ଆଡମିଟ୍ କାର୍ଡ ପାଇବାକୁ ଅପେକ୍ଷା କରି ରହିଥିଲା ବେଳେ ବହୁ ଛାତ୍ର ଛାତ୍ରୀମାନଙ୍କ ପାଖକୁ ପ୍ରବେଶିକା ପରୀକ୍ଷା ଦେଇ ପାରିବେ ନାହିଁ ବୋଲି ମୋବାଇଲ ଯୋଗେ ପରିଷଦ ପକ୍ଷରୁ ମେସେଜକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା
ନିଶ୍ଚିନ୍ତକୋଇଲି/ ଦେବେନ୍ଦ୍ର ଷଡ଼ଙ୍ଗୀ : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଆସନ୍ତା ମାର୍ଚ୍ଚ ୪ ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ପରିଷଦର ନିର୍ଦ୍ଦେଶ ଅନୁଯାୟୀ ଛାତ୍ର ଛାତ୍ରୀମାନେ ପରୀକ୍ଷା ଦେବା ନିମନ୍ତେ ଅନ୍ଲାଇନ୍ ମାଧ୍ୟମରେ ନାମ ପଞ୍ଜିକୃତ କରିଥିଲେ । ନାମ ପଞ୍ଜିକୃତ କରିବା ପରେ ପ୍ରବେଶିକା ପରୀକ୍ଷା ଗାଇଡ୍ କିଣି ଛାତ୍ର ଛାତ୍ରୀମାନେ ଦିନରାତି ଅକ୍ଳାନ୍ତ ପରିଶ୍ରମ କରି ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏଥିପାଇଁ ଅଭିଭାବକମାନେ ମଧ୍ୟ ବହୁ ଖର୍ଚ୍ଚାନ୍ତ ହୋଇଛନ୍ତି । ଆସନ୍ତା ୪ ତାରିଖରେ ପରୀକ୍ଷା ଦେବା ପାଇଁ ଛାତ୍ର ଛାତ୍ରୀମାନେ ଆଡମିଟ୍ କାର୍ଡ ପାଇବାକୁ ଅପେକ୍ଷା କରି ରହିଥିଲା ବେଳେ ଏହି ବ୍ଲକର ବହୁ ଛାତ୍ର ଛାତ୍ରୀମାନଙ୍କ ପାଖକୁ ପ୍ରବେଶିକା ପରୀକ୍ଷା ଦେଇ ପାରିବେ ନାହିଁ ବୋଲି ମୋବାଇଲ ଯୋଗେ ପରିଷଦ ପକ୍ଷରୁ ମେସେଜ ପଠାଯାଇଛି । ଏହି ମେସେଜ ପାଇବା ପରେ ଛାତ୍ର ଛାତ୍ରୀମାନେ ମାନସିକ ସ୍ତରରେ ଭାଙ୍ଗିପଡିଥିବା ବେଳେ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ଏହି ବ୍ଲକର ବହୁ ଛାତ୍ର ଛାତ୍ରୀ ମାହାଙ୍ଗା ବ୍ଲକ କଉଡକୋଲଠାରେ ଥିବା ଆଦର୍ଶ ବିଦ୍ୟାଳୟରେ ନାମ ଲେଖା ପାଇଁ ପ୍ରବେଶିକା ପରୀକ୍ଷା ନିମନ୍ତେ ନାମ ପଞ୍ଜିକୃତ କରିଥିଲେ । ହେଲେ ଏହି ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଆବଶକୀୟ ସିଟ୍ ନଥିବାରୁ ପରିଷଦ ପକ୍ଷରୁ ପଞ୍ଜିକୃତ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ପ୍ରବେଶିକା ପରୀକ୍ଷା ଦେବା ପାଇଁ ମୋବାଇଲ ଯୋଗେ ମନା କରାଯାଇଛି । ଏଠାରେ ପ୍ରଶ୍ନ ଉଠୁଛି ଯଦି ବିଦ୍ୟାଳୟରେ ସିଟ୍ ନଥିଲା ତେବେ କ’ଣ ପାଇଁ ଅନ୍ଲାଇନ୍ରେ ନାମ ପଞ୍ଜିକରଣ ପାଇଁ ଆହ୍ୱାନ କରାଯାଇଥିଲା ! ଏଭଳି ସ୍ଥିତିରେ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିବା ଛାତ୍ର ଛାତ୍ରୀମାନେ ଯଦି କୌଣସି ଅପ୍ରୀତିକର ଘଟଣା ଘଟାନ୍ତି ତାହା ହେଲେ ଶିକ୍ଷାପରିଷଦ ଦାୟୀ ରହିବ ବୋଲି ଅଭିଭାବକ ମହଲରେ ଦାବି ହେବା ସହିତ କିଭଳି ପଞ୍ଜିକୃତ କରିଥିବା ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ ସେଥିପାଇଁ ବ୍ୟବସ୍ଥା କରିବାକୁ ଶିକ୍ଷା ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ଦାବି ହେଉଛି ।