କୁଚିଣ୍ଡା- ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ଦେବଗଡ଼ - କୁଚିଣ୍ଡା ସହରକୁ ସଂଯୋଗ କରୁଥିବା ବ୍ରିଟିଶ ସମୟର ଝୁଲେନ ପୋଲ ଭାଙ୍ଗି ଯାଇଛି l ଏକ ହାଇୱା ଟ୍ରକ ଖର୍ଲା ନଦୀ ଭିତରକୁ ଖସି ପଡ଼ିଛି l ଶହେ ବର୍ଷରୁ ଅଧିକ ପୁରୁଣା କୁହାଯାଉଥିବା ଏହି ଲୁହା ପୋଲ ଦେଇ ରାତି ପ୍ରାୟ ୧୦ଟା ୧୫ରେ ଏକ ହାଇୱା ଟ୍ରକ ଯିବା ସମୟରେ ପୋଲଟି ଭାଙ୍ଗି ଯାଇଥିଲା l ଫଳରେ ଟ୍ରକରେ ଥିବା ଚାଳକ ଓ ହେଲପର ରହିଥିଲେ, ଘଟଣା ସଂକ୍ରାନ୍ତରେ ଖବର ପାଇ କୁଚିଣ୍ଡା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ l ସ୍ଥାନୀୟ ଲୋକେ ହେଲପରକୁ ପ୍ରଥମେ ଉଦ୍ଧାର କରି ବାଇକ ଯୋଗେ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ୧୧ ଘଣ୍ଟା ପରିଶ୍ରମ ପରେ ଟ୍ରକ ଚାଳକଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନିଆଯାଇଥିଲା l ସୂଚନାଅନୁଯାୟୀ ହେଲପର ଗୁରୁତର ଆହତ ଥିବାବେଳେ ଟ୍ରକ ଚାଳକଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଜଣା ପଡ଼ିଛି l
ଏସଂକ୍ରାନ୍ତରେ ଖବର ପାଇ ଘଟଣା ସ୍ଥଳରେ କୁଚିଣ୍ଡା ଉପଜିଲ୍ଲାପାଳ ଆଦିତ୍ୟ ଗୋଏଲ, ବିଡ଼ିଓ ନିରଞ୍ଜନ ସା, ତହସିଲଦାର ପ୍ରତିମା ପିଙ୍ଗ, ଏସଡ଼ିପିଓ ରାଜକିଶୋର ମିଶ୍ର, ଥାନା ଅଧିକାରୀ ଶୋଭାକାର ପ୍ରଧାନ, ପୂର୍ବତନ ବିଧାୟକ ରବିନାରାୟଣ ନାଏକ ପ୍ରମୁଖ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିଥିଲେ l ପୋଲ ଭାଙ୍ଗି ଯିବା ପରେ ଝାରସୁଗୁଡ଼ା - ଦେବଗଡ଼ ସଂଯୋଗ କରୁଥିବା ୪୯ ନମ୍ବର ଜାତୀୟ ରାଜପଥ କୁଚିଣ୍ଡା - ଲାଡ଼ ଉଭୟ ପାର୍ଶ୍ବରେ ଶହଶହ ଗାଡ଼ି ଅଟକି ରହିଥିଲା l