ପୌରପରିଷଦ ଓ ମହାନଗର ନିଗମ ନିର୍ବାଚନ ପାଇଁ ସରକାର ପ୍ରସ୍ତୁତ: ମନ୍ତ୍ରୀ ପ୍ରତାପ ଜେନା
ଭୁବନେଶ୍ୱର- ସଂପୃକ୍ତ ପୌରପରିଷଦ ଓ ମହାନଗର ନିଗମ ନିର୍ବାଚନ ପାଇଁ ସରକାର ପ୍ରସ୍ତୁତ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ଆସନ୍ତା ୨୯.୧୧.୨୦୨୧ ଦିନ ପୌରାଚଂଳ ମାନଙ୍କରେ ୱାର୍ଡ ସୀମାନିର୍ଦ୍ଧାରଣ ଓ ସ୍ଥାନ ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ମ୍ୟୁନିସପାଲ ଅଧିନିୟମ ୧୯୫୦ ଅନ୍ତର୍ଗତ ନିୟମ ୨ଏ(୫) ଅନୁଯାୟି ପ୍ରକାଶ କରିବେ । ଜିଲ୍ଲାପାଳ ମାନଙ୍କୁ ଏ ନେଇ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି ।
ଜିଲ୍ଲାପାଳ ମାନଙ୍କୁ ପଠାଯାଇଥିବା ନିର୍ଦ୍ଦେଶ ନାମା ଅନୁଯାୟି , ଜିଲ୍ଲାପାଳମାନେ ଆସନ୍ତା ୯.୧୧.୨୦୨୧ ସୁଦ୍ଧା ୱାର୍ଡ ସୀମା ନିର୍ଦ୍ଧାରଣ ଓ ସଂକ୍ଷଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ । ଏ ନେଇ ଆପତି ଅଭିଯୋଗ ୧୮.୧୧.୨୦୨୧ ପର୍ଯ୍ୟନ୍ତ ଗ୍ରହଣ କରାଯିବ ଏବଂ ୨୯ .୧୧.୨୦୨୧ ଦିନ ବିଜ୍ଞପ୍ତି ପ୍ରକାଶ ପାଇବ । ଜିଲ୍ଲାପାଳ ମାନଙ୍କ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଉପରେ ଗୃହ ଓ ନଗର ଉନୟ୍ନ ନ ବିଭାଗ ପାଖରେ ୨୯.୧୧.୨୦୨୧ ରୁ ୧୩.୧୨.୨୦୨୧ ପର୍ଯ୍ୟନ୍ତ ଆପତି( ଅପିଲ୍ ) ଦାଖଲ କରାଯାଇ ପାରିବ । ଉପରୋକ୍ତ କାର୍ଯ୍ୟ ସୂଚୀ ଅନୁଯାୟି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।
ସେହିପରି ୫ ଟି ମହାନଗର ନିଗମ ମଧ୍ୟରୁ କଟକ , ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ ୱାର୍ଡ ସୀମା ନିର୍ଦ୍ଧାରଣ ଓ ସ୍ଥାନ ସଂରକ୍ଷଣ ସଂପର୍କିତ ତଥ୍ୟ ଆସନ୍ତା ୧୫.୧୧.୨୦୨୧ ସୁଦ୍ଧା ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗରେ ଦାଖଲ କରିବାକୁ କୁହାଯାଇଛି । ବିଭାଗ ତରଫରୁ ୧୦.୧୨.୨୦୨୧ ଦିନ ଏ ନେଇ ଚିଠା ତାଲିକା ପ୍ରକାଶ ପାଇବ । ପ୍ରକାଶିତ ଚିଠା ତାଲିକା ଉପରେ ୧୯.୧୨.୨୦୨୧ ପର୍ଯ୍ୟନ୍ତ ଆପତି ଅଭିଯୋଗ ଗ୍ରହଣ କରାଯିବା ସହିତ ୨୦.୦୧.୨୦୨୨ ପୂର୍ବରୁ ଚୁଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ । ଏ ନେଇ ଉପରୋକ୍ତ ୩ ଗୋଟି ମହାନଗର ନିଗମର କମିଶନର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି ।
ଆମର ୧୧୪ ଗୋଟି ୟୁ.ଏଲ୍.ବି ମଧ୍ୟରେ ୫ଟି ମହାନଗର ନିଗମ , ୪୮ ଟି ମ୍ୟୁନିସପାଲିଟି ଓ ୬୧ ଟି ଏନ୍.ଏ.ସି ରହିଛି ।
୫ ଟି ମହାନଗର ନିଗମ ମଧ୍ୟରୁ ଅଦାଲତରେ ମାମଲା ଯୋଗୁଁ ସମ୍ବଲପୁର ଓ ରାଉରକେଲା ମହାନଗର ନିଗମରେ ନିର୍ବାଚନ ପ୍ରକ୍ରିଆ ଆରମ୍ଭ କରାଯାଇ ନାହିଁ ।