ଦାବି ପୁରଣ ନହେଲେ ନଭେମ୍ବର ୧ ରୁ ଜଳ ଯୋଗାଣ ବନ୍ଦ କରିବାକୁ ଚେତାବନୀ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ୧୯୯୫ ମସିହା ଠାରୁ ସରକାରଙ୍କ ପକ୍ଷରୁ ସ୍ୱାବଲମ୍ବୀ କାରିଗର ଓ ପମ୍ପ ଅପରେଟର ମାନଙ୍କୁ ନିଯୁକ୍ତି ଦିଆଯାଇଛି । ମାସିକ ୨ ହଜାରଟଙ୍କା ପାରିଶ୍ରମିକରେ ଦିନକୁ ୮ ଘଣ୍ଟା ପରିଶ୍ରମ କରି ଗ୍ରାମ୍ୟ ଜନ ସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଆସୁଛନ୍ତି । ସରକାରୀ ହେଉ ଅବା ବେସରକାରୀ କର୍ମଚାରୀ ମାନଙ୍କର ସମୟ କ୍ରମେ ଦରମା ଭତା ବୃଦ୍ଧି ହୋଇ ଚାଲିଛି । ହେଲେ କରୋନା କାଳରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ଘଟିଥିବା ବେଳେ ମାତ୍ର ୨ ହଜାର ଟଙ୍କାର ପାରିଶ୍ରମିକରେ ପରିବାର ପ୍ରତିପୋଷଣ କରିବା ଦୁର୍ବିସହ ହୋଇ ପଡ଼ିଛି । ଏ ସମସ୍ତ ବିଷୟ ପ୍ରତି ସରକାର ଦୃଷ୍ଟି ଦେଇ ଅକ୍ଟୋବର ମାସ ସୁଦ୍ଧା ମାସିକ ପାରିଶ୍ରମିକ ୨୫ ହଜାର ଟଙ୍କାକୁ ବୃଦ୍ଧି, ସରକାରୀ ଚାକିରୀ ମାନ୍ୟତା ପ୍ରଦାନ, କାର୍ଯ୍ୟରତ କର୍ମଚାରୀଙ୍କୁ ୨୦ ଲକ୍ଷ ମୃତ୍ୟୁ କାଳିନ ସହାୟତା ଓ ଜଣକୁ ଚାକିରୀ ପ୍ରଦାନ ଆଦି ୭ ଦଫା ଦାବି ନେଇ ଓଡ଼ଗାଁ ଏସ.ଇ.ଏମ୍ ସଙ୍ଘ ପକ୍ଷରୁ ବିଡ଼ିଓ ସ୍ୱାତିଲେଖା ଦାସ ଓ ଗ୍ରାମ୍ୟ ଜଳଯୋଗାଣ ଏବଂ ପରିମଳ ବିଭାଗର କନିଷ୍ଠଯନ୍ତ୍ରୀ ସୁବାଷ ଚନ୍ଦ୍ର ସ୍ବାଇଁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଯଥାଶୀଘ୍ର ସମସ୍ୟା ସମାଧାନ କରାନଗଲେ ନଭେମ୍ବର ୧ ତାରିଖ ଠାରୁ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବା ସହିତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜଳ ଯୋଗାଣ ବନ୍ଦ କରି ଧାରଣାରେ ବସିବାକୁ ସଂଘ ପକ୍ଷରୁ ଚେତାଵନୀ ଦିଆଯାଇଛି।