"ସିଦ୍ଧାନ୍ତ" ବାର୍ଷିକୋତ୍ସବରେ ବକ୍ତା ମାନଙ୍କ ଅଭିମତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ " ସିଦ୍ଧାନ୍ତ"ର ବାର୍ଷିକୋତ୍ସବ ପାରଳାଖେମୁଣ୍ଡି ସ୍ଥିତ ବିଶ୍ଵନାଥ କଲ୍ୟାଣ ମଣ୍ଡପ ଠାରେ ମହାସମାରୋହରେ ଆୟୋଜିତ ହୋଇଯାଇଛି।
ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଡ଼ଃ ଶାନ୍ତନୁ କୁମାର ରଥ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼ଃ ପ୍ରସନ୍ନ କୁମାର ସ୍ୱାଇଁ ଯୋଗ ଦେଇ ଜନ୍ମ ଠାରୁ ମୃତ୍ୟୁ ଯାଏଁ ସାହିତ୍ୟ ମଣିଷର ସାଥି ଓ ଏହା ସମାଜକୁ ସୁଧାରିବାରେ ସକ୍ଷମ ବୋଲି ବୈଦିକ ଯୁଗରୁ ଏ ଯାଏଁ ସାହିତ୍ୟର ପ୍ରକୃତି ଓ ପ୍ରସାରଣ ବିଷୟରେ ଆଲୋକପାତ କରିଥିଲେ।
ଏହି ଅବସରରେ ଡ଼ଃ.ବୃଷକେତୁ ଦାଶଙ୍କ ୨ଗୋଟି ପୁସ୍ତକ , ଡ଼ଃ .ସତ୍ୟନାରାୟଣ ରାଜଗୁରୁଙ୍କ ଏକ ପ୍ରବନ୍ଧ ସଙ୍କଳନ , କବି ଘନଶ୍ୟାମ ଜେନାଙ୍କ ଗୋଟିଏ ଲୀଳା ନାଟକ , ଇଁ ଅରକ୍ଷିତ ପାତ୍ରଙ୍କ "ସ୍ୱର ଏକ ସୈନିକର ଲୋକାର୍ପଣ କରାଯାଇଥିଲା।
ଅତିଥି ମାନଙ୍କ ଦ୍ଵାରା ଡ଼ଃ ପ୍ରସନ୍ନ କୁମାର ସ୍ୱାଇଁ ଅବସରପ୍ରାପ୍ତ ପ୍ରଶାସକ , କବି ଜଗନ୍ନାଥ ବେହେରା , ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ଼ଃ ବୃଷକେତୁ ଦାସ , ଡ଼ଃ ଚନ୍ଦ୍ରଶେଖର ଦାସ , କବୟିତ୍ରୀ ଶ୍ରୀମତୀ ପଦ୍ମିନୀ ମିଶ୍ର , ନୃତ୍ୟ ଶିଳ୍ପୀ ସୁଶ୍ରୀ ଡି. ପ୍ରିୟଙ୍କା , କବି ଡମ୍ବରୁଧର ବେହେରା , କବି ଘନଶ୍ୟାମ ଜେନା ଓ କବି ଅରକ୍ଷିତ ପାତ୍ରଙ୍କୁ "ସିଦ୍ଧାନ୍ତ" ସମ୍ମାନରେ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସିଦ୍ଧାନ୍ତ ସାହିତ୍ୟ ଅନୁଷ୍ଠାନର ସଭାପତି ଡ଼ଃ ଅନ୍ନପୂର୍ଣ୍ଣା ଦେବୀ ସଭାପତିତ୍ୱ କରିଥିବା ବେଳେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ବିଶିଷ୍ଠ ସାହିତ୍ୟିକ ତଥା ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସଂଯୋଜନା କରିଥିଲେ ।
ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ଼ଃ.କଲ୍ୟାଣୀ ମିଶ୍ର , ଆଚାର୍ଯ୍ୟ ବିନୋଦଚନ୍ଦ୍ର ଜେନା , ସାହିତ୍ୟକ ବିଚିତ୍ରାନନ୍ଦ ବେବର୍ତ୍ତା ଓ ଆଶାଲତା ପାଣିଗ୍ରାହୀ ଯାଥାକ୍ରମେ ଅତିଥି ଆବାହନ , ପରିଚୟ ପ୍ରଦାନ , ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ।
ଖ୍ୟାତି ସଂପନ୍ନା ଓଡିଶୀ ନୃତ୍ୟାଙ୍ଗନା ଡି.ପ୍ରିୟଙ୍କାଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ ଚିତ୍ତାକର୍ଷକ ହୋଇଥିଲା। ସ୍ବର୍ଣ୍ଣପ୍ରଭା ପାଠୀ , ମିନାକୁମାରୀ ଟହଲ , ସବିତା ପଟ୍ଟନାୟକ , ସାରଳା ଦାସ , ଅଞ୍ଜନା ଦାସ , ଅନୁଶ୍ରୀ ପଟ୍ଟନାୟକ , ବରଦା ଆଚାର୍ଯ୍ୟ ଓ ଡ଼ଃ ରଶ୍ମିତା ପାତ୍ର ମାନପତ୍ର ପାଠ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ତ୍ରିପତି ପ୍ରସାଦ ପଣ୍ଡା , ମୁରଲୀଧର ପରିଚ୍ଛା , ନିତ୍ୟାନନ୍ଦ ଚୌଧରୀ , ବିଷ୍ଣୁ ଚରଣ ପଣ୍ଡା , ଶରତ ଚନ୍ଦ୍ର ସାହୁ, ଭାଗବତ ପାଢୀ , ଗଣେଶ କୁମାର ରାଜୁ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।