୭୭.୯ % ମତଦାନ ; ଭୋଟ ବାକ୍ସ ଭିତରେ ପ୍ରାର୍ଥୀମାନଙ୍କର ଭାଗ୍ୟ
ନିଶ୍ଚିନ୍ତକୋଇଲି/ ଦେବେନ୍ଦ୍ର ଷଡ଼ଙ୍ଗୀ: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଆଜି ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ଶୃଙ୍ଖଳିତ ଭାବେ ନିର୍ବାଚନ ଶେଷ ହୋଇଛି । ଏହି ବ୍ଳକ ଅଧିନରେ ଥିବା ୫ ଟି ଜୋନରେ ୧ ଲକ୍ଷ ୬୬ ହଜାର ୩୪୮ ଭୋଟରମାନଙ୍କ ମଧ୍ୟରୁ ୧ଲକ୍ଷ ୨୯ ହଜାର ୭୦୧ ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି । ଏହା ସମୁଦାୟ ଭୋଟର ୭୭.୯ % ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏଥର ୨୪ ନମ୍ବର ଜୋନ ଅଧିନରେ ରହିଥିବା ୮ ଟି ପଞ୍ଚାୟତରେ ୭୭.୨ % ଭୋଟ ହୋଇଛି । ଏହି ଜୋନ୍ରେ ୨୮ହଜାର୮୯୯ ଭୋଟର ରହିଥିବା ବେଳେ ୨୨ ହଜାର ୩୦୯ ପୁଲିଂ ହୋଇଥିବା ଜଣାଯାଇଛି । ସେହିପରି ୨୫ ନମ୍ବର ଜୋନ୍ରେ ୭୯.୭ % ପୁଲିଂ ହୋଇଥିବା ବେଳେ ୩୦ ହଜାର ୨୧୮ ଭୋଟରମାନଙ୍କ ମଧ୍ୟରୁ ୨୪ ହଜାର ୦୯୮ ଜଣ ଭୋଟର ମତଦାନ ସାବ୍ୟସ୍ତ କରିଛନ୍ତି । ସେହିପରି ୨୬ ନମ୍ବର ଜୋନ୍ରେ ୭୭.୬ % ପୁଲିଂ ହୋଇଥିବା ବେଳେ ୩୬ ହଜାର ୯୭୭ ଭୋଟରମାନଙ୍କ ମଧ୍ୟରୁ ୨୮ ହଜାର ୭୨୮ ଜଣ ମତଦାତା ସେମାନଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି । ୨୭ ନମ୍ବର ଜୋନ୍ରେ ୭୮.୧୬ % ପୁଲିଂ ହୋଇଥିଲା ବେଳେ ୩୮ ହଜାର ୨୩୨ ଜଣ ଭୋଟରମାନଙ୍କ ମଧ୍ୟରୁ ୨୯ ହଜାର ୮୮୩ ଭୋଟର ସେମାନଙ୍କର ଭୋଟ ପ୍ରଦାନ କରିଛନ୍ତି । ସେହିପରି ୨୮ ନମ୍ବର ଜୋନରେ ୭୭.୦୬ % ପୁଲିଂ ହୋଇଥିଲା ବେଳେ ୩୨ ହଜାର ୦୨୭ ଭୋଟରମାନଙ୍କ ମଧ୍ୟରୁ ୨୪ ହଜାର ୬୮୩ ଭୋଟର ଭୋଟ ଦେଇଥିବା ଜଣାଯାଇଛି । ଏହି ବ୍ଲକ ଅଧିନରେ ୪୧ ଟି ପଞ୍ଚାୟତରେ ୫୯୦ ଟି ୱାର୍ଡ ରହିଛି । ପ୍ରତ୍ୟେକ ୱାର୍ଡ ପାଇଁ ଗୋଟିଏ ଲେଖାଏଁ ବୁଥ୍ ହୋଇଥିଲା ବେଳେ ୫୯୦ ବୁଥ୍ରେ ଶୃଙ୍ଖଳିତ ଭାବେ ଭୋଟ ଗ୍ରହଣ କରାଯାଇଛି । ପଞ୍ଚାୟତ ପ୍ରହଲ୍ଳାଦ କଲେଜ ପଡିଆରେ ପୋଲିସ ଓ ପ୍ରଶାସନ ପକ୍ଷରୁ ବୁଥ୍ ପାର୍ଟି ମାନଙ୍କୁ ପଞ୍ଚିକୃତ କରାଯାଇ ନିର୍ବାଚନର ସମସ୍ତ ଉପକରଣ ସହିତ ବୁଥ୍କୁ ପଠାଯାଇଥିଲା । ୫୦ ରୁ ଉର୍ଦ୍ଧ ବୁଥ୍ରେ ଭୋଟ ବାକ୍ସ ଖରାପ ଥିବାରୁ ପରବର୍ତ୍ତୀ ସମୟରେ ସେଗୁଡିକୁ ପରିବର୍ତ୍ତନ କରାଯାଇଥିଲେ ମଧ୍ୟ ଭୋଟ ଗ୍ରହଣରେ କୌଣସି ସମସ୍ୟା ହୋଇନଥିବା ଜଣାଯାଇଛି । ନିର୍ବାଚନ ପରିଚାଳନା ପାଇଁ ୪ ପ୍ଲାଟୁନ୍ ପୋଲିସ ଫୋସ୍ , ୫୦ ଟି ମୋବାଇଲ୍ ଟିମ୍, ୧୦୦ ରୁ ଉର୍ଦ୍ଧ ଅଫିସର ନିୟୋଜିତ କରାଯାଇଥିଲା । ବୁଥ୍ ପରିଚାଳନା ପାଇଁ ୪୪ ଜଣ ସେଣ୍ଟର ଅଫିସରଙ୍କୁ ନିଯୁକ୍ତି ଦିଆଯାଇଥିଲା ବେଳେ ୫୯୦ ଜଣ ଲେଖାଏଁ ପ୍ରିଜାଇଡିଂ ଅଫିସର ପ୍ରଥମ ଓ ଦ୍ୱିତୀୟ ପୁଲିଂ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଥିଲା । ବୁଥ୍କୁ ଶୃଙ୍ଖଳିତ ରଖିବା ପାଇଁ ପ୍ରତ୍ୟେକ ବୁଥ୍ରେ ଜଣେ ଲେଖାଏଁ ପୋଲିସ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଥିଲା । ଭୋଟ ଶେଷ ହେବା ପରେ ବୁଥ୍ ପାର୍ଟିମାନେ ସାଧାରଣତଃ ଭୋଟ୍ ବାକ୍ସ ଓ ଅନ୍ୟାନ୍ୟ ଭୋଟ ସଂକ୍ରାନ୍ତୀୟ ଜିନିଷ ଗୁଡିକୁ ପି.ପି. କଲେଜ ପରିସରରେ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଜିମା ଦେଇଥିଲେ । ନୂତନ ଭାବେ ନିର୍ମିତ ହୋଇଥିବା କଲେଜ ମହିଳା ହଷ୍ଟେଲକୁ ଷ୍ଟ୍ରଙ୍ଗ୍ରୁମ୍ ଭାବେ ବ୍ୟବହାର କରାଯାଇ ସେଥିରେ ସମସ୍ତ ଭୋଟ ବାକ୍ସ ଗୁଡିକୁ ସୁରକ୍ଷିତ ରଖାଯାଇଛି । ଆସନ୍ତା ୨୬ ତାରିଖରେ ୨୪ ନଂ ଜୋନ୍ର ଭୋଟ ଗଣତି ପାଇଁ ସ୍ଥିର ହୋଇଥିଲା ବେଳେ ୨୭ ତାରିଖ ଦିନ ୨୫ ଓ ୨୬ ନମ୍ବର ଜୋନ୍ ଏବଂ ୨୮ ତାରିଖ ଦିନ ୨୭ ଓ ୨୮ ନମ୍ବର ଜୋନ୍ର ଭୋଟ ଗଣତି ହେବା ପାଇଁ ସ୍ଥିର ହୋଇଥିବା ବ୍ଳକ ନିିିର୍ବାଚନ ଅଧିକାରୀ କର୍ଣ୍ଣଦେବ ସମାଦ୍ଧାର ପ୍ରକାଶ କରିଛନ୍ତି । ନିର୍ବାଚନ ପରିଚାଳନା ପାଇଁ ବ୍ଳକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।