ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଗାମୀ ସାଧାରଣ ନିର୍ବାଚନରେ ମୋତେ ଯଦି ବ୍ରହ୍ମପୁର ଲୋକସଭା ଆସନରେ କଂଗ୍ରେସ ପକ୍ଷରୁ ପ୍ରତିଦ୍ବନ୍ଦିତା କରିବା ପାଇଁ ଟିକଟ ମିଳେ ଏବଂ ନିର୍ବାଚିତ ହୁଏ , ତା'ହେଲେ ମୁଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତର ବିଭିନ୍ନ ଅବହେଳିତ ଅଞ୍ଚଳର ଭାଷା ଓ ଚିତ୍ରକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେବି ବୋଲି ପାରଳାଖେମୁଣ୍ଡି ସ୍ଥିତ ପିଡବ୍ଲ୍ୟୁଡି ଗେଷ୍ଟ ହାଉସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ରାଜ୍ୟ କିଷାନ କଂଗ୍ରେସ ଦାୟିତ୍ୱରେ ଥିବା ଶ୍ରୀ ରଶ୍ମି ରଞ୍ଜନ ପଟ୍ଟନାୟକ ।
ସେ କହିଛନ୍ତି ଯେ , କଂଗ୍ରେସର ଚିରାଚରିତ ସାଂସଦ ଆସନ ହେଲା ବ୍ରହ୍ମପୁର ଏବଂ ବିଶେଷ ଭାବେ ପାରଳାଖେମୁଣ୍ଡି ଓ ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀ । ଏମିତିକି , କଂଗ୍ରେସର ଦୁର୍ଦ୍ଦିନ ସମୟରେ ଗଜପତି ଜିଲ୍ଲା ହିଁ ଅତୀତରେ ସବୁବେଳେ ସାଥ ଦେଇ ଆସିଛି । ହେଲେ , କଂଗ୍ରେସର ସାଂସଦ ପ୍ରାର୍ଥୀ ମାନେ ନିର୍ବାଚନରେ ଏହି ଅଞ୍ଚଳରୁ ବହୁଭୋଟ ପାଉଥିଲେ ମଧ୍ୟ ତାର ପରବର୍ତ୍ତୀ କାଳରେ ଅବହେଳିତ ଅଞ୍ଚଳର ବିକାଶ ପାଇଁ କେବେ ହେଲେ ଗୁରୁତ୍ୱ ଦେଇ ନାହାନ୍ତି , ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ମୁଁ କହି ରଖିବା ସହ ଏଠାରେ ପ୍ରତିଶ୍ରୁତି ରଖୁଛି ଯେ , ମୋତେ ଯଦି ଆଗାମୀ ନିର୍ବାଚନରେ ବ୍ରହ୍ମପୁର ସାଂସଦ ଆସନରେ ପ୍ରତିଦ୍ବନ୍ଦିତା ପାଇଁ କଂଗ୍ରେସ ଟିକଟର ସୁଯୋଗ ମିଳେ ଏବଂ ମୁଁ ନିର୍ବାଚିତ ହୋଇ ଆସିଲେ ଅବହେଳିତ ଅଞ୍ଚଳର ଭାଷା ଓ ଚିତ୍ର ବଦଳାଇ ଦେବି ।
ଏଇ ମଧ୍ୟରେ ସରକାର ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମେତ ପୌର ଓ ଏନଏସି: ନିର୍ବାଚନ କରାଇବା ପାଇଁ ତପ୍ତରତା ପ୍ରକାଶ କରିଛନ୍ତି ଏବଂ ସେଥିପାଇଁ ବିଭିନ୍ନ ସ୍ତରରେ ସରକାର ସଜବାଜ ହେଉଛନ୍ତି ।
ସେହି ପରିପ୍ରେକ୍ଷୀରେ , ମୋହନା ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାଶରଥି ଗମାଙ୍ଗ ଯେଉଁ ନିର୍ବାଚନୀ ରଣ-କୌଶଳ ନୀତି ଆରମ୍ଭ କରିଛନ୍ତି , ସେଥିରେ ମୋର ପୂର୍ଣ୍ଣ-ସମର୍ଥନ ରହିଛି । ଯେନ-ତେନ ପ୍ରକାରେ ମୁଁ ତାଙ୍କ ସହିତ ଠିଆହେବି ଏବଂ ତାହାମଧ୍ୟ ତନ ମନ ଓ ଧନ ଦ୍ୱାରା ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଲୋକସଭା ନିର୍ବାଚନ ହେବାପାଇଁ ଆହୁରି ପ୍ରାୟ ୩ ବର୍ଷ ସମୟ ରହିଛି । ନିର୍ବାଚନ ସମୟରେ କୌଣସି ତରବରିଆ ଯାହାକି , ବିବାହ ବେଳେ ବାଇଗଣ ରୁଆ ହେବନି । ଆଗରୁ ଦିନଥିଲା , ଏ ସାଂସଦ ଆସନରେ ଯେଉଁଠୁ ଯିଏ ଆସି କଂଗ୍ରେସ ଟିକଟରେ ପ୍ରତିଦ୍ବନ୍ଦିତା କରୁଥିଲେ ଜିତି ଯାଉଥିଲେ । କିନ୍ତୁ ବର୍ତ୍ତମାନ ଆଉ ସେହି ପ୍ଲାଟଫର୍ମ ନାହିଁ ।
ବର୍ତ୍ତମାନ ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ମୋ ପାଇଁ ଏକ ବଡ଼ ଅପସନ ଓ ସୁଯୋଗ ହେବ ଯେ ଏହି ନିର୍ବାଚନରେ କିଛିକରି ଦେଖାଇବା ପାଇଁ । ଲୋକଙ୍କୁ ଜାଣିବା ଓ ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବା ଓ କିଛି କରିବା ପାଇଁ ମୋତେ ଢେର ସମୟର ସୁଯୋଗ ମିଳିବ । ଏବେ ସେ ସମୟ ମୋ ପାଖରେ ଆସି ଯାଇଛି । ତାକୁ ଆଧାର କରି ମୁଁ ମୋର କାମ ନିର୍ବାଚନ ମଣ୍ଡଳୀରେ ଆଗେଇନେବି ଓ ନେଉଛି ମଧ୍ୟ ବୋଲି କହିଥିଲେ ।
ଜଗନ୍ନାଥ ମହାପ୍ରଭୁ ଯଦି ଚାହିଁବେ , ତା'ହେଲେ ଏଠାରେ ପ୍ରତିଶ୍ରୁତି ଦେଇ କହୁଛି ଯେ , ସବୁଠାରୁ ଉତ୍ତମ ତଥା ବେଷ୍ଟ ରିଫାଇନାରୀ , ଲୋକସଭା ମଣ୍ଡଳୀର ଯେଉଁଠି ହେଲେ କରି ଦେଖାଇବି ଏବଂ ତାହା ନିଶ୍ଚିତ ଭାବେ ସମ୍ଭବ ହେବ ମୁଁ ଏଠାରୁ ନିର୍ବାଚିତ ହେବା ପରେ ହିଁ ।
ଏଇ ଆଦିବାସୀ ବହୁଳ ଅଞ୍ଚଳର ଅଧିବାସୀ ବିଭିନ୍ନ କ୍ଷେତ୍ରରେ ଅବହେଳିତ ହୋଇ ଅଛନ୍ତି । ଅଞ୍ଚଳରେ ମୁଖ୍ୟତଃ ଡାକ୍ତରଖାନା ଓ ରାସ୍ତାର ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ଯେଉଁ ଧୂଆଁବାଣ ଚାଲିଛନ୍ତି , ପ୍ରକୃତରେ ତାହା କିଛି ହୋଇନାହିଁ ।
ଏ ଅଞ୍ଚଳରେ ମୁଖ୍ୟତଃ ଆଦିବାସୀ ମାନଙ୍କ ରୋଜଗାରକ୍ଷମ କରାଇବା ବ୍ୟବସ୍ଥା ସହ କ୍ରୀଡ଼ାର ବିକାଶ ଦିଗରେ ଅଧିକ ଗୁରୁତ୍ୱ ଦିଆଯିବ । ଆମକୁ ଯଦି ଆଗାମୀ ନିର୍ବାଚନରେ ସୁଯୋଗର ମୌକା ମିଳେ , ତା'ହେଲେ ଗଜପତି ଜିଲ୍ଲାରେ ଆଦିବାସୀ କ୍ରୀଡା କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦିଆଯାଇ ଆଗାମୀ ଅଲିମ୍ପିକ ଖେଳରେ ଗଜପତି ଜିଲ୍ଲାଞ୍ଚଳରୁ ଅନ୍ୟୁନ ୨ ଟି ମେଡାଲ ନିଶ୍ଚିତ ଭାବେ ଆସିବାର ସମ୍ଭାବନାକୁ ସୁନିଶ୍ଚିତ କରାଯିବ ବୋଲି ରାଜ୍ୟ କିଷାନ କଂଗ୍ରେସ ଦାୟିତ୍ୱରେ ଥିବା ଶ୍ରୀ ରଶ୍ମି ରଞ୍ଜନ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ଅଧିକ ସୂଚନା ଦେଇ କହିଛନ୍ତି ।
ରାଜ୍ୟ
ମୁଁ ଟିକଟ ପାଇ ନିର୍ବାଚିତ ହେଲେ ଅବହେଳିତ ଅଞ୍ଚଳର ଚିତ୍ର ସମ୍ପୂର୍ଣ୍ଣ ବଦଳାଇ ଦେବି : ରଶ୍ମି ରଞ୍ଜନ
- Hits: 765








