ହେଡଲାଇନସ୍:

ବାଇପାସ ଛକକୁ କାନ୍ତକବି ଗୋଲେଇ କରିବାକୁ ଦାବି ଜୋର ଧରିଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

18-07-18-kanta1.jpg - 105.00 kB

ଭଦ୍ରକ (satyabhusan swami) - ଭଦ୍ରକ ମାଟିର ବରପୁତ୍ର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବାର ମହତ ଉଦେ୍ଧଶ୍ୟ ନେଇ ଭଦ୍ରକରୁ ଚାନ୍ଦବାଲି ଯାଇଥିବା ୯ ନମ୍ବର ଜାତୀୟ ରାଜପଥର ବାଇପାସ ଛକକୁ କାନ୍ତକବି ଗୋଲେଇ ନାମରେ ନାମିତ କରିବା ସହିତ ଗୋଲେଇରେ କାନ୍ତକବିଙ୍କ  ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଦାବି ଜୋର ଧରିଛି । ଉତ୍କଳ  ସମ୍ମିଳନୀ ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ଏହାର ସମ୍ପାଦକ ଅଜୟ ନାୟକ ସମ୍ମିଳନୀର ସଦସ୍ୟ ସଦସ୍ୟା, କର୍ମକର୍ତ୍ତା, ଭଦ୍ରକର ବୁଦ୍ଧିଜୀବିଙ୍କୁ ନେଇ ଭଦ୍ରକ ବିଧାୟକଙ୍କୁ ଭେଟିବା ସହିତ ଏ ନେଇ ଆଲୋଚନା କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପରେ ଶ୍ରୀ ନାୟକ ସାମ୍ବାଦିକଙ୍କୁ ସୂଚନା ଦେଇ କହିଥିଲେ ଯେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଭଦ୍ରକ ମାଟିର ଜଣେ ଉଜ୍ୱଳତମ ଜ୍ୟୋତିଷ୍କ ଥିଲେ । ଓଡିଆ ଭାଷା ବିଲୁପ୍ତିର ସନ୍ଧିକ୍ଷଣରେ ଆଧୁନିକ ଓଡିଆ ସାହିତ୍ୟ ବିକାଶର ଆଦ୍ୟକାଳରେ ଅର୍ଥାତ ୧୮୮୮ରେ ତାଳପଦା, ତିହିଡିରେ ସୁନାମଧନ୍ୟ ସାମନ୍ତରାୟ ମହାପାତ୍ର ବଂଶରେ ଜନ୍ମ ହୋଇଥିଲେ । ଦୈବର ଦାରୁଣ ଅଭିଶାପରେ ବ୍ୟାଧିଗ୍ରସ୍ତ ହୋଇ ବିକଳାଙ୍ଗ ପାଲଟି ଯାଇଥିଲେ ହେଁ ଉଚ୍ଚ ଚିନ୍ତାଧାରା, ସାରସ୍ୱତ ପ୍ରତିଭା ଓ ଜାତୀୟ ଭାବାପନ୍ନତାରେ ନିମଜ୍ଜିତ ହୋଇ ରାଶି ରାଶି ଗଳ୍ପ, କବିତା, ପ୍ରବନ୍ଧ, ନାଟକ, ଲାଳିକା, ଉପନ୍ୟାସ ଇତ୍ୟାଦି ରଚନା କରି ଓଡିଆବାଣୀ ଭଣ୍ଡାରକୁ ସମୃଦ୍ଧ କରିବା ସହିତ, ବ୍ରିଟିଶ ସରକାର ବିରୋଧୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମନରେ ଦେଶ ମାତୃକା ପାଇଁ ତ୍ୟାଗ, ସମର୍ପଣ ଓ ଉତ୍ସର୍ଗୀକୃତ ଭାବନା ସୃଷ୍ଟି କରିବାକୁ ସଫଳ ହୋଇଥିଲେ । ଏପରି ଜଣେ ଯୁଗପୁରୁଷ, ବରପୁତ୍ର ଏବଂ ଏ ମାଟିର ଯୋଗ୍ୟତମ ବୀରପୁତ୍ରଙ୍କ ସମ୍ମାନାର୍ଥେ ଓଡିଶାରେ ସେପରି କିଛି ଆଖି ଦୃଶିଆ ସ୍ମାରକୀ ଏଯାବତ୍ ନିର୍ମାଣ ହୋଇ ପାରିନାହିଁ । ବିଗତ କିଛି ବର୍ଷ ତଳେ ଭଦ୍ରକର ଚାନ୍ଦବାଲି ବାଇପାସ ଛକରେ କାନ୍ତକବିଙ୍କର ଏକ କ୍ଷୁଦ୍ର ମୂର୍ତ୍ତି ସ୍ଥାପିତ ହୋଇଥିଲେ ହେଁ, ସଂପ୍ରତି ଚାନ୍ଦବାଲି ବାଇପାସ୍ ଛକରେ ରାଜ୍ୟ ରାଜପଥର ନବ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ଉକ୍ତ ମୂର୍ତ୍ତିକୁ ସ୍ଥାନାନ୍ତର କରାଯିବା ନିଶ୍ଚିତ । ତେଣୁ ଯେଉଁ ନୂତନ ପ୍ରଶସ୍ତ ଛକଟିଏ ସୃଷ୍ଟି ହେବାକୁ ଯାଉଛି, ସେ ଛକର ମଧ୍ୟ ସ୍ଥଳରେ କାନ୍ତକବିଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରିବା ସହିତ, ସଂପୃକ୍ତ ଛକକୁ ‘କାନ୍ତକବି ଗୋଲେଇ’ ନାମରେ ନାମିତ କରିବାକୁ ଶ୍ରୀ ନାୟକଙ୍କ ସମେତ  ଶାଖାର ଉପସଭାପତି ଏସ୍.ଏମ. ଫାରୁକ, ସଂଗଠନ ସମ୍ପାଦକ ଚର୍ଚ୍ଚିକା ପ୍ରସାଦ ମହାପାତ୍ର, ଡାକ୍ତର ହରେକୃଷ୍ଣ ନାୟକ, ଅକ୍ଷୟ ବାରିକ୍, ଘନଶ୍ୟାମ ଲେଙ୍କା, କରୁଣାକର ବେହୁରିଆ, ଶତୃଘ୍ନ ସାମଲ, ବୈଲୋଚନ ବେହୁରିଆ, ଗୋବର୍ଦ୍ଧନ ସାମଲ ପ୍ରମୁଖ ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହିତ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା,  ସଂସ୍କୃତ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ପୌରାଧ୍ୟକ୍ଷ ମାନସ ମହାନ୍ତିଙ୍କ ଉଦେ୍ଧଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । 

0
0
0
s2sdefault