ବାଲ୍ୟ ବିବାହ ରୋକିବା ନିମନ୍ତେ “ପ୍ରଚେଷ୍ଟା” ଅଭିଯାନ
“ଜିଲ୍ଲା ସଦର ମହକୁମାରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ସହର ପରିକ୍ରମା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ”
ରାୟଗଡ(ସରୋଜ କୁମାର ସାହୁ): ଜିଲ୍ଲା ପ୍ରଶାସନ ରାୟଗଡ ଦ୍ୱାରା ବଲ୍ୟ ବିବାହ ନିରାକରଣ ଓ କିଶୋରୀ ସଶକ୍ତିକରଣ ପାଇଁ ଚାଲିଥିବା “ପ୍ରଚେଷ୍ଟା” ଅଭିଯାନ ମାଧ୍ୟମରେ ଗୋଟିଏ ଦିନରେ ଏକା ସମୟରେ ୪ ଲକ୍ଷ ଲୋକ ନିଜ ନିଜ ଅଂଚଳରେ ବାଲ୍ୟ ବିବାହ ରୋକିବା ନେଇ ଶପଥ ପାଠ କରିଥିଲେ । ସମୂର୍ଣ୍ଣ ଖବରରୁ ପ୍ରକାଶ ଯେ, ରାଜ୍ୟ ସରକାର ଓ ରାୟଗଡ ଜିଲ୍ଲା ପ୍ରଶାସନ, ଆକସନଏଡ ଓ ୟୁନିସେଫର ମିଳିତ ଉଦ୍ୟମରେ ବିଭିନ୍ନ ବିଭାଗ ସହିତ ମିଳିତ ଆଲୋଚନା ଓ ସମନ୍ୱୟ କ୍ରମେ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟ ଖସଡା ପ୍ରସ୍ତୁତ କରିଥିଲେ । ଏହି କାର୍ଯ୍ୟ ଖସଡାର ଅଂଶ ସ୍ୱରୂପ ଆଜି ଲୋକ ମାନଙ୍କୁ ସଚୋତନ କରିବା ପାଇଁ ଏକ ମାନବ ଶୃଙ୍ଖଲ ମାଧ୍ୟମରେ ଝିଅକୁ ୧୮ ବର୍ଷ ପୂର୍ବରୁ ଓ ପୁଅକୁ ୨୧ ବର୍ଷ ପୂର୍ବରୁ ବିବାହ କରାଇବେ ନାହିଁ, ନିଜ ଅଂଚଳରେ ବାଲ୍ୟ ବିବାହ ହେଉଥିବାର ନଜରକୁ ଆସିଲେ ସେମାନଙ୍କୁ ବିବାହ ନ କରାଇବା ପାଇଁ ବୁଝାଇବେ, ଯଦି ଆବଶ୍ୟକ ପଡେ ଚାଇଲ୍ଡ ଲାଇନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ପୋଲିସ, ଅଙ୍ଗନୱାଡି କର୍ମୀ, ଅଙ୍ଗନୱାଡି ସୁପରଭାଇଜର ଓ ସିଡିପିଓଙ୍କୁ ଜଣାଇବେ ବୋଲି ଶପଥ ପାଠ କରାଇଥିଲେ । ପ୍ରକାଶ ଥାଉକି ଗତ ଦିନ ମାନଙ୍କରେ ବିଭିନ୍ନ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ ମାନଙ୍କର ଫଳ ସ୍ୱରୂପ ଜିଲ୍ଲାର ୫୫୯ ଗୋଟି ଗ୍ରାମକୁ ବଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇ ପାରିଛି । ଏହି ସଫଳତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଲୋକମାନଙ୍କ ମଧ୍ୟରେ ଆହୁରି ଅଧିକ ସଚେତନତା ସୃଷ୍ଟି କରିବା ନିମନ୍ତେ ପୁଣି ଥରେ ମାନବ ଶୃଙ୍ଖଳ ଓ ଗଣ ଶପଥ ପାଠର ଆୟୋଜନ କରିଥିଲେ । ଏହି ଅବସରରେ ରାୟଗଡ ସଦର ମହକୁମା ଠାରେ ପ୍ରାୟ ୫୦୦ ଜଣ ଜନସାଧାରଣ ଶପଥ ପାଠ କରି ଏକ ର୍ୟାଲି ମାଧ୍ୟମରେ ସହର ପରିକ୍ରମା କରିଥିଲେ । ଆଗାମୀ ଦିନ ମାନଙ୍କରେ ସମସ୍ତ ଧାର୍ମିକ ଅନୁଷ୍ଠାନ ର ମୂଖ୍ୟ ମାନେ ନିଜର ଧାର୍ମିକ ସ୍ଥଳ ମାନଙ୍କରେ ଯେପରି ଗୋଟିଏ ମଧ୍ୟ ବାଲ୍ୟ ବିବାହ ନ ହୁଏ ସେଥିନେଇ ସଚେତନ ରହିବା ସହ ତଦାରଖ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ମିଶ୍ର ଆହ୍ୱାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକ ଶ୍ରୀ ମନୋରଞ୍ଜନ ମିଶ୍ର, ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ରାୟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ସାବତ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତି ଯାଜ୍ଞସେନୀ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଶ୍ରୀ ଭୀମସେନ ଶବର, ଓରମାସ ଡେପୁଟି ସିଇଓ ଶ୍ରୀ ମନୋଜ କୁମାର ପାତ୍ର, ଓଡିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ରୀ ହେମନ୍ତ କୁମାର ବାଗ, ଆକ୍ସନଏଡର ଜିଲ୍ଲା ପରାମର୍ଶଦାତା ଶ୍ରୀ ରତ୍ନେଶ୍ୱର ସାହୁ, ସମନ୍ୱିତ ଶିଶୁ ବିକାଶ ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତି କାମାକ୍ଷା ମଞ୍ଜରୀ ପାଢୀ, ରାୟଗଡ ଆଇସିଡିଏସ ପ୍ରକଳ୍ପର ସମସ୍ତ ସୁପରଭାଇଜର, ମିଶନ ଶକ୍ତିର ବ୍ଲକ ସଂଯୋଜକ ଶ୍ରୀ ରାଜୀବ ପାଢୀଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ସେହିପରି ଗ୍ରାମ ଓ ବ୍ଲକ ସ୍ତରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ସମସ୍ତ ସୁପରଭାଇଜର, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ମିଶନ ଶକ୍ତିର ବ୍ଲକ ପ୍ରକଳ୍ପ ସଂଯୋଜକ ଓ ଓଡିଶା ଜୀବିକା ମିଶନର ବ୍ଲକ ପ୍ରକଳ୍ପ ପରିଚାଳକ ମାନଙ୍କ ଦ୍ୱାରା ଏହି ମାନବ ଶୃଙ୍ଖଳ ଓ ଗଣ ଶପଥ ପାଠ ଗୋଟିଏ ଦିନରେ ଏକା ସମୟରେ ଅନୁଷ୍ଠିତ ହୋଇଥିଲା ।