ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ମହାପ୍ରଭୂ ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେଙ୍କ ଘୋଷ ଯାତ୍ରା ଆରମ୍ଭ
ବାରିପଦା(ଦିଲ୍ଲୀପ ମହାନ୍ତି )
ଜନ ସମୂଦ୍ରରେ ଦିଶୁ ନ ଥିଲା ପଥ । ଲକ୍ଷାଧିକ ଭକ୍ତଙ୍କ ଗହଳିଚହଳି ପ୍ରକମ୍ପିତ କରିଦେଇଥିଲା ବଡ଼ଦାଣ୍ଡକୁ । ଜୟ ଜଗନ୍ନାଥ ଧ୍ୱନୀ ସହିତ ଶଙ୍ଖ, ମୃଦଙ୍କ, ସଂକୀର୍ତ୍ତନ ଚତୁର୍ଦ୍ଧିଗର ଗଗନ ପବନକୁ ମୁଖରିତ କରି ପାକାଇଥିଲା । ଭିନ୍ନଭିନ୍ନ ବେଶପୋଷାକରେ ଭକ୍ତମାନେ ଅପେକ୍ଷାକରିଥିଲେ ଭାବଗ୍ରାହୀଙ୍କୁ । ରବିବାର ଆଷାଢ଼ ଶୁକ୍ଳ ତୃତୀୟା ତିଥିରେ ଜଗତର ନାଥ ଜଗନ୍ନାଥ ମହାପ୍ରଭୂଙ୍କ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାର ଦୃଶ୍ୟ । ବିଶ୍ୱ ପ୍ରସିଦ୍ଧ ପୁରୀଘୋଷଯାତ୍ରାଠାରୁ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ନିଆରା ପରମ୍ପରାରେ ପରିପୂର୍ଣ୍ଣ । ଶ୍ରୀକ୍ଷେତ୍ର ଧାମ ପୁରୀ ଶ୍ରୀମନ୍ଦିରରେ ପହଣ୍ଡିବିଜେ ଓ ରଥ ଟଣା ଆଷାଢ଼ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ସମାପନ ହେଉଥିବାବେଳେ ବାରିପଦାରେ ଏହି ଦିନ ମହାପ୍ରଭୂଙ୍କ ପହଣ୍ଡି ବିଜେ ହୋଇଥାନ୍ତି ଓ ପରବର୍ତ୍ତି ଦିନ ରଥ ଟଚ୍ଚା ହୋଇଥାଏ । ପୁଣି ପୁରୀରେ ଧାଡ଼ି ପହଣ୍ଡିରେ ମହାପ୍ରଭୂ ବିଜେ କରୁଥିବାବେଳେ ବାରିପଦାରେ ଗୋଟି ପହଣ୍ଡିରେ ବିଜେ ହୋଇଥାନ୍ତି । ସେହିପରି ଶ୍ରୀକ୍ଷେତ୍ରଧାମରେ ରଥ ଟଚ୍ଚା ଗୋଟାଏ ଦିନ ହେଉଥିବାବେଳେ ବାରିପଦାରେ ଦୁଇ ଦିନ ହୋଇଥାଏ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ମହିଳା ଭକ୍ତମାନେ ୧୯୭୫ ମସିହାଠାରୁଟାଣି ଆସିବାର ଏକ ପରମ୍ପରା ସୃଷ୍ଟି ଛେହାଇଆସିଛି ।
ରବିବାର ପୂର୍ବାହ୍ନରେ ପାଗ ପ୍ରତିକୂଳରହିଥିଲା । ଆସ୍ତେ ଆସ୍ତେ ବଡ଼ଦାଣ୍ଡ ଲୋକାରଣ୍ୟ ହେବାରେ ଲାଗିଲା । ଦେଶ ବିଦେଶରୁ ଭକ୍ତମାନେ ପହଁଞ୍ଚି ବଡ଼ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ପାଶ୍ୱର୍ରେ ରଥାରୂଢ଼ ମହାପ୍ରଭୂମାନଙ୍କୁ ଦର୍ଶନ କରିବା ସଂଗେସଂଗେ ପୂଜାର୍ଚ୍ଚନା କରିଥିଲେ । ସମୟ ବଢ଼ିବା ସହିତ ତାଳ ଦେଇ ବଡ଼ଦାଣ୍ଡ ମଧ୍ୟ ଭକ୍ତମାନଙ୍କ ଦ୍ୱାରା ଉକ୍ତୁଳିବାରେ ଲାଗିଥିଲା । ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ ଉଚ୍ଚାରଣରେ ସୃଷ୍ଟି ହୋଇଥିଲା ଏକ ଭାବଗତ ଆଧ୍ୟାତ୍ମିକ ପରିବେଶ । ଘଣ୍ଟ, ଘଣ୍ଟା, ମୃଦଙ୍ଗ, କାହାଳୀ ଶବ୍ଦର ଗୁଞ୍ଜରଣ ମୁଖରିତ କରାଇଥିଲା ବଡ଼ଦାଣ୍ଡକୁ । ସିଂହଦ୍ୱାର ପାର୍ଶରେ ସୁସଜ୍ଜିତ ହୋଇ ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ୱଜ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଚାହିଁ ରହିଥିଲେ । ପତିତପାବନଙ୍କୁ ଦର୍ଶନ ଦେବା ନିମନ୍ତେ ଭାଇ, ଭଉଣୀଙ୍କ ସହିତ ବଡ଼ଦାଣ୍ଡକୁ ଉହ୍ଲାଇ ଆସିଛନ୍ତି କାଳିଆ ସାଆନ୍ତେ । ଭାବବିନୋଦିଆଙ୍କ ଦର୍ଶନ ଲାଭକରି ଭାବବିହ୍ୱଳ ହୋଇପଡ଼ିଥିଲେ ଭକ୍ତ । ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ଏହି ଅପୂର୍ବ ମିଳନ ହୋଇଥାଏ ଆଜିର ଏହି ପବିତ୍ର ଦିନରେ । ଜାତି, ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ସମସ୍ତେ ହୋଇଯାଇଥିଲେ ଏକାକାର । ଲକ୍ଷାଧିକ ଭକ୍ତଙ୍କ ଗହଣରେ ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ଚତୁର୍ଦ୍ଧାମୂର୍ତ୍ତି । କେତେବେଳେ ଆସିବ ଏହି ବ୍ରହ୍ମମୁହୂର୍ତ୍ତ । ଚଳିତ ବର୍ଷ ରଥ ନୀତି ନିର୍ଘଣ୍ଟ ଅନୁସାରେ ପ୍ରତିକୂଳ ପାଗ ଆକାଶରେ ବାଦଲ, ବର୍ଷା ଓ ସୂର୍ଯ୍ୟଦେବଙ୍କ ମଧ୍ୟରେ ଲୁଚକାଳି ଖେଳ ଚାଲିଥିବା ଅବସ୍ଥାରେ ନିର୍ଦ୍ଧାରିତ ସମୟ ଠିକ୍ ଅଢେ଼ଇଟା ବେଳେ ବଳଭଦ୍ରଙ୍କ ତାଳଧ୍ୱଜ ରଥରୁ ସଂକେତ ଆସିବା ମାତ୍ରେ ଭକ୍ତମାନେ ରଥକୁ ଟାଣି ଅପରାହ୍ନ ପ୍ରାୟ ୪ଟା ସମୟରେ ମାଉସୀମା(ରାଧାମୋହନ) ମନ୍ଦିର ନିକଟରେ ପହଁଞ୍ଚାଇ ଥିଲେ । ଏହାପରେ ଦେବୀସୁଭଦ୍ରାଙ୍କ ଦର୍ପଦଳନ ରଥକୁ ହଜାରହଜାର ସଂଖ୍ୟାରେ ମହିଳାମାନେ ଟାଣି ବଡଦାଣ୍ଡର ମଧ୍ୟ ସ୍ଥଳି ବାରିପଦା ଟାଉନ ଥାନା ସମ୍ମୁଖରେ ଅପରାହ୍ନ ସାଢେ଼ ୫ଟା ସମୟରେ ପହଁଞ୍ଚାଇବା ପରେ ରଥ ଟଣାକୁ ପ୍ରଚଳିତ ପରମ୍ପରା ଅନୁସାରେ ବନ୍ଦ ରଖା ଯାଇଥିଲା । ପୁଣି ପରବର୍ତ୍ତି ଦିନ ଅର୍ଥାତ୍ ସୋମବାର ୧୬/୦୭/୨୦୧୮ ଅପରାହ୍ନ ଠିକ୍ ଅଢେ଼ଇଟା ସମୟରେ ଦେବୀ ସୁଭଦ୍ରଙ୍କ ଦର୍ପଦଳନ ରଥକୁ ଟାଉନ ଥାନା ନିକଟରୁ ପୁଣି ମହିଳାମାନେ ଟାଣି ମାଉସୀମା ମନ୍ଦିର ନିକଟରେ ପହଁଚାଇବା ପରେ ମନ୍ଦିରବେଢ଼ା ନିକଟରେ ଅପେକ୍ଷାରେ ଥବା ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ନନ୍ଦୀଘୋଷ ରଥକୁ ଟଣା ଯିବାର କାର୍ଯ୍ୟକ୍ରମ ରହିଅଛି । ସେହିପରି ବାରିପଦା ସହରର ଲାଲବଜାରଠାରେ ସାନ ଜଗନ୍ନାଥ ମନ୍ଦିରରେ ମଧ୍ୟ ସୋମବାର ପୂର୍ବାହ୍ନ ସାଢେ଼ ୯ଟାରେ ରଥ ଟଣାଯିବାର କାର୍ଯ୍ୟକ୍ରମ ରହିଥିବାବେଳେ ଏହି ରଥକୁକେବଳ ୧୪ ବର୍ଷରୁ କମ୍ ବାଳକବାଳିକାମାନେ ଟାଣିବାର ପରମ୍ପରା ରହିଆସିଛ ।
ଉପବାଚସ୍ପତି ଟାଣିଲେ ରଥ
ଆଜିର ଏହି ରଥ ଟଣାରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଭାଙ୍ଗି ରଥ ଟାଣିବା ସଂଗେସଂଗେ ଭକ୍ତମାନଙ୍କ ଗହଣରେ ନିଜକୁ ହଜାଇ ଦେଇଥିଲେ । ସେହିପରି ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ, ଜିଲ୍ଲା ଯୁବ ବିଜଦ ସଭାପତି ଜିତେନ୍ଦ୍ର ମହାନ୍ତି, ମୟୂରଭଞ୍ଜ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ସଂସ୍ଥା ଅଧ୍ୟକ୍ଷ ଡ଼ା. ଦେବାଶିଷ ମାର୍ଣ୍ଡିଙ୍କ ସମେତ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାର, ବାରିପଦା ଦେବୋତ୍ତର ବିଭାଗର ନିର୍ବାହୀ ଅଧିକାରୀ ତଥା ବାରିପଦା ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାୟକ, ବାରିପଦା ବନଖଣ୍ଡ ଅଧିକାରୀ ସ୍ୱୟମ୍ ମଲ୍ଲିକ, ବାରିପଦା ପିଏ ଆଇଟିଡ଼ିଏ ଶ୍ରୀଥମ୍ବ, ଡ଼ିଆଇବି ଡ଼ିଏସପି ଦିଲ୍ଲୀପ କୁମାର ପଟେଲ, କେଉଁଝର ଡ଼ିଏସପି ନାରାୟଣ ନାୟକ, ବାରିପଦା ସଦର ଏସଡ଼ିପିଓ ଅଭିମନୁ୍ୟ ନାୟକ ପ୍ରମୁଖ ରଥ ଟଣା କାର୍ଯ୍ୟକ୍ରମରେ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା । ରଥ ଟଣା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷାକରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯିବା ସହିତ ଯାନ ବାହନ ଚଳାଚଳ ଉପରେକଟକଣା ଲାଗୁକରାଯାଇଛି । ସହରର ବିଭିନ୍ନ ଛକମାନଙ୍କରେ ଟ୍ରାଫିକ ପୋଲିସ ଓ ପୋଲିସ ମୁତୟନ କରାଯାଇଥିଲା । ବଡଦାଣ୍ଡ ରଉଭୟ ପାଶ୍ୱର୍ରେ ରହିଥିବା ଉଚ୍ଚ କୋଠା ଓ ୱାଚ ଟାୱାର ଉପରୁ ବଡଦାଣ୍ଡରେ ଚଳାଚଳ କରୁଥିବା ପ୍ରତ୍ୟେକ ଜନସାଧାରଣଙ୍କ ଉପରେ ନଜର ରଖା ଯାଇଥିଲା ।
ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ
ବାରିପଦା ଉପନଗରପାଳ ଭାବେ ଜିତେନ୍ଦ୍ର ମହାନ୍ତି ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ସହରର ପରିମଳ ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିପାରିଛି । ବାରିପଦା ପୌରପରିଷଦର ରାସ୍ତାଘାଟକୁ ପରିଷ୍କାର ପରିଚ୍ଛନ୍ନ ରଖିବା ନିମନ୍ତେ ଦିନ ରାତି ଅକ୍ଳାନ୍ତ ଉଦ୍ୟମ ଜାରି ରଖିଛନ୍ତି । ପବିତ୍ର ରଥଯାତ୍ରାରେ ସହର ସହିତ ବଡ଼ଦାଣ୍ଡକୁ ବ୍ଲିଚିଂ ପକାଇ ସଫାସୁତୁରା ରଖିବା ନିମନ୍ତେ ଉଦ୍ୟମ ଜାରି ରଖିଛନ୍ତି । ରଥ ଟଣା ସମୟରେ ପୌରପରିଷଦର ସଫେଇ କର୍ମଚାରୀମାନେ ସଫେଇ କାର୍ଯ୍ୟ ଜାରି ରଖିଥିବାର ପରିଲକ୍ଷିତ ହୋଇଛି ।