ନବଜୀବନ ବିଦ୍ୟାପୀଠରେ ବଲାଙ୍ଗିର ମୁନିସିପାଲିଟି ସ୍ତରୀୟ ବନ ମହୋତ୍ସବ ପାଳିତ
ବଲାଙ୍ଗିର(ନିରୋଜ ମିଶ୍ର) : ନବଜୀବନ ବିଦ୍ୟାପୀଠ, ବଲାଙ୍ଗିର ପରିସରରେ ସ୍ୱସ୍ତିକ ମିଡିଆ ପ୍ରା. ଲିଃ.ର ଆନୁକୂଲ୍ୟରେ ଓ ନବଜୀବନ ବିଦ୍ୟାପୀଠର ସହଯୋଗୀତାରେ ବଲାଙ୍ଗିର ମୁନିସିପାଲିଟିସ୍ତରୀୟ ବନ ମହୋତ୍ସବ ପାଳିତ ହୋଇଯାଇଛି | ସ୍ଥାନୀୟ ବିଧାୟକ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବଲାଙ୍ଗିର ଡି.ଏଫ୍.ଓ ସମିର କୁମାର ଶତପଥି, ବଲାଙ୍ଗିର ଫୋର୍ଡ କମ୍ପାନୀର ମାଲିକ ଅନିମେଶ ମେହେର ଯଥାକ୍ରମେ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଓ ଅନ୍ୟତମ ଅତିଥି ଭାବରେ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ମିଶ୍ର ବୃକ୍ଷ ରୋପଣ ଦ୍ୱାରା ବାୟୁ ପ୍ରଦୂଷଣ, ବିଶ୍ୱତାପନ, ମରୁଡି ପ୍ରଭୃତି ସମସ୍ୟା ସମାଧାନ ହୋଇ ପାରିବ ବୋଲି କହିବା ସହ ପିଲା ମାନେ ପରିବେଶ ସୁରକ୍ଷା ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଶ୍ରୀ ଶତପଥି ପରିବେଶ ଗତ ସନ୍ତୁଳନ ରକ୍ଷା କରିବା ପାଇଁ ବିଦ୍ୟାଲୟ ଗୁଡିକରେ ଇକୋ କ୍ଲବ ଗଠନ କରି ଛାତ୍ର ଛାତ୍ରୀ ମାନଙ୍କ ମନରେ ବୃକ୍ଷ ରୋପଣ ସମ୍ପର୍କୀୟ ସଚେତନତା ସୃଷ୍ଟି କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଉକ୍ତ ସଭାରେ ବନ ମହୋତ୍ସବ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ବକ୍ତୃତା ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀ ମାନେ ଯଥା ଲିଟିଲ ଫ୍ଲାୱାର ସ୍କୁଲର ଆଲିଶାବେଥ ଭାଇନା (ପ୍ରଥମ), ପ୍ରତିକ୍ଷା ରାଣୀ ଘିବେଲା (ଦ୍ୱିତୀୟ)ଓ ଶ୍ରୀୟା ଅଗ୍ରୱାଲ (ତୃତୀୟ) ଏବଂ ଚିତ୍ରାଙ୍କନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନେ ଯଥା ଲିଟିଲ ଫ୍ଲାୱାର ସ୍କୁଲର ଲେଲିନ ପଧାନ (ପ୍ରଥମ), ଆୟୁଷୀ ନନ୍ଦ (ଦ୍ୱିତୀୟ), ପି.ପି.ଏକାଡେମୀର ଚନ୍ଦ୍ର ଶେଖର ସାହୁ ଓ ରୋଶନ ବଗର୍ତ୍ତୀ (ଯୁଗ୍ନ ଭାବରେ ତୃତୀୟ) ଅତିଥି ମାନଙ୍କ ହସ୍ତରୁ ପୁରସ୍କାର ଓ ପ୍ରମାଣ ପତ୍ର ଗ୍ରହଣ କରିଥିଲେ । ସଭାର ପ୍ରାରମ୍ଭରେ ବିଦ୍ୟାଳୟର ସଙ୍ଗୀତ ଦଳ ସ୍ୱାଗତ ଗୀତ ପରିବେଶଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଶୋର ବାଗ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ ତଥା ବନ ମହୋତ୍ସବ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟୀର ସମ୍ପାଦକ ଭଞ୍ଜ କିଶୋର ନାଗ ବୃକ୍ଷ ରୋପଣ ଓ ତାର ଯତ୍ନର ଉପକାରିତା ସମ୍ପର୍କରେ ପବିତ୍ର ବାଇବେଲରୁ ଏକ ଅଂଶ ପଠନ କରି ଉକ୍ତ କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ଯେପରି ଛାତ୍ର ଛାତ୍ରୀ ଓ ଜନସାଧାରଣ ବୁଝି ପାରିବେ ସେହି ସମ୍ପର୍କରେ ପ୍ରାର୍ଥନା କରିଥିଲେ ଓ ସଭା ଶେଷରେ ସେ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଅତିଥି ବୃନ୍ଦ ତଥା ଛାତ୍ର ଛାତ୍ରୀମାନେ ବିଦ୍ୟାଳୟର ଖେଳ ପଡିଆକୁ ଯାଇ ବୃକ୍ଷ ରୋପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ସ୍ୱସ୍ତିକ ମିଡିଆର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ଠାକୁରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା ।ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ବିଶ୍ୱଜିତ କଲେଟ୍, ସୁପ୍ରଭା ବାରିକ, ମିନତି ବାରିକ, ସନ୍ଧ୍ୟାରାଣୀ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।