ଭୁବନେଶ୍ୱର: ଅନ୍ଲାଇନ୍ ଫର୍ମାଟରେ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍) କାର୍ଯ୍ୟକ୍ରମର ୧୫ତମ ସଂସ୍କରଣର ଶୁଭାରମ୍ଭ କରାଯାଇଛି । ଏହା ଓଡ଼ିଶାର ସମସ୍ତ ବିଦ୍ୟାଳୟର ୬ଷ୍ଠରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଏହି ମର୍ଯ୍ୟଦାଜନକ ଏବଂ ବହୁ ପ୍ରତୀକ୍ଷିତ ବାର୍ଷିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ସୁଯୋଗ ପ୍ରଦାନ କରୁଛି ।
ଟାଟା ଷ୍ଟିଲ ପକ୍ଷରୁ ଓଡ଼ିଶା ସରାକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସହଭାଗିତାରେ ୨୦୦୭ ମସିହାରୁ ‘ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ’ (ୟାଟସ୍) କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମହାକାଶ ବିଜ୍ଞାନ ସମ୍ପର୍କରେ ଆଗ୍ରହ ସୃଷ୍ଟି କରିବା ସହିତ ଲୁକ୍କାୟିତ ବୈଜ୍ଞାନିକ ପ୍ରତିଭା ଓ ଜିଜ୍ଞାସାର ପରିପ୍ରକାଶ ନିମନ୍ତେ ଉକ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଅତୀତରେ ଓଡ଼ିଶା ବହୁ ମହାନ ଜ୍ୟୋତିର୍ବିଜ୍ଞାନୀ ସୃଷ୍ଟି କରିପାରିଛି, ସେମାନଙ୍କ ମଧ୍ୟରୁ ସବୁଠାରୁ ପ୍ରତିଭାବାନ ଓ ବହୁମୁଖୀ ହେଉଛନ୍ତି କିମ୍ବଦନ୍ତୀ ପୁରୁଷ ପଠାଣି ସାମନ୍ତ । ଏହି ମହାନ ବ୍ୟକ୍ତିତ୍ୱଙ୍କ ଜନ୍ମବାର୍ଷିକୀ ପାଳନ ଅବସରରେ ଆସନ୍ତା ଡିସେମ୍ବର ୧୩ ତାରିଖରେ ୟାଟସ୍ ଫାଇନାଲ ସହିତ ରାଜ୍ୟବ୍ୟାପୀ ଆୟୋଜିତ ହେବାକୁଥିବା ଏହି କାର୍ଯ୍ୟକ୍ରମର ସମାପନ ହେବ । ଗତ ୧୪ ବର୍ଷ ମଧ୍ୟରେ ୨ ଲକ୍ଷରୁ ଉର୍ଧ୍ଵ ଯୁବ ବିଜ୍ଞାନ ପ୍ରେମୀ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବାବେଳେ ୧୬୦ ଜଣ ବିଜୟୀ ଛାତ୍ରଛାତ୍ରୀ ଭାରତରେ ଥିବା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର ଏକ ପ୍ରମୁଖ କେନ୍ଦ୍ର ପରିଦର୍ଶନ କରିବାର ସୁଯୋଗ ଲାଭ କରିଛନ୍ତି ।
ଏହି କାର୍ଯ୍ୟକ୍ରମର ପରିସୀମାକୁ ବୃଦ୍ଧି କରିବା ସହିତ ବିଦ୍ୟାଳୟ ଖୋଲିନଥିବା ସ୍ଥାନର ଛାତ୍ରଛାତ୍ରୀମାନଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରିବା ପାଇଁ ଚଳିତ ବର୍ଷ ୟାଟସ୍ର ଡିଜିଟାଲ ସଂସ୍କରଣର ଶୁଭାରମ୍ଭ କରାଯାଇଛି । ଦୁଇଟି ଗ୍ରୁପ୍ରେ ଉକ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ୬ଷ୍ଠରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଜୁନିୟର ଓ ୯ମ ରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ସିନିୟର ଗ୍ରୁପ୍ରେ ବିଭକ୍ତ କରାଯାଇଛି । ଆଗ୍ରହୀ ଛାତ୍ର ଛାତ୍ରୀମାନେ ଅନ୍ଲାଇନରେ www.bit.ly/YATS2021 ରେ ମାଗଣାରେ ପଞ୍ଜୀକରଣ କରିପାରିବେ । କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ଓ ସହାୟତା ନମ୍ବରଗୁଡ଼ିକ ପଞ୍ଜୀକରଣ କରାଯାଉଥିବା ୱେବ୍ସାଇଟ୍ରେ ଉପଲବ୍ଧ ରହିଛି । ପ୍ରତିଯୋଗୀମାନେ ନିଜ ଇଛା ଅନୁସାରେ ଓଡ଼ିଆ କିମ୍ବା ଇଂରାଜୀ ଭାଷାରେ ଅଂଶଗ୍ରହଣ କରିପାରିବେ । ପଞ୍ଜୀକରଣ ପରେ ଛାତ୍ରଛାତ୍ରୀମାନଙ୍କୁ ସମ୍ପର୍କିତ ପଠନ ଉପରକଣ ଯୋଗାଇ ଦିଆଯିବ । ନଭେମ୍ବର ୨୯ରୁ ଡିସେମ୍ବର ୫ ମଧ୍ୟରେ ଅନ୍ଲାଇନ୍ ପରୀକ୍ଷା ଆୟୋଜନ କରାଯିବ । ଏହି ଅବଧି ମଧ୍ୟରେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନେ ନିଜ ସୁବିଧା ଅନୁସାରେ ଅନ୍ଲାଇନ୍ ପରୀକ୍ଷା ଦେଇପାରିବେ । ଅନ୍ଲାଇନ୍ ଫର୍ମାଟ୍ ସହିତ ପରିଚିତ ହେବା ପାଇଁ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନେ ୨୭ ଓ ୨୮ ନଭେମ୍ବରରେ ହେବାକୁଥିବା ଅନୁକରଣୀୟ ପରୀକ୍ଷାରେ ଉପସ୍ଥିତ ରହିବା ପାଇଁ ଚୟନ କରିପାରିବେ ।
ଅନ୍ ଲାଇନ୍ ପରୀକ୍ଷା ଆଧାରରେ ଜୁନିୟର ଗ୍ରୁପର ଜିଲ୍ଲାସ୍ତରୀୟ ଶ୍ରେଷ୍ଠ ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯିବ । ସିନିୟର ଗ୍ରୁପ୍ରେ ପ୍ରତ୍ୟେକ ଜିଲ୍ଲାର ୨ଜଣ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଦୁଇ ଦିନିଆ (୧୨ ଓ ୧୩ ଡିସେମ୍ବର, ୨୦୨୧) ଅନ୍ଲାଇନ୍ କର୍ମଶାଳା, ବିଶେଷଜ୍ଞଙ୍କ ଅଧିବେସନ, ଦଳଗତ ଆଲୋଚନା, ବ୍ୟକ୍ତିଗତ ସାକ୍ଷାତକାର ପାଇଁ ଆମନ୍ତ୍ରିତ କରାଯିବ ଓ ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୨୦ ଜଣ ବିଜେତାଙ୍କୁ ଚୟନ କରାଯିବ । ଡିସେମ୍ବର ୧୩ ତାରିଖରେ ଆୟୋଜିତ ହେବାକୁଥିବା ଉଦ୍ୟାପନୀ ସମାରୋହରେ ବିଜେତାମାନଙ୍କୁ ସମ୍ମାନିତ କରାଯିବ । ଉଭୟ ଜୁନିୟର ଓ ସିନିୟର ଗ୍ରୁପ୍ର ବିଜେତାମାନଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବ ।
ଏହି ଅବସରରେ ଟାଟା ଷ୍ଟିଲ କର୍ପୋରେଟ୍ ସର୍ଭିସେସ୍ ବିଭାଗ ଭାଇସ ପ୍ରେସିଡେଂଟ ଶ୍ରୀ ଚାଣକ୍ୟ ଚୌଧୁରୀ କହିଛନ୍ତି ଯେ, “ଚଳିତ ବର୍ଷ ୟାଟସ୍ର ୧୫ତମ ସଂସ୍କରଣ ପାଳନ ଅବସରରେ ଆମେ ଏଥିରେ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ସହିତ ଏହାକୁ ଆହୁରି ଉଚ୍ଚ ସ୍ତରକୁ ନେବା ପାଇଁ ଏହାର ଫର୍ମାଟ୍ରେ କିଛିଟା ପରିବର୍ତ୍ତନ କରିଛୁ । ୟାଟସ୍ ଏହାର ନୂତନ ଡିଜିଟାଲ ଫର୍ମାଟ୍ ମାଧ୍ୟମରେ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ନିଜ ସୁବିଧା ଓ ସମୟରେ ଘରେ ରହି ଏହି କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପ୍ରଦାନ କରୁଛି । ଏହି କାର୍ଯ୍ୟକ୍ରମକୁ ଉଚ୍ଚସ୍ତରକୁ ନେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଆଗାମୀ ବର୍ଷଗୁଡ଼ିକରେ ଆମେ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ବିଜ୍ଞାନକୁ ପ୍ରୋତ୍ସାହିତ କରିବା ପାଇଁ ଏହାକୁ ଅଧିକରୁ ଅଧିକ ରୁଦ୍ଧିମନ୍ତ କରିବାକୁ ପ୍ରୟାସ କରିବୁ । ଏହି ଅନନ୍ୟ ଉଦ୍ୟମ ପାଇଁ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ଏବଂ ଓଡ଼ିଶା ସରକାରଙ୍କ ସହ ଆମର ସହଭାଗିତାକୁ ନେଇ ଆମେ ଗର୍ବିତ । ସମସ୍ତ ପ୍ରତିଯୋଗୀମାନଙ୍କୁ ୟାଟସ୍-୨୦୨୧ ପାଇଁ ମୋର ଶୁଭକାମନା ।