ଭୁବନେଶ୍ୱର : ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ସମେତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ବିଜେଡି ରଣହୁଙ୍କାର ଦେଇଛି । ବଢି ଚାଲିଥିବା ଦରବୃଦ୍ଧି ଉପରେ ରୋକ ଲଗାଇବାପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ଏଥିରେ ବିଜେଡିର ମହିଳା, ଛାତ୍ର ଓ ଯୁବ ସଂଗଠନ ସାମିଲ ପାଇଁ ନିଷ୍ପତ୍ତି ନିଆଯାଇଛି ।
ତଦନୁଯାୟୀ ଆଗାମୀ ୩୧ ତାରିଖ ଦିନ ରାଜଭବନ ସମ୍ମୁଖରେ ଦରଦାମ ବୃଦ୍ଧି ବିରୁଦ୍ଧରେ ବିଜୁ ଜନତାଦଳ ଓ ତାର ଛାମୁଆ ସଂଗଠନମାନଙ୍କ ଦ୍ୱାରା ଗଣଧାରଣା ଦିଆଯିବ । ଏଥି ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ମାଧ୍ୟମରେ ସ୍ମାରପତ୍ର ପ୍ରଦାନ କରାଯିବ ।
ସେହିଭଳି ନଭେମ୍ବର ୧ତାରିଖରେ ରନ୍ଧନଗ୍ୟାସ, ଖାଇବାତେଲ, ଡାଲି ଏବଂ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ୧୪୭ଟି ଯାକ ନିର୍ବାଚନମଣ୍ଡଳୀରେ ବିଜୁ ମହିଳା ଜନତାଦଳ ପକ୍ଷରୁ ପ୍ରତିବାଦ ସଭା ଆୟୋଜନ ହେବ ।
ନଭେମ୍ବର ୫ରୁ ୭ତାରିଖ ତିନିଦିନ ଧରି ପେଟ୍ରୋଲ, ଡିଜେଲର ଅହେତୁର ଦର ବୃଦ୍ଧି ପ୍ରତିବାଦରେ ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜୁ ଯୁବ ଓ ଛାତ୍ର ଜନତାଦଳ ପକ୍ଷରୁ ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଦିଆଯିବା ପାଇଁ ଦଳ ପକ୍ଷରୁ ସ୍ଥିର ହୋଇଛି ।