ଭୁବନେଶ୍ୱର: ନିଶ୍ଚିତ ପରାଜୟ ଆଶଙ୍କାରେ ବିଜେପି ହିଂସ୍ର ହୋଇପଡିଛି | ପ୍ରତିହିଂସା ପରାୟଣ ହୋଇ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେଡି ନେତା ଓ ସମର୍ଥକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି ବିଜେପି ନେତା ଓ କର୍ମୀ | ତେଣୁ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଜି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ଦେଇଛି ବିଜେଡି |
ଆଜି ନିର୍ବାଚନ କମିଶନଙ୍କ ନିକଟରେ ରଖିଥିବା ଅଭିଯୋଗ ଫର୍ଦ୍ଦରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପିର ନିର୍ବାଚନୀ ହିଂସାକୁ ନେଇ ତଥ୍ୟ ଓ ପ୍ରମାଣ ରଖିଛି ବିଜେଡି । ରାଜ୍ୟର ଅନେକ ସ୍ଥାନରେ ବିଜେପିର ହିଂସ୍ର ଆଚରଣ ଓ ଉଚ୍ଚାରଣ ଦେଖିବାକୁ ମିଳିଛି । ଅବିଭକ୍ତ ସମ୍ବଲପୁରରେ ଜୟନାରାୟଣ ମିଶ୍ରଙ୍କ ଆକ୍ରମକ ଆଚରଣ ପାଇଁ ତାଙ୍କୁ ପ୍ରଚାରରୁ ବାଦ୍ ଦେବାକୁ ମଧ୍ୟ କମିଶନଙ୍କ ନିକଟରେ ଦାବି କରିଛି ବିଜେଡି। ସେହିଭଳି ଗଜପତି, ପିପିଲିରେ ହୋଇଥିବା ହିଂସାକାଣ୍ଡର ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରିବାକୁ ଦାବି କରିଛି ବିଜେଡି | ପୁରୀ, ଢେଙ୍କାନାଳ, ଅନୁଗୁଳ, ଡେଲାଙ୍ଗ, କଣାସରେ ମଧ୍ୟ ନିର୍ବାଚନ ସମୟରେ ହିଂସାକାଣ୍ଡ ଦେଖାଯାଇଛି । ବିଜେପି ହାରିବା ଭୟରେ ହିଂସାକାଣ୍ଡ ଘଟାଉଛି ବୋଲି ବିଜେଡି ଅଭିଯୋଗ କରିଛି । ଓଡ଼ିଶାର ଜନସାଧାରଣ ପୂର୍ବରୁ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଆଉ ଏବେ ପଂଚାୟତ ନିର୍ବାଚନରେ ମଧ୍ୟ କରୁଛନ୍ତି । ଏଣୁ ପରାଜୟକୁ ଡରି ବିଜେପି ହିଂସ୍ର ହୋଇପଡିବ ସହ ପ୍ରଳାପ କରୁଥିବା ଅଭିଯୋଗ କରିଛନ୍ତି ବିଜେଡି ପ୍ରତିନିଧି ଦଳ |
ଏହି ପ୍ରତିନିଧି ଦଳରେ ଶ୍ରୀ ଲେନିନ ମହାନ୍ତି, ସୁଲତା ଦେଓ, ପ୍ରିୟବ୍ରତ ମାଝୀ, ଇପ୍ସିତା ସାହୁ, ମଧୁସ୍ମିତା ନାୟକ, ସୋଫିଆ ଓ ଜ୍ୟୋତ୍ସ୍ନା ପରିଡା ପ୍ରମୁଖ ସାମିଲ ଥିଲେ |