ଭୁବନେଶ୍ୱର: ଆର୍ସେଲର ମିତଲ ନିପନ୍ ଷ୍ଟିଲ ଇଣ୍ଡିଆ ଲିମିଟେଡ୍ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ଭାରତରେ ବ୍ୟବସାୟ ବିସ୍ତାର କରିବା ପାଇଁ ଆସନ୍ତା ୧୦ ବର୍ଷ ମଧ୍ୟରେ ପ୍ରାୟ ୧ଲକ୍ଷ କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା ରଖିଛି ।
ଇନ୍ଟିଗ୍ରେଟେଡ ଫ୍ଲାଟ୍ ଷ୍ଟିଲ ଉତ୍ପାଦକ, ଏଏମ୍/ଏନ୍ଏସ୍ ଇଣ୍ଡିଆ ପଶ୍ଚିମ ଭାରତର ଅଗ୍ରଣୀ ଉସ୍ପାତ ଉତ୍ପାଦନକାରୀ ସଂସ୍ଥା ଭାବେ ପରିଚିତ । ଏହାର ମୁଖ୍ୟ ପ୍ଲାଣ୍ଟ ଗୁଜୁରାଟର ହାଜିରା ଠାରେ ଅବସ୍ଥିତ ।ହାଜିରା ଠାରେ ଥବା ଏହି ପ୍ଲାଣ୍ଟର ଉତ୍ପାଦନ କ୍ଷମତାକୁ ୧୮ ମିଲିୟନ ଟନ୍ ଏବଂ ଓଡ଼ିଶାର କେନ୍ଦ୍ରାପଡା ଠାରେ ଏକ ୧୨ ଏମ୍ଟି କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ ସ୍ଥାପନା କରିବାକୁ ଯୋଜନା ରଖିଛି । ଏହି ସମ୍ବନ୍ଧରେ ଏଏମ୍/ଏନ୍ଏସ୍ ଇଣ୍ଡିଆର ସିଇଓ, ଦିଲ୍ଲୀପ ଓମେନ କହିଲେ ‘ଆମେ ଯେଉଁଠାରେ ଆଗ ଅନୁମୋଦନ ପାଇବୁ ସେଠାରେ ଇନ୍ଟିଗ୍ରେଟେଡ୍ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ସ୍ଥାପନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବୁ । ଆମେ ହାଜିରା ଠାରେ ୫୦,୦୦୦କୋଟି ବିନିଯୋଗ କରୁଥିବା ବେଳେ ଓଡିଶାରେ ମଧ୍ୟ ସମପରିମାଣର ବିନିଯୋଗ କରୁଛୁ । ଏହି ସମସ୍ତ ବିନିଯୋଗ ଜାତୀୟ ସ୍ତରରେ ଇସ୍ପାତ ନିର୍ମାଣ କ୍ଷମତାକୁ ୩୦୦ ଏମ୍ଟି ବୃଦ୍ଧି କରିବାକୁ ଭାରତର ଲକ୍ଷକୁ ସହଯୋଗ କରିବ ।’
ପରିବେଶଗତ ସ୍ଥିରତା ବଜାୟ ରଖିବା ଦିଗରେ ନିଜର କାର୍ଯ୍ୟକମ୍ର ଅନ୍ତର୍ଗତ ଏଏମ୍/ଏନ୍ଏସ୍ ଇଣ୍ଡିଆ ପୁନଃନବୀକରଣୀୟ ଶକ୍ତି, ସୌରଶକ୍ତି ଏବଂ ବୈଦ୍ୟୁତିକ ଶକ୍ତି ଉତ୍ପାଦନ କ୍ଷେତ୍ରରେ ପ୍ରବେଶ କରୁଛି । ସବୁଜଇସ୍ପାତ ଉତ୍ପାଦନ କରିବା କ୍ଷେତ୍ରରେ କମ୍ପାନୀର ବୈଦୁ୍ୟତିକ ଶକ୍ତି ଆବଶ୍ୟକତାର ପ୍ରମୁଖ ଉପାଦନ ହେଉଛି ପୁନଃନବୀକରଣୀୟ ଶକ୍ତି । ପୁନଃନବୀକରଣୀୟ ଶକ୍ତିର ବ୍ୟବସାୟ ପ୍ରତିଷ୍ଠା ପାଇଁ ଆମର ଲକ୍ଷ ରହିଛି ଏବଂ ଜମି କ୍ରୟ ନେଇ ଆମେ ସରକାରଙ୍କ ସହ ଆଲୋଚନା କରୁଛୁ ବୋଲି ଓମେନ କହିଛନ୍ତି ।
ଲଜିଷ୍ଟିକ କ୍ଷେତ୍ରରେ ସହଯୋଗ ପାଇଁ କମ୍ପାନୀ ଜେଟି ନିର୍ମାଣ କରିବାକୁ ଲକ୍ଷ ରଖିଛି । ଓଡିଶା ପାଇଁ ଏଏମ୍/ଏନ୍ଏସ୍ ଇଣ୍ଡିଆ ପାରାଦୀପ ଏବଂ କେନ୍ଦ୍ରାପଡାରେ ଦୁଇଟି ଜେଟିନିର୍ମାଣ କରୁଛି ଏବଂ ଜେଟିଗୁଡିକ ଏହାର ଲଜିଷ୍ଟିକ କ୍ଷେତ୍ରରେ ଅନେକ କାର୍ଯ୍ୟ କରିବ ବୋଲି କମ୍ପାନୀ ଆଶାବାଦୀ ।
ଏଏମ୍/ଏନ୍ଏସ୍ ଇଣ୍ଡିଆର ଦୁଇଟି ଲୁହାପଥର ଖଣି ରହିଛି । ଠାକୁରାଣୀ ଏବଂ ସାଗାସାହି ଠାରେ ଥିବା ଏହି ଖଣି କମ୍ପାନୀର ଜରୁରୀକାଳୀନ ଆବଶ୍ୟକତାକୁ ପୂରଣ କରିଥାଏ । କଞ୍ଚାମାଲର ଆବଶ୍ୟକତା ପୂରଣ କରିବାକୁ ସୁନିଶ୍ଚିତ କରିବା ପାଇଁ କମ୍ପାନୀ ଖଣି ନିଲାମରେ ଭାଗ ନେବାକୁ ଯୋଜନା ରଖିଛି ,କିନ୍ତୁ ପ୍ରିମିୟମ ଦରରେ ନୁହେଁ ବରଂ ସଠିକ ଦରରେ ବୋଲି କହିଛନ୍ତି ଓମେନ ।