ବଲାଙ୍ଗୀର-ରନ୍ଧନ ଗ୍ୟାସ ଓ ଅତ୍ୟାବଶକୀୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ବିରୋଧରେ ବିଜୁ ମହିଳା ଜନତା ଦଳ ତରଫରୁ ସାରା ରାଜ୍ୟରେ ପ୍ରତିବାଦ ସଭା ମାନ ଆୟୋଜନ କରାଯାଇଛି । ସେହି କ୍ରମରେ ଆଜି ବଲାଙ୍ଗିର ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ବିଜୁ ମହିଳା ଜନତା ଦଳର ଶହ ଶହ ମହିଳା କର୍ମି ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ବଲାଙ୍ଗିର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।
ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାପତି ଦମୟନ୍ତି ବାଗଙ୍କ ନେତୃତ୍ୱରେ ହୋଇଥିବା ଏହି ପ୍ରତିବାଦ ସଭା ରେ କୁହାଯାଇଛି ଯେ, ମୋଦୀ ସରକାର ଭାରତବାସୀଙ୍କୁ ଅଚ୍ଛେ ଦିନ ର ସ୍ୱପ୍ନ ଦେଖାଇ କେନ୍ଦ୍ର ଗାଦିକୁ ଆସିଥିଲେ । କିନ୍ତୁ , ରନ୍ଧନ ଗ୍ୟାସ ତଥା ଅତ୍ୟବଶକୀୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ସମୟରେ ଘର ଚଳାଇବା ମହିଳାମାନଙ୍କ ପାଇଁ ଦଃସ୍ୱପ୍ନ ରେ ପରିଣତ ହୋଇଛି । ରନ୍ଧନ ଗ୍ୟାସ, ଖାଇବା ତେଲ ଓ ଡାଲି ଦର ଦିନକୁ ଦିନ ଆକାଶ ଛୁଇଁବାରେ ଲାଗିଛି । ଲୋକେ ସ୍ୱଳ୍ପ ଆୟରେ ପରିବାର କେମିତି ପୋଷଣ କରିବେ ତାହା ନେଇ ଚିନ୍ତାରେ ଅଛନ୍ତି । ୨୦୧୬-୧୭ରେ ମାତ୍ର ୫୫୦ଟଙ୍କାରେ ରନ୍ଧନ ଗ୍ୟସ ମିଳୁଥିବା ବେଳେ ୨୦୧୭-୧୮ ରେ ୬୫୩ଟଙ୍କା, ୨୦୧୮-୧୯ରେ ୭୬୮ ଟଙ୍କା , ୨୦୧୯-୨୦ରେ ୬୯୫ଟଙ୍କା, ୨୦୨୧ ଜୁଲାଇ ମାସରେ ୮୨୨ ଟଙ୍କା ଓ ଦରବୃଦ୍ଧି ଘଟି ଏହା ଏବେ ୧୦୦୦ଟଙ୍କା କୁ ଛୁଇଁବାକୁ ବସିଲାଣି । ସେହିପରି ମୁଖଫଲି,ଶୋରିଷ, ବନସ୍ପତି,ସୁର୍ଯ୍ୟମୁଖୀ ଓ ପାମ ତେଲ ସହିତ ରାହାଡି ,ମୁଗ, ମସୁରି, ଚଣା ଡାଲି ଆଦିର ଦରବୃଦ୍ଧି ପ୍ରତି ବର୍ଷ ୪୪% ଦରରେ ବଢି ଚାଲିଛି । ହେଲେ ଲୋକଙ୍କ ଦୁର୍ଦ୍ଦିନ ପାଇଁ ଦାୟୀ କେନ୍ଦ୍ର ସରକାର ଦରଦାମ ନିୟନ୍ତ୍ରଣ କରିବା ପରିବର୍ତ୍ତେ ଏହାକୁ ଦିନକୁ ଦିନ ଆହୁରି ବଢାଇବାରେ ମାତିଛନ୍ତି । ଯଦ୍ୱାରା ଓଡିଶାର ସାଢେ ଚାରିକୋଟି ଜନସାଧାରଣଙ୍କ ଜିବନ ଯାପନ ବିଶେଷ ଭାବେ ପ୍ରଭାବିତ ହୋଇଛି । ତେଣୁ ମହାମହୀମ ରାଷ୍ଟ୍ରପତି ଏ ବିଷୟ ପ୍ରତି ଦୃଷ୍ଟି ଦେବା ସହ ସମସ୍ତ ଅତ୍ୟାବଶକୀୟ ସାମଗ୍ରୀର ଦରଦାମ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଉପରେ ଚାପ ପ୍ରୟୋଗ କରିବା ପାଇଁ ବିଜୁ ମହିଳା ଜନତା ଦଳ ରାଜ୍ୟ ଉପସଭାପତି ଜ୍ୟୋତି ପାଣୀଗ୍ରାହୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଆଜିର ଏହି ପ୍ରତିବାଦ ସଭାରେ ଜିଲ୍ଲା ମହିଳା ଉପ ସଭାପତି ସନ୍ତୋଷୀନି ବେହେରା, ଲିପିିଶ୍ରୀ ସାଏ, ମମତା ଜେନା, ଗାୟତ୍ରୀ ଚନ୍ଦନ, ରୀନା ଭରାସାଗର, ବାସନ୍ତି ସିଁ ବୁଡେକ, ଅହଲ୍ୟା ସାହୁ, ତୃପ୍ତି ପ୍ରଧାନ, ସରିତା ଦାଶ, ନିଲିମା ପୁଟେଲ, ଆଲ୍ଲାଦିନୀ ସାହୁ, ରିବିକା ବେହେରା, ଗୋଲାପି ବରାଡ, କଲ୍ପନା ସାହୁ ଓ ସୁରୁସିତା ବାଗଙ୍କ ସମେତ ଶତାଧିକ ମହିଳା କର୍ମି ଯୋଗ ଦେଇଥିଲେ ।
ରାଜ୍ୟ
ରନ୍ଧନ ଗ୍ୟାସ ଓ ଅତ୍ୟାବଶକୀୟ ସାମଗ୍ରୀର ଅହେତୁକ ଦରବୃଦ୍ଧି : ବିଜୁ ମହିଳା ଜନତା ଦଳ ତରଫରୁ ପ୍ରତିବାଦ, ରାଷ୍ଟ୍ରପତିଙ୍କୁ ଦାବୀପତ୍ର
- Hits: 307