ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅହେତୁକ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍ କାଟ ଓ ଲୋ- ଭୋଲ୍ଟେଜ ପ୍ରଭୃତି ସମସ୍ୟା ପ୍ରତିବାଦରେ ଆଜି ଜିଲ୍ଲା ଭାଜପା ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଟିପିଏସଓଡ଼ିଏଲ ତଥା ଟାଟା ପାୱାର ଦକ୍ଷିଣ ଓଡିଶାରେ ବିଦ୍ୟୁତ୍ ବଣ୍ଟନ ଲିମିଟେଡ଼ର ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଗଜପତି ଜିଲ୍ଲା ଭାଜପାର ସାଧାରଣ ସମ୍ପାଦକ ଶ୍ରୀ ନୃସିଂହ ଚରଣ ପଟ୍ଟନାୟକଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ଦଳୀୟ ନେତା ଓ କର୍ମୀ ମାନେ ଏକ ବିକ୍ଷୋଭ ପଟୁଆରରେ ଆସି ଟିପିଏସଓଡ଼ିଏଲ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l
ଜିଲ୍ଲା ଭାଜପା ପକ୍ଷରୁ କୁହାଯାଇଛି ଯେ , କରୋନା ସମୟରେ ରାଜ୍ୟ ସରକାର ବିଦ୍ୟୁତ୍ ବିଲ ବୃଦ୍ଧି କରିବା ସାଧାରଣ ଜନତାଙ୍କ ଉପରେ ଏହା ବୋଝ ଉପରେ ନଳିତା ବିଡା ସଦୃଶ। ଗତ ଏପ୍ରିଲ ୪ ତାରିଖରୁ ବିଦ୍ୟୁତ୍ ବିଲରେ ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି କରି ରାଜ୍ୟ ସରକାର ସାଧାରଣ ଜନତାଙ୍କୁ ଶୋଷଣ କରି ଚାଲିଛନ୍ତି । ଏମିତି କି ସେବା କମ ଟିକସ ଅଧିକ ନୀତି ଆପଣାଇଛନ୍ତି ରାଜ୍ୟ ସରକାର। ତେଣୁ ତୁରନ୍ତ ବିଦ୍ୟୁତ୍ ଦର ହ୍ରାସ କରିବା ସହ ଓଡ଼ିଶାର ସାଧାରଣ ଜନତାଙ୍କ ନିରାବଛିନ୍ନ ଭାବେ ବିଦ୍ୟୁତ୍ ଯୋଗାଇବା ଦାବୀ କରି ବିଦ୍ୟୁତ୍ ନିର୍ବାହୀ ଯନ୍ତ୍ରୀ ଇଂ ଗଙ୍ଗା ଗୌରୀ ପ୍ରସାଦ ପଟ୍ଟନାୟକଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଭାଜପାର ଏହି ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଜିଲ୍ଲା ଭାଜପା ଉପସଭାପତି ଶ୍ରୀ ଜଗନ୍ନାଥ ମହାପାତ୍ର , ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଅରୁଣୀମା ସାହୁ , କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଶାନ୍ତ କୁମାର ପାଳ , ଯୁବମୋର୍ଚ୍ଚା ସଭାପତି ଶ୍ରୀ ସନ୍ତୋଷ କୁମାର ଜେନା , ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଶ୍ରୀ ସିଦ୍ଧେଶ୍ବର ମିଶ୍ରଙ୍କ ସମେତ ଦଳର ବରିଷ୍ଟ ନେତା , ଶ୍ରୀମତୀ ପି: ଲତା , ଶ୍ରୀମତୀ ଭାରତୀଆମ୍ମା , ଶରତ କୁମାର , ବାବୁନା ବେହେରା ଓ ଜି: ସିଦ୍ଧେଶ୍ବର ପ୍ରମୁଖ ଯୋଗ ଦେଇଥିଲେ ।