୫-ଟି କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ତଥା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତାଗିଦ ପରେ ରୁନୁର ଚିକିତ୍ସା ତ୍ୱରାନ୍ୱିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର(ସିଦ୍ଧେଶ୍ୱର ସାହୁ) : କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ କଲେଜ ପଢୁଆ ଆଦିବାସୀ ଝିଅ ରୁନୁ କିଶାନ୍ ଚିକିତ୍ସିତ ହେଉଛି । ହେଲେ ତାକୁ ଉନ୍ନତ ସେବା ଆବଶ୍ୟକତା ଉପରେ ବିଭିନ୍ନ ମହଲରୁ ଉଦବେଗ ପ୍ରକାଶ ପାଇବା ସହ " ଶାସକ ପ୍ରଶାସକ" ରେ ରୁନୁ ସମ୍ପର୍କିତ ଝବର ପ୍ରକାଶ ପାଇଥିଲା | ଏହି ଖବର ଉପରେ ଭୁବନେଶ୍ୱରର ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାଶ ମୁଖ୍ୟମନ୍ତ୍ରୀ, ୫ ଟି ମୋ ସରକାର, ସ୍ୱାସ୍ଥ୍ୟମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନକୁ ଟୁଇଟ କରି ରୁନୁକୁ ତ୍ୱରିତ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ | ଆଉ ଏହି ଅନୁରୋଧକୁ ୫ଟି ମୋ ସରକାର ଗୁରୁତ୍ୱର ସହ ନେଇଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାଶ କେନ୍ଦୁଝର ସିଡିଏମଓଙ୍କୁ ରୁନୁର ଉତ୍ତମ ଚିକିତ୍ସା ବ୍ୟବସ୍ଥା କରାଇବା ପାଇଁ ନିର୍ଦ୍ଦେଶ ଦେବା ସହ 72ଘଣ୍ଟା ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ |

ଏହି ନିର୍ଦ୍ଦେଶ ପରେ କେନ୍ଦୁଝର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ପ୍ରଦର୍ଶନ କରିବା ସହିତ ରୁନୁର ଚିକିତ୍ସାକୁ ତ୍ୱରାନ୍ୱିତ କରିଛନ୍ତି | ଆବଶ୍ୟକ ଚିକିତ୍ସା ଯୋଗାଇ ଦେବା ପାଇଁ ସିଡିଏମଓ ମଧ୍ୟ ଯଥେଷ୍ଟ ଆନ୍ତରିକତା ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି | କି କି ସ୍ୱାସ୍ଥ୍ୟ ସେବା ରୁନୁକୁ ପ୍ରଦାନ କରାଯାଉଛି ସେ ବିଷୟରେ ବିସ୍ତୃତ ବିବରଣୀ ପ୍ରସ୍ତୁତ କରାଯାଇଥିବା ଜଣାପଡିଛି | ସୂତ୍ରରୁ ଜଣା ଯାଇଛି ଯେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ୍ ବ୍ୟକ୍ତିଗତ ଭାବେ ଏହି ଗରିବ ଝିଅର ଚିକିତ୍ସା କେମିତି ଭଲରେ ହେବ ଓ ସେ ସୁସ୍ଥ ହୋଇ ସ୍ୱାଭାବିକ ହେବ ସେଥିପାଇଁ ଏହି ମାମଲାକୁ ଗୁରୁତ୍ୱର ସହ ନେଇଛନ୍ତି । ଏବେ ଟିବି ଚିହ୍ନଟ ହେବା ପରେ ରୁନୁକୁ ଏଠାରେ ସ୍ଵତନ୍ତ୍ର ଚିକିତ୍ସା କରା ଯାଉଛି । ସ୍ବେଚ୍ଛାସେବୀ ମାନେ ରୁନୁ କୁ ସାହାଯ୍ୟ କରିବାକୁ ଆଗେଇ ଆସି ରକ୍ତଦାନ କରି ଥିଲେ | ଏବେ ତା ନାମରେ ଏକ ବ୍ୟାଙ୍କ୍ ଏକାଉଣ୍ଟ୍ ଖୋଲି ଲୋକଙ୍କୁ ସାହାଯ୍ୟ ମାଗୁଛନ୍ତି | ଲୋକେ ମଧ୍ୟ ନିବେଦନ ସ୍ବୀକାର କରି ଆର୍ଥିକ ସାହାଯ୍ୟ କଲେଣି । ଦରକାର ହେଲେ ରୁନୁକୁ କଟକ ଏସସିବି ସ୍ଥାନାନ୍ତର କରାଯିବ ବୋଲି ସିଡିଏମଓ କହିଛନ୍ତି । ଏତେ ଉଦ୍ୟମ ପରେ ଝିଅଟି ସୁସ୍ଥ ହେଉ ବୋଲି ତା ଜନ୍ମିତ ଗାଁ ତେଲକୋଇ ଚାମୁଣ୍ଡା ଅଞ୍ଚଳ ରେ ଲୋକେ ଯଜ୍ଞ ଆୟୋଜନ କରି ପ୍ରାର୍ଥନା କରିଛନ୍ତି ।

0
0
0
s2sdefault