ହେଡଲାଇନସ୍:

 ଜଣେ ସାଲିସ ବିହୀନ  ବ୍ୟକ୍ତିତ୍ୱ  ଥିଲେ ପ୍ରବୀଣ ସାମ୍ବାଦିକ ମିହିର ଆଚାର୍ଯ୍ୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

13-07-18-Mihir-Acharya-Deat.jpg - 68.76 kB

ବାଲେଶ୍ୱର(ଉଜ୍ଜ୍ୱଳ କର) : ମିହିର ଆଚାର୍ଯ୍ୟ ସ୍ମୃତି କମିଟି ପକ୍ଷରୁ ବିଶିଷ୍ଟ ସମାଜସେବୀ ତଥା ପ୍ରବୀଣ ସାମ୍ବାଦିକ ମିହିର ଆଚାର୍ଯ୍ୟଙ୍କ ଏକବିଂଶତମ ଶ୍ରାଦ୍ଧ ବାର୍ଷିକ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପରିସରସ୍ଥିତ ସାମ୍ବାଦିକ ପ୍ରକୋଷ୍ଠରେ  ଅନୁଷ୍ଠିତ  ହୋଇଯାଇଛି । ବିଶିଷ୍ଟ ଶିକ୍ଷାବିତ୍  ଡ. ପ୍ରହ୍ଲାଦ ଚରଣ ମହାନ୍ତି ଏଥିରେ ଅଧ୍ୟକ୍ଷତା କରିବା ସହିତ ସ୍ୱର୍ଗତ ଆଚାର୍ଯ୍ୟଙ୍କ  ଜୀବନାଦର୍ଶ ଓ ବହୁବିଧ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ବରିଷ୍ଠ  ନାଗରିକ ମଂଚର ସମ୍ପାଦକ ଲକ୍ଷ୍ମୀଧର ବେହେରା, ବ୍ରିଟ୍ ଅଧ୍ୟକ୍ଷ ଗୌରୀ କୁମାର ରାଉତ, ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ସୁବାଷ ଚନ୍ଦ୍ର ନିଆଲ୍, ବରିଷ୍ଠ  ଆଇନଜୀବୀ ପୁରୁଷୋତ୍ତମ ବିଶ୍ୱାଳ ପ୍ରମୁଖ ଯୋଗଦେଇ ନିର୍ଭୀକ ସାମ୍ବାଦିକତା ସାଙ୍ଗକୁ ତକ୍ରାଳୀନ ବାଲେଶ୍ୱର ବିକାଶରେ ସ୍ୱର୍ଗତ ଆଚାର୍ଯ୍ୟଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ପେଷାରେ ଜଣେ ସାମ୍ବାଦିକ ହୋଇଥିଲେ ମଧ୍ୟ ସ୍ୱର୍ଗତ ଆଚାର୍ଯ୍ୟ ତାଙ୍କର ଜୀବନକାଳ ମଧ୍ୟରେ ସ୍ଥାନୀୟ ଅଂଚଳର ଉନ୍ନତି ନେଇ ସର୍ବଦା ଉଦ୍ୟମ କରୁଥିଲେ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ଜିଲ୍ଲା ଶିଳ୍ପାୟନଠାରୁ ଆରମ୍ଭ କରି ଫକୀର ମୋହନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା , ଆଇନ ମହାବିଦ୍ୟାଳୟ ପ୍ରତିଷ୍ଠା  ପ୍ରଭୃତି ଲୋକାଭିମୁଖୀ କାର୍ଯ୍ୟରେ ସେ ସର୍ବଦା ଆଗରେ ରହୁଥିଲେ । ତାଙ୍କର ସହଯୋଗରେ ଜିଲ୍ଲାରେ ବହୁ ସାମ୍ବାଦିକ ସୃଷ୍ଟି ହୋଇଛନ୍ତି । ଲକ୍ଷ୍ମଣରେଖା ମଧ୍ୟରେ ରହି ସମ୍ବାଦିକତା ମାଧ୍ୟମରେ ସାମାଜର ବିକାଶ ସମ୍ପର୍କରେ ନୂତନ ପିଢ଼ିଙ୍କୁ ସେ ଶିକ୍ଷା ଦେଇଛନ୍ତି । ଜଣେ ସାଲିସ ବିହୀନ  ବ୍ୟକ୍ତିତ୍ୱ ଭାବେ ତାଙ୍କର ଅବର୍ତମାନ ଜିଲ୍ଲାର ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ସୃଷ୍ଟି କରିଥିବା ଶୂନ୍ୟସ୍ଥାନ ଏବେ ବି ଅପୂରଣୀୟ ହୋଇ ରହିଛି ବୋଲି ବକ୍ତମାନେ ସ୍ମୃତିଚାରଣ ଅବସରରେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ  ସାମ୍ବାଦିକ ବିପ୍ଲବ କୁମାର ମହାନ୍ତି, ଦେବବ୍ରତ ପାଣିଗ୍ରାହୀ, ରଞ୍ଜନ ବାଗ, ବ୍ରହ୍ମନାଥ ରଥ, ବ୍ୟୋମନାଥ ରଥ ପ୍ରମୁଖ ଏଥିରେ ଯୋଗଦେଇ ସ୍ୱର୍ଗତ ଆଚାର୍ଯ୍ୟଙ୍କ ଜୀବନୀ ଓ କାର୍ଯ୍ୟଧାରା ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ଆଚାର୍ଯ୍ୟଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ସହ ଏକ ମିନିଟ୍ ନିରବ ପ୍ରାର୍ଥନା ମାଧ୍ୟମରେ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାସୁମନ ଜ୍ଞାପନ କରାଯାଇଥିଲା । ସ୍ୱର୍ଗତ ଆଚାର୍ଯ୍ୟଙ୍କ ଜ୍ୟେଷ୍ଠ ପୁତ୍ର ସମୀର ଆଚାର୍ଯ୍ୟ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 

0
0
0
s2sdefault