ହେଡଲାଇନସ୍:

ନୀରବତା ଭାଙ୍ଗିଲେ ଦିବ୍ୟଶଙ୍କର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • "ମା’ ମାଣିକେଶ୍ୱରୀଙ୍କ ନାମରେ ଶପଥ ଖାଉଛି, ମୋର ସାମାନ୍ୟତମ ସମ୍ପର୍କ ନାହିଁ"

  • ପ୍ରମାଣିତ ହେଲେ କେବଳ ମନ୍ତ୍ରୀପଦରୁ ଇସ୍ତଫା କଣ, ରାଜନୀତି ଛାଡ଼ିଦେବି

  • ତିନୋଟି ଗଣମାଧ୍ୟମ ମୋତେ ଉଦ୍ଦେଶ୍ୟମୂଳକ ଭାବେ ବଦନାମ କରିବାକୁ ଅପଚେଷ୍ଟା କରିଛନ୍ତି'

ଭୁବନେଶ୍ୱର : ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ରାଜ୍ୟବ୍ୟାପୀ ତୁମ୍ବିତୋଫାନ | ବିଜେପି ନେତା ବୈଜୟନ୍ତ ପଣ୍ଡା ଓ ସଂସଦ ଅପରାଜିତା ଷଢଙ୍ଗି ଏହାକୁ ଜାତୀୟ ସ୍ତରରେ ଉଠାଇବା ସହ ବିରୋଧୀ ଦଳ ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ ଚାଲିଛି ମମିତାଙ୍କୁ ପରିବାରକୁ ନ୍ୟାୟ ଦେବା ପାଇଁ | ଏହି ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ କରି ତାଙ୍କ ବହିଷ୍କାର ଦାବି ଜୋରଦାର କରିଛନ୍ତି କଂଗ୍ରେସ ଓ ବିଜେପି | ମନ୍ତ୍ରୀଙ୍କ ସାତପୁରୁଷ ଉଦ୍ଧାର କରି ତାଙ୍କୁ ଚରିତ୍ରହୀନ ଓ ଲମ୍ପଟ ବୋଲି ବିରୋଧୀ ଦଳ, ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଅଭିହିତ କରିବା ପରେ ଶେଷରେ ଆଜି ନୀରବତା ଭାଙ୍ଗିଛନ୍ତି ଦିବ୍ୟଶଙ୍କର ଏକ ଲିଖିତ ବିବୃତି ଜାରି କରି । ମମିତା ହତ୍ୟାକାଣ୍ଡକୁ ନେଇ ସେ ଗଭୀର ମର୍ମାହତ ଏବଂ ଆଇନ ଅନୁଯାୟୀ ଦୋଷୀଙ୍କୁ ଦଣ୍ଡ ଦିଆଯାଉ ବୋଲି କହିବା ସହ ମା’ ମାଣିକେଶ୍ୱରୀଙ୍କ ନାମରେ ଶପଥ ଖାଇ ଏହି ଅପରାଧ ସହ ତାଙ୍କର ସାମାନ୍ୟତମ ସମ୍ପର୍କ ନାହିଁ ବୋଲି କହିଛନ୍ତି । ତାଙ୍କ ବିରୋଧରେ ବିରୋଧୀ ଦଳ ଆଣିଥିବା ଅଭିଯୋଗର ପ୍ରମାଣ ଦେବା ପାଇଁ ଆହ୍ୱାନ ଦେବା ସହିତ ଅଭିଯୋଗ ପ୍ରମାଣିତ ହେଲେ କେବଳ ମନ୍ତ୍ରୀପଦରୁ ଇସ୍ତଫା କାହିଁକି, ରାଜନୀତିରୁ ସନ୍ୟାସ ନେବେ ବୋଲି କହିଛନ୍ତି । ଏହା ସହିତ କପୋଳକଳ୍ପିତ ଅଭିଯୋଗ ଆଣି ତାଙ୍କୁ କିଛି ଗଣମାଧ୍ୟମ ବଦନାମ କରିଛନ୍ତି ଓ ମାନସିକ ନିର୍ଯାତନା ଦେଇଛନ୍ତି | ସେ ସବୁ ପ୍ରମାଣିତ ହେଲେ କେବଳ ମନ୍ତ୍ରୀପଦରୁ ଇସ୍ତଫା କାହିଁକି, ରାଜନୀତିରୁ ସନ୍ୟାସ ନେବି ବୋଲି କହିଛନ୍ତି ଦିବ୍ୟଶଙ୍କର ।
ସେ ଆଜି ଜାରି କରିଥିବା ବିବୃତ୍ତିକୁ ଅବିକଳ ଆମେ ପାଠକଙ୍କ ଅବଗତି ନିମନ୍ତେ ଉପସ୍ଥାପିତ କରୁଛୁ |
"୧-ସୁଶ୍ରୀ ମମିତା ମେହେରଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ପାଇଁ ମୁଁ ଗଭୀର ଭାବେ ଦୁଃଖିତ ଓ ମର୍ମାହତ । ମୁଁ ଜଣେ ବାପା ଓ ମମିତାଙ୍କ ପରିବାର କିଭଳି ଦୁଃଖ ଓ ଯନ୍ତ୍ରଣାରେ ଅଛନ୍ତି ତାହା ମୁଁ ବୁଝିପାରୁଛି । ମମିତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି । ଆଇନ ଅନୁଯାୟୀ ଦୋଷୀମାନଙ୍କୁ କଠୋର ଦଣ୍ଡ ଆବଶ୍ୟକ ।
୨-ରାଜନୀତିରେ ଯୋଗଦେବା ପୂର୍ବରୁ, ମୁଁ ଏହି ଦେଶର ସଶସ୍ତ୍ର ବାହିନୀରେ କାର୍ଯ୍ୟ କରିଥିଲି; ମୁଁ ବାୟୁସେନାରେ ଥିଲି । ବାୟୁସେନାରେ ମୁଁ ଗୋଟିଏ କଥା ଶିଖିଛି; ନିଜକୁ ପଛେ ବଳି ଦେଇହେବ ହେଳେ ଜଣେ ବି ସାଧାରଣ ନାଗରିକକୁ ଆହତ ହେବାକୁ ଦେବ ନାହିଁ । ଯେତେବେଳେ ମୁଁ ରାଜନୀତିରେ ଯୋଗ ଦେଲି, ମୁଁ ମୋର ବାୟୁସେନା ଦିନର ଆଦର୍ଶକୁ ମୋ ସହିତ ଆଣିଥିଲି । ମୁଁ ପଛେ କ୍ଷତିଗ୍ରସ୍ତ ହେବି କିନ୍ତୁ ଜଣେ ହେଲେ ବ୍ୟକ୍ତିଙ୍କୁ ଦୁଃଖ ଭୋଗ କରିବାକୁ ଦେବି ନାହିଁ । ମୁଁ ସାଧାରଣ ଜୀବନରେ ପ୍ରବେଶ କରିବା ଦିନଠାରୁ, ମୋ ନିର୍ବାଚନମଣ୍ଡଳୀ ଜୁନାଗଡ଼ ଓ କଳାହାଣ୍ଡିର ବିକାଶ ଉପରେ ଧ୍ୟାନ ଦେଇଛି ।
୩-ମୁଁ ବ୍ୟଥିତ ହୋଇଗଲି ଯେତେବେଳେ ମିଥ୍ୟା ଆଧାରରେ କିଛି ଗଣମାଧ୍ୟମ ମୋତେ ବଦନାମ କରିବା ସହିତ ମିଥ୍ୟା ଆଧାରରେ ମୋର ଚରିତ୍ର ସଂହାର ଅଭିଯାନ ଆରମ୍ଭ କଲେ । ଏହା ମୋ ପରିବାରକୁ ମଧ୍ୟ ଆଘାତ ଦେଇଛି ।
୪-ତେଣୁ ମୋ ପରିବାର ତିନିଟି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସଂସ୍ଥା ଅର୍ଗସ ଟିଭି, ଓଟିଭି ଓ ଓଡିଶା ରିପୋର୍ଟର ସେମାନଙ୍କ ସଙ୍କୀର୍ଣ୍ଣ ବ୍ୟକ୍ତିଗତ ରାଜନୈତିକ ଫାଇଦା ପାଇଁ ମିଥ୍ୟା ମନଗଢ଼ା ଓ ଭିତ୍ତିହୀନ ଅଭିଯୋଗ ଆଣି ମୋର ଚରିତ୍ର ସଂହାର ଓ ମାନସିକ ନିର୍ଯ୍ୟାତନା ଦେଇଥିବା ହେତୁ, ଉପଯୁକ୍ତ କୋର୍ଟରେ ମାନହାନି ମୋକଦ୍ଦମା ଦାୟର୍ କରିଛି ।
୫-ଏହି ଗଣମାଧ୍ୟମ ସେମାନଙ୍କର ମୋ ପ୍ରତି ସେମାନଙ୍କର ବଦନାମ ଅଭିଯାନ ଚଳାଇବା ବ୍ୟତୀତ ମୋର ନିରବତାକୁ ପ୍ରଶ୍ନ କରୁଛନ୍ତି । ମୁଁ ସର୍ବଦା ବିଶ୍ୱାସ କରେ ଯେ ସମ୍ବେଦନଶୀଳ ଜଘନ୍ୟ ଅପରାଧରେ, ଆଇନ କାର୍ଯ୍ୟକାରୀ କରୁଥିବା ସଂସ୍ଥାଗୁଡ଼ିକ ଏକ ମୁକ୍ତ ଏବଂ ନିରପେକ୍ଷ ଢ଼ଙ୍ଗରେ କାର୍ଯ୍ୟ କରିବା ଉଚିତ୍ ଯାହାଦ୍ୱାରା ଆଇନ୍ ଅନୁଯାୟୀ ଅଭିଯୁକ୍ତର ବିଚାର ହୋଇପାରିବ । ତେଣୁ ମୁଁ ସବୁବେଳେ ଏଭଳି ଜଘନ୍ୟ ଅପରାଧରେ ମନ୍ତବ୍ୟ ଦେବାଠାରୁ ଦୂରେଇ ରହିଥିଲି । କିନ୍ତୁ ଗଣମାଧ୍ୟମର ଏଭଳି ଅଭିଯାନ ମୋ ପରିବାରକୁ ପ୍ରଭାବିତ କରୁଥିବାରୁ ମୁଁ ଏହି ମନ୍ତବ୍ୟ ଦେବାର ଆବଶ୍ୟକତା ଅନୁଭବ କଲି ।
୬-କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଏବଂ କିଛି ବିରୋଧୀ ରାଜନୈତିକ ଦଳ ଦ୍ୱାରା ଚଳାଯାଇଥିବା ଏହି ବଦନାମ ଅଭିଯାନ ଓଡ଼ିଶାରେ ଏକ ଖରାପ ରାଜନୈତିକ ପରମ୍ପରା ସୃଷ୍ଟି କରିଛି । ବିଶେଷକରି ଗଣମାଧ୍ୟମର କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏଭଳି ଜଘନ୍ୟ ଅପରାଧରେ ସଂକୀର୍ଣ୍ଣ ରାଜନୈତିକ ଲାଭ ପାଇଁ ସତ୍ୟ, ସହାନୁଭୂତି ଓ ସମ୍ବେଦନଶୀଳତାର ମୂଲ୍ୟକୁ ଜଳାଞ୍ଜଳି ଦେଇଛନ୍ତି ।
୭-ମୁଁ ଜଣେ ବିଧାୟକ ଓ ବାୟୁସେନା ଅଧିକାରୀ ଭାବରେ ଅନେକ ଶିକ୍ଷାନୁଷ୍ଠାନ ଗୁଡିକର ର କାର୍ଯ୍ୟକ୍ରମରେ ଯୋଗ ଦିଏ । ଜନ ପ୍ରତିନିଧିମାନେ ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି । ମୁଁ ଯଦି ଏପରି କୌଣସି ଶିକ୍ଷାନୁଷ୍ଠାନର କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇଥାଏ ଓ ସେଠାରେ ପରବର୍ତ୍ତୀ ସମୟରେ କୌଣସି ଅପରାଧ ଘଟେ, ସେଥିପାଇଁ ମୋତେ ଦାୟୀ କରାଯାଇପାରିବ ନାହିଁ ।
୮-ମୁଁ ବିରୋଧୀ ରାଜନୈତିକ ଦଳ ଏବଂ ଗଣମାଧ୍ୟମକୁ ଅନୁରୋଧ କରିବି, ଯଦି ଆପଣଙ୍କର ଏହି ପ୍ରସଙ୍ଗରେ ମୋ ବିରୋଧରେ କିଛି ପ୍ରମାଣ ଅଛି, ତେବେ ଦୟାକରି ଏହାକୁ ପୁଲିସ କିମ୍ବା କୋର୍ଟ ନିକଟରେ ଦାଖଲ କରନ୍ତୁ । ମୁଁ କେବଳ ମୋ ପଦରୁ ଇସ୍ତଫା ଦେବି ନାହିଁ ବରଂ ମୁଁ ସାଧାରର ଜୀବନରୁ ସନ୍ୟାସ ନେଇଯିବି । ହେଲେ ବ୍ୟକ୍ତିଗତ ରାଜନୈତିକ ଏଜେଣ୍ଡା ରଖି କୌଣସି ବ୍ୟକ୍ତିଗତ ନିନ୍ଦା ଅଭିଯାନରେ ସାମିଲ ହୁଅନ୍ତୁ ନାହିଁ ।
୯-ମୁଁ ଏହି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଗୋଷ୍ଠୀକୁ ଅନୁରୋଧ କରୁଛି ଯେ ଏହି ଘୃଣ୍ୟ ଅପରାଧକୁ ସେମାନଙ୍କ ବ୍ୟକ୍ତିଗତ ରାଜନୈତିକ ଏଜେଣ୍ଡା ପାଇଁ ବ୍ୟବହାର କରନ୍ତୁ ନାହିଁ । ବରଂ ସାମ୍ବାଦିକତାର ନୈତିକତା ଅନୁଯାୟୀ ବଞ୍ଚନ୍ତୁ । ଯାହା ସାମ୍ବାଦିକ ଏବଂ ମିଡ଼ିଆ ହାଉସ୍ ନିକଟରୁ ଆଶା କରାଯାଏ ।
୧୦-ମୁଁ ଉଚ୍ଚ ବେତନ ପ୍ରାପ୍ତ ପାଇଲଟ ଚାକିରି ଛାଡ଼ି ଜୁନାଗଡ଼ ଓ କଳାହାଣ୍ଡି ଲୋକଙ୍କର ସେବା ପାଇଁ ରାଜନୀତିରେ ଯୋଗ ଦେଇଥିଲି । ମୁଁ ମା’ ମାଣିକେଶ୍ୱରୀଙ୍କ ନାମରେ ଶପଥ କରୁଛି ଯେ ଯାହାଙ୍କ ଉପରେ ମୁଁ ଏବଂ କଳାହାଣ୍ଡି ଲୋକମାନଙ୍କର ଗଭୀର ବପିଶ୍ୱାସ ଅଛି, ଏହି ଅପରାଧ ସହିତ ମୋର କୌଣସି ସମ୍ପର୍କ ନାହିଁ ।"



0
0
0
s2sdefault