କଣ୍ଟାମାଳ , ବୌଦ୍ଧ (ବଂଶିଧର ମାଝୀ/ସିମୁନ୍ ନାଏକ)
କଣ୍ଟାମାଳ ବ୍ଳକ ବୌଦ୍ଧ ଜିଲ୍ଲାର ଏକ ସର୍ବ ବୃହତ ଏବଂ ପ୍ରମୁଖ ବ୍ଳକଭାବେ ରହିଆସି ଥିବା ଏବଂ ନୂତନ ବିଧାନସଭା ନିର୍ବାଚନ ମଣ୍ଡଳୀର ମାନ୍ୟତା ପାଇବା ପରେ ଏହାରି ଗୁରୁତ୍ୱ ଦ୍ୱିଗୁଣୀତ ହୋଇ ଥିଲେ ହେଁ ଖୋଦ୍ ସଦର ବ୍ଳକ ମହକୁମାଠାରେ ଶିକ୍ଷାର ବିକାଶ ଆଶାନୁରୂପ ହୋଇ ପାରିନଥିବା କୁହାଯାଉଛି । ବ୍ଳକ ସଦର ମହକୁମାରେ ପ୍ରତିଷ୍ଠିତ ବିଦ୍ୟାଳୟ ଠାରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ ସବୁ ଅନୁଷ୍ଠାନ ମୂରବୀ ଶୂନ୍ୟ ହୋଇ ପଡିଥିବାରୁ ଉପଯୁକ୍ତ ଶୈକ୍ଷିକ ବାତାବରଣ ସୃଷ୍ଟି ନହେବା ସହ ପରିଚାଳନା ଗତ ତୃଟି ଦେଖିବାକୁ ମିଳିଛି ।
ସୂଚନା ପ୍ରକାରେ ୧୯୬୩ ମସିହାରେ ସ୍ଥାପିତ କଣ୍ଟାମାଳ ହାଇ ସ୍କୁଲ,ରାଜୁଡି ଅମଳରେ ସ୍ଥାପିତ ହୋଇ ଥିବା ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ, କଣ୍ଟାମାଳ ୟୁ.ଜି.ଏମ.ଇ ସ୍କୁଲ ଏବଂ ଗତବର୍ଷ ଆରମ୍ଭ ହୋଇ ଥିବା ଆଦର୍ଶ ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ପାଇ ନଥିବା ହେତୁ କନିଷ୍ଠ ଶିକ୍ଷକ ମାନଙ୍କୁ ପ୍ରଧାନ ଶିକ୍ଷକ ଦାୟୀତ୍ୱ ଦିଆଯାଇ କାମ ଚଳା ଯାଉଥିବା ବେଳେ ଆଦର୍ଶ ବିଦ୍ୟାଳୟରେ ସ୍ଥାନୀୟ କଣ୍ଟାମାଳ ତହସିଲଦାର ଇନଚାର୍ଯ୍ୟ ଦାୟୀତ୍ୱରେ ରହିଥିବା ଜଣାଯାଇଛି । ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ହୋଇ ନଥିବା ହେତୁ ଶିକ୍ଷା ଦାନ ଠାରୁ ଆରମ୍ଭ କରି ବିଦ୍ୟାଳୟରେ ପରିଚାଳନାଗତ ତୃଟି ଲାଗି ରହିଛି । କଂଟାମାଳ ହାଇ ସ୍କୁଲ, ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ, କଣ୍ଟାମାଳ ଅପ ଗ୍ରେଡେଡ ଏମ.ଇ ସ୍କୁଲ ରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ପାଇଁ ଅଭିଭାବକ ଦୀର୍ଘ ଦିନରୁ ଦାବୀ କରି ଆସୁଥିଲେ ହେଁ ଶିକ୍ଷା ବିଭାଗର ଖାମଖିଆଲୀ ମନୋବୃତି ଯୋଗୁଁ ଏହାରି ସୁଫଳ ମିଳି ପାରୁନାହିଁ । ସରକାରୀ ମଧ୍ୟ ଇାଂରଜୀ ବିଦ୍ୟାଳୟରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ମୋଟ ୨୬୧ ଜଣ ଶିକ୍ଷାର୍ଥୀ ପାଠ ପଢିବା ସହ ପରିସରରେ ୧୦୦ ଆସନ ବିଶିଷ୍ଟ ଛାତ୍ରୀ ନିବାସ ଭଳି ଏକ ସମ୍ବେଦନଶୀଳ ଅନୁଷ୍ଠାନ କାର୍ଯ୍ୟକାରୀ ହେଉଥିଲେ ହେଁ ଏଠାରେ ଟି.ଜି.ଟି ଡିଗ୍ରୀ ଧାରୀ ଜଣେ ଅଭିଜ୍ଞ ସଂପନ୍ନ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ଦେବା ଜରୂରୀ ହୋଇଥିଲେ ହେଁ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗପତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନାଲିଫିତା ତଳେ ଚାପି ହୋଇ ଯାଇଛି ବୋଲି ଅଭିଯୋଗ ହେଉଛି । କଂଟମାଳ ଭଳି ବ୍ଲକ ସଦର ମହକୁମା ହାଇ ସ୍କୁଲ ଯେଉଁଠି ସମସ୍ତ ପରୀକ୍ଷାର ପରୀକ୍ଷା କେନ୍ଦ୍ର ହୋଇ ଥାଏ ସେଭଳି ବିଦ୍ୟାଳୟରେ ଜଣେ ସ୍ଥାୟୀ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ନ ଦେଇ ଆମ୍ବଗାଁ ଜନତା ହାଇ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ କଂଟାମାଳ ହାଇ ସ୍କୁଲକୁ ଅସ୍ଥାୟୀ ପ୍ରଧାନ ଶିକ୍ଷକଭାବେ ନିଯୁକ୍ତି ଦିଆଯାଇ ଥିବା ଜଣାଯାଇଛି । ବର୍ତମାନ ନିଯୁକ୍ତି ଦିଆଯାଇ ଥିବା ଅସ୍ଥାୟୀ ପ୍ରଧାନ ଶିକ୍ଷକଙ୍କୁ ସ୍ଥାୟୀ ଭାବେ ଅବସ୍ଥାପିତ କରିବା ନେଇ ଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ଦାବୀ ହେଉଛି ।
ଅନ୍ୟ ୩ ଗୋଟି ମୂରବୀଶୂନ୍ୟ ବିଦ୍ୟାଳୟ ଭଳି କଂଟାମାଳ ବ୍ଳକ ସଦର ମହକୁମାଠାରେ ସ୍ଥାପିତ ଅନୁଦାନ ପ୍ରାପ୍ତ ଯୁକ୍ତ ୨ ଓ ଯୁକ୍ତ ୩ ମହାବିଦ୍ୟାଳୟ ମଧ୍ୟ ମୁରବୀଶୂନ୍ୟ ହୋଇ ପଡିଛି । ଏହି ଦୁଇଟି ଉଚ୍ଚଶିକ୍ଷାନୁଷ୍ଠାନ ମଧ୍ୟରୁ ଯୁକ୍ତ ୨ ମହାବିଦ୍ୟାଳୟର ଅଧ୍ୟକ୍ଷ ପଦବୀ ଗତ ଅପ୍ରେଲ ୨୦୧୭ ଠାରୁ ଖାଲି ପଡିଥିବା ବେଳେ ଯୁକ୍ତ ୩ ମହାବିଦ୍ୟାଳୟରେ ପ୍ରତିଷ୍ଠା ସମୟରୁ ହିଁ ମୂରବୀଶୂନ୍ୟ । ଢାଂଚାଗତ ପରିବର୍ତନ ପରେ ଯୁକ୍ତ ୨ ଓ ଯୁକ୍ତ ୩ ଜଣେ ଅଧ୍ୟକ୍ଷଙ୍କ ହାତରେ ପରିଚାଳିତ ହେବାର ନିୟମ ରହିଥିଲେ ହେଁ ଅଧ୍ୟକ୍ଷ ରହିବାର ନିଶା ମହାବିଦ୍ୟାଳୟଟିକୁ ରସାତଳଗାମୀ କରିଥିଲେ ହେଁ ନିଜ ପଦବୀ ଛାଡିବାର ନାଁ ନେଉ ନଥିବା ଦେଖିବାକୁ ମିଳୁଛି । ଏହି ଦୁଇଟି ଯାକ ମହାବିଦ୍ୟାଳୟରେ ଉଭୟ କଳା, ବିଜ୍ଞାନ, ସମ୍ମାନ, ଧନ୍ଦା ମୂଳକ ଶିକ୍ଷା ବ୍ୟବସ୍ଥା ରହିଥିବା ସତ୍ତେ୍ୱ ରାଜ୍ୟ ସରକାର ଅଧ୍ୟକ୍ଷ ନିଯୁକ୍ତି ନେଇ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ନେଇ ସ୍ଥାନୀୟ ଶିକ୍ଷାପ୍ରେମୀ ମାନଙ୍କ ଦ୍ୱାରା ଏକ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇ ଥିବା ପ୍ରକାଶ । ଅନ୍ୟ ପକ୍ଷରେ ମୂରବୀଶୂନ୍ୟ ଭାବେ ମହାବିଦ୍ୟାଳୟଟି ପରିଚାଳିତ ହେଉଥିବା ହେତୁ ଏଠାରେ ବ୍ୟାପକ ଅର୍ଥ ହେରଫେରର ଅଭିଯୋଗ ହେଉଛି । ମହାବିଦ୍ୟାଳୟକୁ ୟୁ.ଜି.ସି ଭଳି ଅନୁଷ୍ଠାନ ରୁ ଲକ୍ଷ ଲକ୍ଷ ଟଂକାର ଅନୁଦାନ ଏବଂ ସାମଗ୍ରୀ କ୍ରୟ ହୋଇ ଥିଲେ ହେଁ ସେ ଗୁଡିକର କ୍ରୟ ଏବଂ ବ୍ୟବହାର ନେଇସନ୍ଦେହ ପ୍ରକାଶ ପାଇଛି । ଏପରିକି ବୌଦ୍ଧ ଉପଜିଲ୍ଲାପାଳ ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ହୋଇ ଥିଲେ ହେଁ ଉପଜିଲ୍ଲାପାଳଙ୍କୁ ଅନ୍ଧକାରରେ ରଖି ଗତ ଦିନରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇ ଥିବା ନେଇ ନିରପେକ୍ଷ ତଦନ୍ତ କରିବାକୁ ଦାବୀ ହେଉଛି । କଣ୍ଟାମାଳ ସଦର ମହକୁମାର ୬ ଗୋଟି ପ୍ରମୁଖ ଶିକ୍ଷାନୁଷ୍ଠାନ ର ପଦବୀ ଶୂନ୍ୟତା ନେଇ କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ସହିତ ଯୋଗାଯୋଗ କରିବାରୁ ଏହା ନେଇ ସମୀକ୍ଷା ପୂର୍ବକ ପଦବୀ ପୂରଣ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ ।