ଭୁବନେଶ୍ୱର : ପୂର୍ବତଟ ରେଳପଥ ପକ୍ଷରୁ ଆଜି ଭୁବନେଶ୍ୱରସ୍ଥ ରେଳବାଇ ଅଡିଟୋରିୟମ ଠାରେ ୬୬ତମ ରେଳସପ୍ତାହ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଅଛି | ଏହି ସମାରୋହ ରେ ପୂର୍ବତଟ ରେଳପଥ ର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସମସ୍ତ କୃତି କର୍ମଚାରୀ ଓ ଅଧିକାରୀ ମାନଙ୍କୁ ସେମାନଙ୍କର କାର୍ଯ୍ୟ ଦକ୍ଷତା ପାଇଁ ପୁରସ୍କୃତ କରିଛନ୍ତି | ଏଥିରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ |
ରେଳବାଇ କର୍ମଚାରୀ ମାନଙ୍କୁ ଉଦବୋଧନ ଦେଇ ମହାପ୍ରବନ୍ଧକ ରେଳବାଇ କର୍ମଚାରୀଙ୍କ ପ୍ରଗତିଶୀଳ ଉଦ୍ଦେଶ୍ୟ ଓ କର୍ତ୍ତବ୍ୟ ସମ୍ପାଦନ କରି ରେଳବାଇ କୁ ମୂଲ୍ୟବାନ ଅବଦାନ ପ୍ରଦାନ ସହ ଉତ୍କର୍ଷତା ଆଣିବାରେ ସହାୟକ ହୋଇଥିବାରୁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଏହି ଉଦ୍ୟମ ଓ ନିଷ୍ଠା ଜାରିରଖିବାକୁ ଆହ୍ୱାନ ଦେଇଛନ୍ତି ଯାହା ଫଳରେ ଏହି ରେଳପଥ ଏକ ଶ୍ରେଷ୍ଠ ରେଳ ଜୋନ ଭାବେ ନିଜକୁ ବଜାୟ ରଖିବ |
ଖୋର୍ଦ୍ଧା ରୋଡ ରେଳ ମଣ୍ଡଳକୁ ସିଭିଲ ଇଂଜିନିୟରିଂ, ଟ୍ରେନ ପରିଚାଳନା ଓ ବାଣିଜ୍ୟ ଦକ୍ଷତା ସୀଲଡ଼ ମିଳିଥିବାବେଳେ ୱାଲଟିୟର ରେଳ ମଣ୍ଡଳକୁ ବିତ୍ତ (ଫାଇନାନ୍ସ), କୋଚିଂ ଡିପୋ ଓ କାର୍ମିକ ବିଭାଗ ଦକ୍ଷତା ସୀଲଡ଼ ଗ୍ରହଣ କରିଛି | ସେହିଭଳି ବିଦ୍ୟୁତ ପରିଚାଳନା ଓ ଯାନ୍ତ୍ରିକ (ମେକାନିକାଲ) ଦକ୍ଷତା ସୀଲଡ଼ ସମ୍ବଲପୁର ରେଳ ମଣ୍ଡଳକୁ ପ୍ରଦାନ କରାଯାଇଅଛି |
ଏହି ଅବସରରେ ସବୁ କ୍ଷେତ୍ରରେ କାର୍ଯ୍ୟ ଦକ୍ଷତା ପାଇଁ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳକୁ ସାମଗ୍ରିକ ଦକ୍ଷତା ସିଲଡ଼, ବ୍ରହ୍ମପୁର ରେଳ ଷ୍ଟେସନ୍କୁ ଉତ୍ତମ ବୃହତ ପରିଚ୍ଛନ୍ନ ଷ୍ଟେସନ ଓ ହଣ୍ଡପା ରେଳଷ୍ଟେସନ୍କୁ ଉତ୍ତମ ଛୋଟ ପରିଚ୍ଛନ୍ନ ଷ୍ଟେସନ ସିଲଡ଼ ପ୍ରଦାନ କରାଯାଇ ଅଛି | ରେଳପଥର ବରିଷ୍ଠ ଉପମହାପ୍ରବନ୍ଧକ ଶ୍ରୀ ସଞ୍ଜୟ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରି ରେଳସପ୍ତାହ ଉପରେ ଆଲୋକପାତ କରିଥିବାବେଳେ ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ମଧ୍ୟ ରେଳ କର୍ମଚାରୀ ମାନଙ୍କୁ ଉଦବୋଧନ ଦେଇଥିଲେ | ଉପ ମହାପ୍ରବନ୍ଧକ ଶ୍ରୀ ଅଶୋକ କୁମାର ମିଶ୍ର ଏହି ଅବସରରେ ଧନ୍ୟବାଦ ଅର୍ପଣ କରିଥିଲେ |