅସୁବିଧା ହୁଅନ୍ତାନି ବୋଲି ସାଧାରଣ ଲୋକେ କହିଛନ୍ତି ।
ଭକ୍ତଙ୍କ ଦର୍ଶନ ସୁବିଧା ସହ ସ୍ଥାନୀୟ ବାସିନ୍ଦାଙ୍କ ଯାତାୟତ ସୁବିଧା କରାଯିବା ଆବଶ୍ୟକ ବୋଲି ସ୍ଥାନୀୟ ବାସିନ୍ଦା ମତ ପ୍ରକାଶକରିଛନ୍ତି ।