ଗୁଣୁପୁରରୁ ସନ୍ତୋଷ କୁମାର ଚୌଧୁରୀ: ଗତ ଦୁଇ ଦିନ ଧରି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରଵକ୍ତା ତଥା ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଗୁଣୁପୁର ରାୟଗଡା ଜିଲ୍ଲା ସ୍ୱାଭିମାନ ମଞ୍ଚର ନିମନ୍ତ୍ରଣ କୁ ରକ୍ଷା କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ | ଗତକାଲି ରାୟଗଡା ଜିଲ୍ଲା ସ୍ୱାଭିମାନ ମଞ୍ଚ ଦ୍ୱାରା ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀରେ ଅତିଥି ଭାବେ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇ ଥିବା ବେଳେ ବରିଷ୍ଠ ସାମ୍ବାଦିକ ଲୋକନାଥ ପାଣିଗ୍ରାହୀ , ବରିଷ୍ଟ ନାଗରିକ ସୋମନାଥ ଗୌଡ଼ ପ୍ରମୁଖ ଯୋଗ ଦେଇ ଥିବାବେଳେ ମଞ୍ଚର ଆବାହକ ପ୍ରମୋଦ କୁମାର ସାହୁ ମଞ୍ଚ ପରିଚାଳନା ସହ ଏହି ଅଞ୍ଚଳର ପ୍ରମୁଖ ପାଞ୍ଚୋଟି ସମସ୍ୟା ଉପରେ ଆଲୋକପାତ କରିଥିଲେ | ଅନ୍ୟପଟେ ଆଜି ଚା ପେ ଚର୍ଚ୍ଚା , ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର , ଜଗନ୍ନାଥ ମନ୍ଦିର ଦର୍ଶନ ସହ ବାଳିକା ଉଚ୍ଚ ବିଦ୍ୟାଳୟ ଠାରୁ ନୂଆ ବସଷ୍ଟାଣ୍ଡ ଯାଏଁ ପଦଯାତ୍ରା କରି ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ଅପରାଜିତା |
ଏହି କାର୍ଯ୍ୟକ୍ରମରେ ମନୋରଞ୍ଜନ ରଥ, ପ୍ରେମ ପଣ୍ଡା , ରବି ଗମାଙ୍ଗ ପ୍ରମୁଖ ଯୋଗ ଦେଇ ଥିବା ବେଳେ ମଞ୍ଚ ର ଆବାହକ ପ୍ରମୋଦ କୁମାର ସାହୁ ସଭା କାର୍ଯ୍ୟ ପରିଚାଳନା କରିଥିଲେ | ଉପସ୍ଥିତ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ ଜନତାଙ୍କୁ ମଞ୍ଚ ତରଫରୁ ଦିଆ ଯାଇଥିବା ପାଞ୍ଚୋଟି ଦାବି ଉପରେ ଗୁରୁତ୍ୱ ଦେବା ସହ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା | ଓଡିଶା ଗରିବ ରାଜ୍ୟ ଏବଂ ମହିଳା ନିର୍ଯ୍ୟାତନାରେ ତଳ ପଟୁ ଦୁଇ ନମ୍ବର ଥିବା କହି ଭର୍ତ୍ସନା କରିବା ସହ ଭାରତୀୟ ଜନତା ପାର୍ଟି କାମ ଉପରେ ବିଶ୍ୱାସ କରେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନୀତି ଆଦର୍ଶରେ ପରିଚାଳିତ ବୋଲି ସୂଚନା ଦେଇଥିଲେ |ଭାରତୀୟ ଜନତା ପାର୍ଟି ର ରାଷ୍ଟ୍ରୀୟ ପ୍ରଵକ୍ତା ତଥା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଏହି ଗସ୍ତ ଆଗାମୀ ଦିନରେ ପୌର ଏବଂ ପଞ୍ଚାୟତ ନିର୍ବାଚନରେ କଣ ପ୍ରଭାବ ପଡିବ ତାକୁ ନେଇ ସାଧାରଣରେ ଜୋର ସୋରରେ ଚର୍ଚ୍ଚା ଧରିଛି | କାରଣ ଅପରାଜିତା ଷଡ଼ଙ୍ଗୀ ଙ୍କ ଏହି ଗସ୍ତକୁ କୌଣସି ଦଳୀୟ ନେତା ଯୋଗ ନ ଦେବା ପାଇଁ ରାଜ୍ୟ ବିଜେପିର ଗୋଟିଏ ଗୋଷ୍ଠୀ ସମର୍ଥନ କରୁନଥିବା କାରଣରୁ ଜିଲ୍ଲାର କୌଣସି ବିଜେପି କାର୍ଯ୍ୟକର୍ତ୍ତା ଯୋଗ ଦେଇ ନ ଥିବା ବେଳେ ବିଜେପି ବର୍ତ୍ତମାନ ଗୋଷ୍ଠୀକନ୍ଦଲ ଯୋଗୁ ବିଜେଡି ତିନୋଟି ପୌର ଏବଂ ପଂଚାୟତି ନିର୍ବାଚନରେ ଫାଇଦା ଉଠାଇପାରେ ବୋଲି ଭବିଷ୍ୟତ ବାଣୀ କରିଛନ୍ତି ରାଜନୈତିକ ସମୀକ୍ଷକ |