ରାଉରକେଲା : ସେକ୍ଟର- ୫ ସ୍ଥିତ କଲ୍ଚରାଲ୍ ଏକାଡେମୀ ପକ୍ଷରୁ ରାଉରକେଲା ପ୍ରେସ୍ କ୍ଲବ୍ ସହଯୋଗରେ କର୍ମବୀର ଗୌରୀଶଙ୍କର ରାୟ ଓ ରାଉରକେଲା ସହରର ଓଡ଼ିଆ ଅସ୍ମିତାର ପ୍ରତୀକ ରଜନୀକାନ୍ତ ଦାସଙ୍କ ସ୍ମୃତିଚାରଣ ଉପଲକ୍ଷେ ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଏକାଡେମୀ ପରିସରରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥିଭାବେ ରାଉରକେଲା ଇସ୍ପାତ କାରଖାନାର ଉପ ମହାପ୍ରବନ୍ଧକ ବିମଳ ବିଶି ଯୋଗଦେଇଥିଲେ। ଶ୍ରୀ ବିଶି ସେ ତାଙ୍କ ବକ୍ତବ୍ୟରେ ସ୍ୱର୍ଗତ ଗୌରୀଶଙ୍କରଙ୍କୁ ମନେ ରଖିବା ନିମନ୍ତେ କେତେକ ଉପାଦେୟ ପ୍ରସ୍ତାବ ଦେଇଥିଲେ। ମୁଖ୍ୟବକ୍ତାଭାବେ ବିଶିଷ୍ଟ ସମାଲୋଚକ ତଥା ଲେଖକ ପ୍ରଫେସର୍ ଦେବେନ୍ଦ୍ର ପ୍ରସାଦ ଦାସ ଯୋଗଦେଇଥିଲେ। ଶ୍ରୀ ଦାଶ ତାଙ୍କ ବକ୍ତବ୍ୟରେ ଗୌରିଶଙ୍କରଙ୍କ ଦ୍ୱାରା ପ୍ରତିଷ୍ଠିତ ତଥା ବହୁଳ ପ୍ରଚାରିତ ଉତ୍କଳ ଦୀପିକା ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଲ୍ଲେଖ କରିଥିଲେ। ଏହା ସହିତ ଓଡ଼ିଆ ଗଦ୍ୟ ସାହିତ୍ୟ ଓ ଓଡ଼ିଆ ଭାଷାର ପ୍ରସାର ନିମନ୍ତେ ଉତ୍କଳ ଦୀପିକାର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଆଲୋଚନାରେ ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ନିମନ୍ତେ ପ୍ରକାଶ ପାଇଥିବା ବିଭିନ୍ନ ପତ୍ର ପତ୍ରିକା ଓ ବ୍ୟକ୍ତିମାନଙ୍କ ସମର୍କରେ ସୂଚନା ଦେଇ ଶ୍ରୀ ଦାସ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ଅବତାରଣା କରିଥିଲେ। ଏହି ଅବସରରେ କଲ୍ଚରାଲ୍ ଏକାଡେମୀର ଦ୍ୱୀମାସିକ ପତ୍ରିକା ନବପତ୍ରର ମଇ-ଜୁନ୍ ୨୦୧୮ ସଂଖ୍ୟାକୁ ଅତିଥିମାନେ ଲୋକାର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଏକାଡେମୀର ସଭାପତି ଡ ପ୍ରଭାତ ମଲ୍ଲିକ୍ ଅଧ୍ୟକ୍ଷତା କରିଥିଲାବେଳେ ଉପସଭାପତି ପଶୁପତିନାଥ ଚାଟାର୍ଜୀ, ବରିଷ୍ଠ ଲେଖକ ଭୂପେନ ମହାପାତ୍ର ଓ ବରିଷ୍ଠ ସାମ୍ବାଦିକ ଅଦୈତ ପ୍ରସାଦ ବିଶ୍ୱାଳ ପ୍ରମୁଖ ସ୍ୱର୍ଗତ ରଜନିକାନ୍ତ ଦାଶଙ୍କ ସ୍ମୃତିଚାରଣ କରିଥିଲେ। ଏଥିରେ ସହରର ବିଭିନ୍ନ ବର୍ଗର ବ୍ୟକ୍ତିମାନେ ସାମିଲ ହୋଇଥିଲେ।