ପହଣ୍ଡି ବିଜେକୁ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ
ବାରିପଦା(ଦିଲ୍ଲୀପ ମହାନ୍ତି )- ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତି ଲାଭ କରିଥିବା ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେ ବାରିପଦାଙ୍କ ପବିତ୍ର ଘୋଷଯାତ୍ରା ଆରମ୍ଭ ହୋଇଯାଇଛି । ଶନିବାର ସକାଳ ସମୟରେ ମହାପ୍ରଭୂମାନଙ୍କ ନିକଟରେ ମଙ୍ଗଳ ଆଳତୀ, ମହାସ୍ନାନ, ଅବକାଶ ନୀତି ପରେ ପୂର୍ବାହ୍ନ ସାଢେ଼୭ଟାରୁ ୧୦ଟା ମଧ୍ୟରେ କଳସ ଓ ରଥ ପ୍ରତିଷ୍ଠା ପରେ ଦିବା ସାଢେ଼୧୦ଟାରୁ ସାଢେ଼ ୧୧ଟା ମଧ୍ୟରେ ଶ୍ରୀଶ୍ରୀ ମା’ ଅମ୍ବିକାଠାକୁରାଣୀଙ୍କର ଦାସୀ ରଥ ଖଳାକୁ ଆସି ରଥ ପ୍ରଦକ୍ଷିଣ କରିବା ପରେ ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଚକାଛଡ଼ା କାର୍ଯ୍ୟ ସମାପନ ହୋଇଥିଲା । ମଧ୍ୟାହ୍ନରେ ସମସ୍ତ ଠା ନୀତି ପରେ ମହାପ୍ରଭୂଙ୍କ ପହଡ଼, ପୁର୍ନବାର ପହଡ଼ ଭଙ୍ଗା ଅଳତୀ ହେବା ପରେ ଆରିସା ପିଠା ଓ ଛେନାପଣା ଲାଗି ହୋଇଥିଲା । ଏହାପରେ ପ୍ରଚଳିତ ନୀତି ଅନୁସାରେ ମନ୍ଦିରର ପରିଚ୍ଛା ଦୁର୍ଗାଚରଣ ଜିତବାବୁଙ୍କ ଦ୍ୱାରା ଛେରାପହଁରା କାର୍ଯ୍ୟ ଅପରାହ୍ନ ୪ରୁ ସାଢେ଼୪ ମଧ୍ୟରେ ହେବାର ସମୟ ନିର୍ଘଣ୍ଟ ଧାର୍ଯ୍ୟ ହୋଇଥିବା ବେଳେ ଏହା ପ୍ରାୟ ଏକ ଘଣ୍ଟାରୁ ଅଧିକ ବିଳମ୍ବରେ ଶେଷ ହୋଇଥିଲା ଏବଂ ପରେ ପରେ ଚତୁର୍ଦ୍ଧାମୂର୍ତ୍ତୀ ଗୋଟି ପହଣ୍ଡି ବିଜେରେ ରଥାରୂଢ଼ ହୋଇଥିଲେ । ପ୍ରଥମେ ମହାପ୍ରଭୂ ବଳଭଦ୍ର ଗୋଟି ପହଣ୍ଡିରେ ବିଜେ ହୋଇ ତାଳଧ୍ୱଜ ରଥାରୂଢ଼ ହେବା ପରେ ଦେବୀ ସୁଭଦ୍ରା ଓ ସୁଦର୍ଶନ ପହଣ୍ଡି ବିଜେ ହୋଇ ଦର୍ପଦଳନ ଓ ଶେଷରେ ମହାପ୍ରଭୂ ଶ୍ରୀଜଗନ୍ନାଥନନ୍ଦିଘୋଷ ରଥକୁ ବିଜେ ହୋଇଥିଲେ । ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାଠାରେ ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେଙ୍କ ଘୋଷଯାତ୍ରା ଏକ ନିଆରା ପରମ୍ପରା ଅନୁସାରେ ସମ୍ପାଦନ ହୋଇଥାଏ । ମହାପ୍ରଭୂ ଶ୍ରୀକ୍ଷେତ୍ରଧାମ ପୁରୀରେ ଆଡ଼ପ ମଣ୍ଡପକୁ ବିଜେ ହେବା ପରେ ବାରିପଦାଠାରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ବଡ଼ ଜଗନ୍ନାଥ ମନ୍ଦିରର ପରମ୍ପରା ଓ ପ୍ରଚଳିତ ନୀତିରୀତି ଅନୁସାରେ ବାରିପଦାଠାରେ ମହାପ୍ରଭୂଙ୍କର ରଥ ଟଣା ଦୁଇ ଦିନ ଧରି ହୋଇଥାଏ । ପହଣ୍ଡି ବିଜେ ପରେ ରଥଖଳାରେ ମହାପ୍ରଭୂମାନେ ସାରା ରାତି ରଥାରୁଢ଼ ହୋଇ ରହିଥାନ୍ତି । ପରବର୍ତ୍ତୀ ଦିନ ଅର୍ଥାତ୍ ୧୫/୦୭/୨୦୧୮ରେ ସେହି ରଥ ଉପରେ ମହାପ୍ରଭୂମାନଙ୍କ ସମସ୍ତ ରୀତି ନୀତି ସମ୍ପାଦନ ହେବା ପରେ ଅପରାହ୍ନ ୨.୩୦ ମିନିଟରେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଭକ୍ତମାନେ ଟାଣି ମାଉସୀମା ମନ୍ଦିର ନିକଟରେ ପହଁଞ୍ଚାଇବେ । ଏହାପରେ ରଥ ଖଳାରୁ ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥକୁ ପ୍ରଚଳିତ ପ୍ରଥା ଅନୁସାରେ ମହିଳାମାନେ ଟଣି ଅଧା ରାସ୍ତା ବାରିପଦା ଟାଉନ ଥାନା ସମ୍ମୁଖରେ ପହଁଞ୍ଚାଇବା ପରେ ପ୍ରଥମ ଦିନର ରଥ ଟଚ୍ଚାକୁ ବନ୍ଦ ରଖାଯାଏ । ପୁଣି ୧୬/୦୭/୨୦୧୮ ଅପରାହ୍ନ ଠିକ୍ ଅଢେ଼ଇଟାରୁ ଦେବୀ ସୁଭଦ୍ରାଙ୍କର ରଥକୁ ଥାନା ସମ୍ମୁଖରୁ ଟାଣି ମାଉସୀ ମା ମନ୍ଦିରେ ପହଁଞ୍ଚାଇବା ପରେ ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ ରଥକୁ ଟଣା ଯିବାର କାର୍ଯ୍ୟକ୍ରମ ରହିଅଛି । ବାରିପଦାରେ ଦେବୀ ସୁଭଦ୍ରାଙ୍କର ରଥକୁ ୧୯୭୫ ମସିହାଠାରୁ କେବଳ ମହିଳା ମାନେ ଟାଣି ଆସୁଛନ୍ତି । ଏଥି ସହିତ ରଥ ଉପରୁ ଗୁଡ଼ରେ ପ୍ରସ୍ତୁତ ଲଡ଼ୁକୁ ଭକ୍ତମାନଙ୍କ ଉପରକୁ ଫିଙ୍ଗିବା ଓ ଭକ୍ତମାନେ ଏହି ଫିଙ୍ଗାଯାଉଥିବା ଲଡ଼ୁକୁ ପାଇବା ନିମନ୍ତେ ପରସ୍ପର ମଧ୍ୟରେ ପ୍ରତିଯୋଗିତାର ଦୃଶ୍ୟ ଅତ୍ୟନ୍ତ ମନମୁଗ୍ଧ କର ହୋଇଥାଏ । ସେହିପରିି ବାରିପଦା ସହରରେ ସାନ ଜଗନ୍ନାଥ ମନ୍ଦିରରେ ମଧ୍ୟ ମହାପ୍ରଭୂମାନଙ୍କର ପହଣ୍ଡି ବିଜେ ଅନୁଷ୍ଠିତ ହୋଇ ଥିଲା । ପରମ୍ପରା ଓ ରୀତିନୀତି ଅନୁସାରେ ସାନଜଗନ୍ନାଥ ମନ୍ଦିରରେ ମହାପ୍ରଭୂ ମାନେ ଗୋଟାଏ ରଥରେ ରଥାରୂଢ଼ ହୋଇ ଆଡ଼ପ ମଣ୍ଡପକୁ ବିଜେ ହୋଇଥାନ୍ତି ଏବଂ ଏହାକୁ କେବଳ ୧୪ ବର୍ଷରୁ କମ୍ ପିଲାମାନେ ଟାଣିବାର ପରମ୍ପରା ରହିଆସିଛି । ଅନୁକୂଳ ପାଗ ସତ୍ୱେ ଭକ୍ତମାନେ ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେ ବାରିପଦାଙ୍କର ପହଣ୍ଡି ଦେଖିବାକୁ ଭିଡ଼ ଜମାଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦେବୋତ୍ତର ବିଭାଗ ନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାୟକ, ଏସପି ଅବିନାଶ କୁମାର, ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ, ବେଳେ ବାରିପଦା ସଦର ଏସଡ଼ିପିଓ ଅଭିମନ୍ୟୁ ନାୟକଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ଓ ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକଙ୍କ ସହଯୋଗରେ ସୁରକ୍ଷା ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯାଇଥିଲା । ଏମାନଙ୍କ ବ୍ୟତୀତ ବାରିପଦା ପୌରପରିଷଦର ଉପନଗରପାଳ ଜିତେନ୍ଦ୍ର ମହାନ୍ତିଙ୍କ ସମେତ ଚଳଚିତ୍ର ତାରକା ଉତ୍ତମ ମହାନ୍ତି, ଅସିତ ପତି ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ଆଜିର ପହଣ୍ଡି ବିଜେରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟି ଥିଲେ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି । ଆଦିବାସୀ ସମ୍ପ୍ରଦାୟର ମହିଳା ଓ ପୁରୁଷମାନଙ୍କ ଦ୍ୱାରା ପାରମ୍ପରିକ ଢ଼ଙ୍ଗରେ ପରିବେଶିତ ବାଦ୍ୟ ଓ ନୃତ୍ୟର ତାଳେତାଳେ ନିଜକୁ ସାମିଲ କରାଇ ପହଣ୍ଡିକୁ ଉପଭୋଗ କରିବା ସହିତ ଭକ୍ତମାନଙ୍କୁ ମନ୍ତ୍ରମୁଗ୍ଧ କରାଇଥିଲେ ।