ହେଡଲାଇନସ୍:

ପଶ୍ଚିମ ଓଡିଶାକୁ ସାବତ ପୁଅ ଭଳି ବ୍ୟବହାର କରୁଛନ୍ତି ରାଜ୍ୟ ସରକାର: ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଜୁଲାଇ ୨୮ ତାରିଖରେ ପଶ୍ଚିମ ଓଡିଶାର ପ୍ରତ୍ୟେକ ଜିଲ୍ଲା ସଦର ମହାକୁମାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ 

 ଅଗଷ୍ଟ ୨ ତାରିଖରେ ଜିଲ୍ଲା ତରଫରୁ ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ୨୧ବର୍ଷ ଶାସନ କାଳ ଭିତରେ ବାରମ୍ବାର ପଶ୍ଚିମ ଓଡିଶାକୁ ସବୁ କ୍ଷେତ୍ରରେ ଅବହେଳା କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଂଚାଇବା ପାଇଁ ଭାରତୀୟ ଜନତାପାର୍ଟି ପଶ୍ଚିମ ଓଡିଶାରେ ମଧ୍ୟ ଆନେ୍ଦାଳନ କରିଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଜି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗରିବ ଲୋକକୁ ଘର ଦେବା ପାଇଁ ପ୍ରସ୍ତୁତ ଅଛନ୍ତି କିନ୍ତୁ ରାଜ୍ୟ ସରକାରଙ୍କର ଅବହେଳା ଓ ଯୋଜନା ନଥିବା କାରଣରୁ ଆଜି ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାରେ ପକ୍କା ଘର ମିଳିଲା ନାହିଁ । ଏଭଳି ଭାବେ ପଶ୍ଚିମ ଓଡିଶାକୁ ସମ୍ପୂର୍ଣ୍ଣ ଅବହେଳା କରିଛନ୍ତି ରାଜ୍ୟ ସରକାର ବୋଲି ବିଜେପି ବିଧାୟକ ନାଉରୀ ନାଏକ ଅଭିଯୋଗ କରିଛନ୍ତି । 

ଗତ କରୋନାର ଦ୍ୱିତୀୟ ଲହରରେ ବିଶେଷ ଭାବରେ ସବୁଠୁ ବେଶୀ କ୍ଷତି ପଶ୍ଚିମ ଓଡିଶାରେ ହୋଇଥିଲା  । ଗୋଟିଏ ପଟେ ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ ଅଛି କହି ଓଡିଶା ସରକାରଙ୍କର ବାହାପିଆ ସ୍ୱାସ୍ଥ୍ୟମନ୍ତ୍ରୀ ଯେଉଁ ତଥ୍ୟ ବାରମ୍ବାର କହୁଛନ୍ତି ସେ ତଥ୍ୟ କେବଳ ମୁହଁରେ କହୁଛନ୍ତି କିନ୍ତୁ ବାସ୍ତବରେ କୌଣସି ସ୍ୱାସ୍ଥ୍ୟ ଭିତିଭୂମି ପ୍ରସ୍ତୁତ ହୋଇନାହିଁ । ସର୍ବଦା ପଶ୍ଚିମ ଓଡିଶାକୁ ରାଜ୍ୟ ସରକାର ଅବହେଳା ପ୍ରଦର୍ଶନ କରି ଆସୁଛନ୍ତି  । ସମ୍ବଲପୁର ଜିଲ୍ଲାରେ ଜନ୍ମିତ ଝାରସୁଗୁଡା ବିଧାନସଭାକୁ ପ୍ରତିନିଧିତ୍ୱ କରୁଥିବା ଓଡିଶାର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ନବୀନ ପଟ୍ଟନାୟକ ନେତୃତ୍ୱାଧିନରେ ବିଜୁ ଜନତାଦଳର ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଚରମ ଅବହେଳା କରିବା ସହ ପଶ୍ଚିମ ଓଡିଶାକୁ ସାବତ ପୁଅ ଭଳି ବ୍ୟବହାର କରିଛନ୍ତି ବୋଲି ରାଜ୍ୟ ସଂପାଦକ ଶ୍ରୀ ଟଙ୍କଧର ତ୍ରିପାଠୀ ଅଭିଯୋଗ କରିଛନ୍ତି । 

ଶ୍ରୀ ତ୍ରିପାଠୀ  କହିଛନ୍ତି ଯେ, ସମ୍ପୂର୍ଣ୍ଣ ପଶ୍ଚିମ ଓଡିଶାର ଲୋକ ତଥା ପଶ୍ଚିମ ଓଡିଶାକୁ ଲାଗିଥିବା ଛତିଶଗଡର ଲୋକ ମଧ୍ୟ ସମ୍ବଲପୁରର ପ୍ରାଣକେନ୍ଦ୍ର ଭୀମସାର୍ ବୀରସୁରେନ୍ଦ୍ର ସାଏ ମେଡିକାଲ କଲେଜ ଉପରେ ନିର୍ଭର କରନ୍ତି । ଭୀମସାର୍ ବୀରସୁରେନ୍ଦ୍ର ସାଏ ମେଡିକାଲ କଲେଜର ଯିଏ ନିଦେ୍ର୍ଧଶକ ଅଛନ୍ତି ସେଠି ରାଜ୍ୟସରକାର ଘୋଷଣା କରିଥିଲେ ତାଙ୍କୁ ପୁରା ଅଟୋନୋମି ଦିଆଯିବ । ଆମର ପ୍ରଶ୍ନ ଆଜି ପର୍ଯ୍ୟନ୍ତ ଭୀମସାରର ନିର୍ଦ୍ଦେଶକଙ୍କୁ କ’ଣ ଅଟୋନୋମି ଦେଇଛନ୍ତି ରାଜ୍ୟସରକାର ? ତାଙ୍କର ଏତିକି କ୍ଷମତା ନାହିଁ ସେ ଜଣେ ପିଅନଙ୍କୁ ନିଯୁକ୍ତି କରିପାରିବେ ନାହିଁ । ବୁର୍ଲାର ଭୀମସାର୍ ପାଇଁ ରାଜ୍ୟ ସରକାରଙ୍କର ବଜେଟରେ କିଛି ବ୍ୟବସ୍ଥା ଅଛି କି? ପଶ୍ଚିମ ଓଡିଶାରେ ସବୁଠୁ ବେଶୀ କ୍ୟାନସର ରୋଗୀ ଥିବା ବେଳେ ଭିମସାରରେ ଯେଉଁ କ୍ୟାନସର ବିଭାଗ ଅଛି ତାହା ଏବେ ଜର୍ଜରିତ ଅବସ୍ଥାରେ ପଡିରହିଛି । ଏହି ବିଭାଗର କୌଣସି ବିକାଶ ହୋଇନାହିଁ । ହାର୍ଟ କାଡିଓ ଡିପାର୍ଟମେଂଟ, ହାର୍ଟ କାଡିଓ ଥେରାପି ଟ୍ରାନ୍ସପ୍ଲାଂଟ ସର୍ଜରୀର କୌଣସି ବ୍ୟବସ୍ଥା ନାହିଁ । ଏହି ରୋଗୀମାନେ ଭୁବନେଶ୍ୱର, କଟକ, ବିଶାଖାପାଟଣାର ମେଡିକାଲ ଉପରେ ନିର୍ଭର କରୁଛନ୍ତି । ଭୀମସାରରେ ମାତ୍ର ୨୦ଟି ଆଇସିୟୁ ବେଡ୍ ଅଛି । ଭୀମସାରରେ ସୁପର ସ୍ପେଶାଲିଷ୍ଟ ପାଇଁ ବିଲଡିଙ୍ଗ ବନିଛି କିନ୍ତୁ ସେଠି ଗେଷ୍ଟେ୍ରାକୋଲୋଜି, ଏଣ୍ଡୋକ୍ରାଇନୋଲୋଜି, ଜିଆଇ ସର୍ଜରୀ, ନେପ୍ରୋଲୋଜି ଡିପାର୍ଟମେଂଟରେ ବିଭାଗୀୟ ଡାକ୍ତର ନାହଁନ୍ତିି । ଟ୍ରୋମା ବିଲଡିଙ୍ଗରେ ରେଡିଓଲୋଜିଷ୍ଟ ନାହାଁନ୍ତି । ପାଥୋଲୋଜି ଡିପାର୍ଟମେଂଟରେ ଟେଷ୍ଟ କଲେ ରିପୋର୍ଟ ଆସିବା ପାଇଁ ମାସ ମାସ ସମୟ ଲାଗୁଛି । ଅଲଟ୍ରାସାଉଣ୍ଡ ରିପୋର୍ଟ ୨୦ଦିନରେ ମିଳୁଛି । କୋଭିଡ ସମୟରେ ଓଡିଶାରେ ଏକମୋ ଟ୍ରିଟମେଂଟ ପାଇଁ ଆବଶ୍ୟକତା ଦେଖାଦେଇଥିଲା । ଏକମୋ ଟ୍ରିଟମେଂଟ ପାଇଁ ରାଜ୍ୟ ସରକାର ଘୋଷଣା କଲେ ଆମେ ଟେଣ୍ଡର କରିଛୁ ଏକମୋ ମେସିନ୍ ଆସିବ ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଦିଆଯିବ । ଗତ ୨ରୁ ୩ ଦିନ ତଳେ ଡିଏମଇଟି ଡ. ସିବିକେ ମହାନ୍ତି ଘୋଷଣା କଲେ ଯେ, ଏକମୋ ମେସିନ ୨ଟି ଆସିଛି । ଆଗାମୀ ଦିନରେ ଆଉ ୭ଟି ଆସିବ ଏବଂ ସମସ୍ତ ୯ଟି ଯାକ ଏକମୋ ମେସିନ୍ କଟକ ବଡ ମେଡିକାଲରେ ରହିବ । ଯଦି କଟକ ବଡ ମେଡିକାଲରେ ଏକମୋ ମେସିନ୍ ଲାଗିବ ତେବେ ଭୀମସାରରେ କାହିଁକି ଲାଗିବ ନାହିଁ ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି । 

ରାଜ୍ୟ ସରକାରଙ୍କର ଏ ବୈମାତୃକ ଭାବ ପଶ୍ଚିମ ଓଡିଶା ପ୍ରତି କାହିଁକି? ଭୀମସାର୍ ଭଳି ଅନୁନ୍ନତ ଆଦିବାସୀ ଅଂଚଳର ଲୋକ କ’ଣ ପୁଣି ଏକମୋ ଟ୍ରିଟମେଂଟ ପାଇଁ ଏୟାରଲିଫ୍ଟ ହେବେ?  ରାଜ୍ୟ ସରକାର କହୁଛନ୍ତି ଯେ ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ ଅଛୁ । ପଶ୍ଚିମ ଓଡିଶାର ଜିଲ୍ଲା ମାନଙ୍କରେ ଆରଟିଫିସିଆଲ ଟେଷ୍ଟ ବ୍ୟବସ୍ଥା ସବୁ ଜିଲ୍ଲାରେ ଉପଲବ୍ଧ ଅଛି କି? ଆଜି ମଧ୍ୟ ଆରଟିଫିସିଆଲ ଟେଷ୍ଟ କଲେ ୮ଦିନ ପରେ ରିପୋର୍ଟ ଆସୁଛି । ଆଜି ବି ସିଏଚସି ଓ ପିଏଚସିମାନଙ୍କରେ ଅକ୍ସିଜେନ ବେଡର ବ୍ୟବସ୍ଥା ନାହିଁ । ଆଜି ବି ବିଶେଷଜ୍ଞ ମାନେ କହୁଛନ୍ତି ତୃତୀୟ ଲହର ଆସିଲେ ବିଶେଷ ଭାବେ ଶିଶୁମାନେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ । ଏଯାବତ୍ ସିଏଚସି ଓ ପିଏଚସିଗୁଡିକରେ ଶିଶୁଙ୍କ ପାଇଁ ଡେଟିକେଟେଡ୍ ବେଡର ବ୍ୟବସ୍ଥା ହୋଇନାହିଁ କାହିଁକି? ବୁର୍ଲା ଭିମାସାରରେ ମଧ୍ୟ ଆରଟିପିସିଆର ଟେଷ୍ଟର କ୍ଷମତା ବଢିନାହିଁ । ଏହି ପ୍ରକାର ଭାବରେ ସ୍ୱାସ୍ଥ୍ୟକ୍ଷେତ୍ରରେ ଚରମ ଅବହେଳା କରାଯାଇଛି । ରାଜ୍ୟକୁ ଆସିଥିବା ଏବଂ ଆଗାମୀ ଦିନରେ ଆସିବାକୁ ଥିବା ଏକମୋ ମେସିନ୍ କେବଳ କଟକ ବଡ ମେଡିକାଲରେ ଅବସ୍ଥାପିତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନ ଏବଂ ରାଜ୍ୟ ସରକାର ସାବତ ପୁଅ ଭଳି ପଶ୍ଚିମ ଓଡିଶାକୁ ବ୍ୟବହାର ଦେଖାଇବା ଅତ୍ୟନ୍ତ ନିନ୍ଦନୀୟ । ଏଭଳି ଚରମ ଅବହେଳା ପ୍ରଦର୍ଶନକୁ ପଶ୍ଚିମ ଓଡିଶାବାସୀ ଆଦୌ ବରଦାସ୍ତ କରିବେ ନାହିଁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । 

ଚାଷୀମାନଙ୍କର ସମସ୍ୟାକୁ ନେଇ ଯେଉଁ ପ୍ରକାର ଆନ୍ଦୋଳନ  ହୋଇଥିଲା ଏବେ ସ୍ୱାସ୍ଥ୍ୟଗତ ସମସ୍ୟା ଦୃଷ୍ଟିରୁ ଆଗାମୀ ଦିନରେ ପଶ୍ଚିମ ଓଡିଶାରେ ପୁଣିଥରେ ଆନ୍ଦୋଳନ ହେବ । ଉପଖଣ୍ଡ ଚିକିତ୍ସାଳୟରେ ୯ଜଣ ସ୍ପେଶାଲିଷ୍ଟ ମଧ୍ୟରୁ ୩ଜଣ ନିଯୁକ୍ତି ପାଇଛନ୍ତି । ଛତିଶଗଡ, ଝାଡଖଣ୍ଡ ଏବଂ ପଶ୍ଚିମ ଓଡିଶାର ଲୋକମାନେ ଭୀମସାର ଉପରେ ନିର୍ଭର କରନ୍ତି । ଯେଉଁ ଏକମୋ ମେସିନ୍ ଆଜି କେବଳ କଟକରେ ରଖିବା ପାଇଁ ଚିନ୍ତା କରିଛନ୍ତି ରାଜ୍ୟ ସରକାର ସେ ଏକମୋ ମେସିନକୁ ଭୀମସାରରେ ଲଗାଇବାର ଆବଶ୍ୟକତା ଅଛି । ଭୀମସାରରେ ଏକମୋ ମେସିନ ଲଗାଇବା ଦାବିରେ ଆସନ୍ତା ଜୁଲାଇ ୨୮ ତାରିଖରେ ପଶ୍ଚିମ ଓଡିଶାର ପ୍ରତ୍ୟେକ ଜିଲ୍ଲା ସଦର ମହାକୁମାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ସେହିପରି ଅଗଷ୍ଟ ୨ତାରିଖରେ ଜିଲ୍ଲା ତରଫରୁ ଆରଡିସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରାଯିବ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ରବି ନାଏକ ଚେତାବନୀ ଦେଇଛନ୍ତି । 

ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଡ. ମୁକେଶ ମହାଲିଙ୍ଗ, ଶଙ୍କର ଓରାମ, ନିତ୍ୟାନନ୍ଦ ଗଣ୍ଡ, ଯୁବମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । 

 

0
0
0
s2sdefault