୭ଟି ଜିଲ୍ଲାରେ ପ୍ରାୟ ୩୬୧୭୨ ଜଣ ତାଲିମପ୍ରାପ୍ତ ଔଷଧ ପ୍ରଦାନକାରୀ ଓ ୩୮୮୬ ସୁପରଭାଇଜର ନିୟୋଜିତ
ଭୁବନେଶ୍ୱର: ଲିମ୍ଫାଟିକ ଫାଇଲେରିଆସିସ୍ର ନିରାକରଣ ଦିଗରେ କୌଣସି ପ୍ରୟାସ ହାତଛଡା ନକରିବାକୁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରତିଶ୍ରୁତିବଦ୍ଧ । ୨୦୨୨ ମାର୍ଚ୍ଚ ୭ ତାରିଖରେ ଗ୍ଲୋବାଲ ହେଲ୍ଥ ଷ୍ଟ୍ରାଟେଜିସ୍ ସହିତ ମିଶି ସ୍ୱାସ୍ଥ୍ୟ ବିଭାଗ ଓଡ଼ିଶାର ୭ଟି ଜିଲ୍ଲାରେ ସାମୁହିକ ଔଷଧ ସେବନ (ଏମ୍ଡିଏ) ପର୍ଯ୍ୟାୟଗୁଡିକର ଶୁଭାରମ୍ଭ କରିଛନ୍ତି । ଏହି ପର୍ଯ୍ୟାୟ ୨୦୨୨ ମାର୍ଚ୍ଚ ୭ ତାରିଖରୁ କୋଭିଡ-୧୯ର ସମସ୍ତ ନିର୍ଦ୍ଦେଶାବଳୀକୁ ଅନୁପାଳନ କରାଯାଇ ଆରମ୍ଭ କରାଯାଉଛି । ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀମାନେ ବରଗଡ, କେନ୍ଦୁଝର, କନ୍ଧମାଳା, ମୟୁରଭଞ୍ଜ, ସୋନପୁର, ସୁନ୍ଦରଗଡ ଏବଂ ସମ୍ବଲପୁର ଆଦି ୭ଟି ଜିଲ୍ଲାରେ ୨୦୨୨ ମାର୍ଚ୍ଚ ୭ରୁ ୧୬ ତାରିଖ ପର୍ଯ୍ୟନ୍ତ ଘରକୁ ଘର ପହଞ୍ଚିବେ ।
ଏମ୍ଡିଏ ପର୍ଯ୍ୟାୟଗୁଡିକ ଅବସରରେ ଜିଲ୍ଲାର ସମସ୍ତ ଯୋଗ୍ୟ ହିତାଧିକାରୀ ଯେଭଳି ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ଫାଇଲେରିଆ ନିରୋଧୀ ଔଷଧ ସେବନ କରିବେ, ତାହା ସୁନିଶ୍ଚିତ କରାଯିବ । ୨ ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଅସୁସ୍ଥ ଥିବା ଲୋକଙ୍କୁ ବାଦ୍ଦେଇ ଅନ୍ୟ ସମସ୍ତେ ଧାର୍ଯ୍ୟ ମାତ୍ରାର ଔଷଧ ଏହି ପର୍ଯ୍ୟାୟଗୁଡିକ ସମୟରେ ନିଶ୍ଚିତ ଭାବରେ ସେବନ କରିବାକୁ ହେବ ।
ଡା.ନିରଞ୍ଜନ ମିଶ୍ର, ନିର୍ଦ୍ଦେଶକ ଜନସ୍ୱାସ୍ଥ୍ୟ, ଓଡ଼ିଶା ସରକାର କହିଛନ୍ତି ଯେ, “ଏମ୍ଡିଏ ପର୍ଯ୍ୟାୟଗୁଡିକୁ ସଫଳ କରିବା ନିମନ୍ତେ ଗୋଷ୍ଠୀ ଅଂଶଗ୍ରହଣ ସୁନିଶ୍ଚିତ କରିବା ଉପରେ ଆମର ଦୃଷ୍ଟିନିବଦ୍ଧ ରହିଛି । ପୁନଶ୍ଚ ଆମକୁ ଏହା ନିଶ୍ଚିତ କରିବାକୁ ହେବ ଯେ ଔଷଧଗୁଡିକ କେବଳ ବଣ୍ଟନ କରାନଯାଇ ତାହା ଯେଭଳି ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ସେବନ କରାଯିବ ।” ଜନସମୁଦାୟଙ୍କୁ ନିବେଦନ କରି ସେ କହିଥିଲେ ଯେ, “ଜନସାଧାରଣ ନିଜକୁ ଏବଂ ସେମାନଙ୍କ ପରିବାରଗୁଡିକୁ ଫାଇଲେରିଆରୁ ସୁରକ୍ଷିତ ରଖିବା ସକାଶେ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ଔଷଧନ ସେବନ କରିବା ଅନିବାର୍ଯ୍ୟ ।”
ସେ କହିଲେ, “ସମସ୍ତ ବିଭାଗର ସମ୍ମିଳିତ ଉଦ୍ୟମ ଯୋଗୁଁ ଆମର ଉଦ୍ୟମ ସଫଳ ହେଉଛି । ଏହି ଗୁରୁତର ରୋଗ ବିରୋଧରେ ଲଢେଇ କରିବା ସକାଶେ ଆମେ ସମେସ୍ତ ଏକତ୍ର ଆଗେଇ ଆସିବାର ଆବଶ୍ୟକତା ରହିଛି ।” ସେ ଆଉମଧ୍ୟ କହିଥିଲେ, “ଫାଇଲେରିଆରେ ଆକ୍ରାନ୍ତ ରୋଗୀମାନଙ୍କୁ ଆମ୍ଭେମାନେ ସାମାଜିକ ସମର୍ଥନ ଯୋଗାଇଦେବାର ଆବଶ୍ୟକତା ରହିଛି ।” ରୋଗୀମାନଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଏବଂ ଶିବିର ଆୟୋଜନ ଜରିଆରେ ଅସ୍ତ୍ରୋପଚାର କରି ଜିଲ୍ଲାକୁ ହାଇଡ୍ରୋସିଲ ମୁକ୍ତ କରିବା ଦିଗରେ ଅଗ୍ରସର ହେବାକୁ ସେ ସ୍ୱାସ୍ଥ୍ୟ ବିଭାଗକୁ ନିବେଦନ କରିଥିଲେ । ସେ ପୁନଶ୍ଚ କହିଥିଲେ ଯେ, “କେବଳ ସରକାରଙ୍କ ଉଦ୍ୟମ ଦ୍ୱାରା ଫାଇଲେରିଆର ନିରାକରଣ କରାଯାଇପାରିବ ନାହିଁ, ଆମକୁ ଗୋଷ୍ଠୀସ୍ତରରେ ପ୍ରୟାସ ଏବଂ ତାହାର ରୂପାୟନର ଆବଶ୍ୟକତା ରହିଛି,” ଏବଂ ଏଲ୍ଏଫ ନିରାକରଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ସେ ସାଧାରଣ ଜନତାଙ୍କୁ ନିବେଦନ କରିଥିଲେ ।
ପ୍ରାୟ ୩୬୧୭୨ ତାଲିମପ୍ରାପ୍ତ ଔଷଧ ପ୍ରଦାନକାରୀ, ୩୮୮୬ ସୁପରଭାଇଜରଙ୍କୁ ୭ଟି ଜିଲ୍ଲାରେ ନିୟୋଜିତ କରାଯାଇଛି । ଏହି ଜିଲ୍ଲାଗୁଡିକରେ ଧାର୍ଯ୍ୟ ଲକ୍ଷ୍ୟ ହିତାଧିକାରୀଙ୍କ ସଂଖ୍ୟା ୧୦୭୩୯୨୭୪ ରହିଛି ।
ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଡବ୍ଲ୍ୟୁଏଚ୍ଓ ଓଡ଼ିଶା, ଗ୍ଲୋବାଲ ହେଲ୍ଥ ଷ୍ଟ୍ରାଟେଜିସ୍ (ଜିଏଚଏସ୍) ଏବଂ ପ୍ରୋଜେକ୍ଟ କନସର୍ନ ଇଣ୍ଟରନ୍ୟାସନାଲ (ପିସିଆଇ) ରାଜ୍ୟରୁ ଲିମ୍ଫାଟିକ ଫାଇଲେରିଆସିସ୍ ନିରାକରଣ ଦିଗରେ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି ।