ହେଡଲାଇନସ୍:

ଜୁଲାଇ ୧୯ରେ  ମୁଖ୍ୟମନ୍ତ୍ରୀ ନବୀନ ଲୋକାର୍ପଣ କରିବେ ବହୁ ପ୍ରତିକ୍ଷିତ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ପ୍ରଥମ ଅତିରିକ୍ତ ଜଳସେଚନ ସୁବିଧା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
SUBARNAREKHA

ପ୍ରଥମ ପର୍ଯ୍ୟାୟରେ  ବାରିପଦା, ବେତନଟୀ,ମୋରଡ଼ା, ଶୁଳିଆପଦା ଓ ରାସଗୋବିନ୍ଦପୁର ବ୍ଲକର ୯୪ ଗ୍ରାମର ୧୫,୩୫୯ ହେକ୍ଟର ଜମିକୁ ମିଳିବ ଜଳସେଚନର ସୁବିଧା

ବାରିପଦା(ଦିଲ୍ଲୀପ ମହାନ୍ତି )- ଜୁଲାଇ ୧୯ରେ  ମୁଖ୍ୟମନ୍ତ୍ରୀ ନବୀନ ଲୋକାର୍ପଣ କରିବେ ବହୁ ପ୍ରତିକ୍ଷିତ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ପ୍ରଥମ ଅତିରିକ୍ତ ଜଳସେଚନ ସୁବିଧା । ବାରିପଦା, ବେତନଟୀ,ମୋରଡ଼ା, ଶୁଳିଆପଦା ଓ ରାସଗୋବିନ୍ଦପୁର ବ୍ଲକର ୯୪ ଗ୍ରାମର ୧୫,୩୫୯ ହେକ୍ଟର ଜମି ହେବ ଜଳସେଚିତ । ପ୍ରଥମ ପର୍ଯ୍ୟାୟରେ  ବାରିପଦାର ପୁରୁଢିହିଠାରେ ଆନୁଷ୍ଠାନିକ  ଭାବେ ଏହାକୁ ଲୋକାର୍ପିତ କରାଯିବାର କାର୍ଯ୍ୟକ୍ରମ ରହିଥିବାର ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ଗତ ୨୦୧୩ ଜୁଲାଇ ୮ ପୂର୍ବାହ୍ନ ୮ରେ ସୁବର୍ଣ୍ଣରେଖା ନଦୀର ଗାଲୁଡ଼ିହି ବ୍ୟାରେଜର ଡ଼ାହାଣ ପାଶ୍ୱର୍ ମୁଖ୍ୟ କେନାଲରେ ପ୍ରଥମ ପାଣି ଛଡ଼ାଯାଇଥିଲା ଏବଂ ଉକ୍ତ ପାଣି ଦୀର୍ଘ ୫୬.୬ କି.ମି. ରାସ୍ତା ଅତିକ୍ରମ କରି ଉଚ୍ଚଗାଁ ନିକଟରେ ଓଡ଼ିଶା ରାଜ୍ୟକୁ ଜୁଲାଇ ୧୦ରେ ସ୍ପର୍ଶ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ବହୁ ପ୍ରତିକ୍ଷିତ ସୁବର୍ଣ୍ଣରେଖା ବୃହତ୍ତ ଜଳ ସେଚନ ପ୍ରକଳ୍ପକୁ ୨୦୧୩ ଜୁଲାଇ  ୧୭ରେ ମୟୂରଭଞ୍ଜ ଜିଲ୍ଲାର ସାରସକଣା ଗସ୍ତରେ ଆସି ପୂର୍ବାହ୍ନ ୧୦ରେ ବଡ଼ଚାଟରା ନିକଟ ମୁଖ୍ୟ କେନାଲର ଆରଡ଼ି ୧୩୯୮୫ରେ ସୁଇଚ ଦବାଇ ରାଜ୍ୟବାସୀଙ୍କ ଉଦେ୍ଧଶ୍ୟରେ ଶୁଭଉଦଘାଟନ କରାଇଥିଲେ । ଏହା ମଧ୍ୟରେ ୮ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ଛୁଞ୍ଚି ମୁନରେ  ମୁନେ ଜମି ଜଳସେଚିତ ସମ୍ଭବ ପର ହୋଇପାରି ନଥିଲା । 

                        ସୁବର୍ଣ୍ଣରେଖା ଆନ୍ତଃରାଜ୍ୟ ନଦୀ ଝାଡ଼ଖଣ୍ଡ ରାଜ୍ୟ ଛୋଟନାଗପୁର ମାଳଭୂମିରୁ ବାହାରି ଝାଡ଼ଖଣ୍ଡ ରାଜ୍ୟରେ ୨୧୦ କି.ମି., ଓଡ଼ିଶାରେ ୩୦ କିମି. ଓ ପଶ୍ଚିମବଙ୍ଗ ରାଜ୍ୟରେ ୫୦ କି.ମି. ଅତିକ୍ରମ କରି ଓଡ଼ିଶା ରାଜ୍ୟର ବାଲେଶ୍ୱର ଜିଲ୍ଲା ସୀମାନ୍ତ ତାଳସାରୀଠାରେ  ବଙ୍ଗୋପସାଗରରେ ପଡ଼ିଛି । ସେହିପରି ଝାଡ଼ଖଣ୍ଡ ରାଜ୍ୟରେ ନଦୀର ଜଳ ସଂରକ୍ଷଣ ଅଞ୍ଚଳ ୧୩ ହଜାର ୫୯୦ ବର୍ଗ କି.ମି ରହିଥିବା ବେଳେ ଓଡ଼ିଶା ରାଜ୍ୟରେ ୩ ହଜାର ୨୦୧ ବର୍ଗ କି.ମି ଓ ପଶ୍ଚିମବଙ୍ଗ ରାଜ୍ୟରେ ୨ ହଜାର ୧୬୦ ବର୍ଗ କି.ମି. ରହିଛି । ପ୍ରତ୍ୟେକ ବର୍ଷ ସୁବର୍ଣ୍ଣରେଖା ନଦୀରେ ଆସୁଥିବା ପ୍ରଳୟଙ୍କରୀ ବନ୍ୟା ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟରେ ବ୍ୟାପକ ଫସଲ ଓ ଧନଜୀବନ ହାନୀର କାରଣ ପାଲଟି ଯାଇଥାଏ । ଉକ୍ତ ଚିରସ୍ରୋତା ନଦୀର ବହୁମୂଲ୍ୟ ଜଳରାଶିର ସତ୍ବିନିଯୋଗର ମହତ୍ ପରିକଳ୍ପନା କରାଯାଇ ୧୯୭୬ରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା । ପୁଣି ଏହା ଏକ ଆନ୍ତଃରାଜ୍ୟ ନଦୀ ହୋଇଥିବା କାରଣରୁ ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନଦୀ ଜଳ ଆବଣ୍ଟନର ଏକ ପରିମାଣ ଧାର୍ଯ୍ୟ କରାଯାଇଥିଲା । ଏହି ସମୟରେ ଝାଡ଼ଖଣ୍ଡ ରାଜ୍ୟ ଜନ୍ମ ନେଇ ନଥିବା କାରଣରୁ ୧୯୭୬ ଓ ୭୮ରେ ବିହାର, ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମନ୍ୱୟରେ ୩୨ : ୧୨ : ୦୧ ଅନୁପାତରେ ନଦୀ ଜଳ ଆବଣ୍ଟନ ନିମନ୍ତେ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ସେହିପରି ବିହାର(ବର୍ତ୍ତମାନର ଝାଡ଼ଖଣ୍ଡ) ଓ ଓଡ଼ିଶା ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଦ୍ୱିପାକ୍ଷିକ ଚୁକ୍ତି ଅନୁସାରେ ବିହାର ରାଜ୍ୟରେ ସୁବର୍ଣ୍ଣରେଖା ବହୁମୁଖୀ ଜଳସେଚନ ଯୋଜନା ଓ ଓଡ଼ିଶାରେ ସୁବର୍ଣ୍ଣରେଖା ଜଳସେଚନ ଯୋଜନା ମଧ୍ୟରୁ ବିହାର(ବର୍ତ୍ତମାନର ଝାଡ଼ଖଣ୍ଡ) ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଚାନ୍ଦିଲିବନ୍ଧ ଓ ଇଚ୍ଛାବନ୍ଧର ନିର୍ମାଣ, ଗାଲୁଡ଼ିହି ବ୍ୟାରେଜ ଏବଂ ଗାଲୁଡ଼ିହି ଦକ୍ଷିଣ ପାର୍ଶ୍ୱ କେନାଲର ନିର୍ମାଣ କାର୍ଯ୍ୟ  ଉଭୟ ଝାଡ଼ଖଣ୍ଡ ଓ ଓଡ଼ିଶା ସରକାରଙ୍କ ମିଳିତ ଆର୍ଥିକ ସହଯୋଗରେ କାର୍ଯ୍ୟକାରୀ ହୋଇଥିବା ସମୟରେ ଏଥି ନିମନ୍ତେ ଓଡ଼ିଶା ସରକାର ଝାଡ଼ଖଣ୍ଡ ସରକାରଙ୍କୁ ଯଥାକ୍ରମେ ୨୬ : ୪୭, ୨୬  : ୪୬, ୮୬  : ୨୦ ଓ ୬ : ୯୪ ପ୍ରତିଶତ ଅନୁପାତରେ ଅଂଶଧନ ପ୍ରଦାନ କରିଛି । ଗାଲୁଡ଼ିହି ଦକ୍ଷିଣ ପାଶ୍ୱର୍ କେନାଲର ଓଡ଼ିଶା ସୀମା ପର୍ଯ୍ୟନ୍ତ ଦୈର୍ଘ୍ୟ ୫୬.୦୪ କି.ମି ହୋଇଥିବା ସମୟରେ ଉକ୍ତ କେନାଲ ମାଧ୍ୟମରେ ଓଡ଼ିଶାକୁ ତାର ଅଂଶ ହିସାବରେ ୧୧୮.୫୦ କୁ୍ୟସେକ ପାଣି ମିଳିବ । ଯାହା ଓଡ଼ିଶାର ମୁଖ୍ୟ କେନାଲ ନାମରେ ପରିଚିତ ଏବଂ ଏହାର ଦୈର୍ଘ୍ୟ ୪୬.୫୦ କି.ମି ଅଟେ । ଏହା ବ୍ୟତୀତ ଓଡ଼ିଶା ମଧ୍ୟରେ କାର୍ଯ୍ୟକାରୀ ହେଉଥିବା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ମୁଖ୍ୟ କାର୍ଯ୍ୟଗୁଡ଼ିକ ମଧ୍ୟରୁ ସୁବର୍ଣ୍ଣରେଖା ମୁଖ୍ୟ କେନାଲ ଓ ଏହାର ଶାଖା କେନାଲ ସମୂହ ସହ ବେତନଟୀ ଶାଖା କେନାଲ, ପୁରାତନ ହଳଦିଆ ବନ୍ଧର ପୁନଃନିର୍ମାଣ ଓ ନବୀକରଣ, ଜମ୍ଭୀରାବନ୍ଧ ଓ ଏହାର ବାମ ଓ ଦକ୍ଷିଣ ପାଶ୍ୱର୍ କେନାଲ ନିର୍ମାଣ, ବାଉରାବନ୍ଧ , ବୈଶିଙ୍ଗା ମୁଖ୍ୟ କେନାଲ ନିର୍ମାଣ ଏବଂ ସୁବର୍ଣ୍ଣରେଖା ଶାଖା କେନାଲ ନିର୍ମାଣ କାର୍ଯ୍ୟ ଅନ୍ୟତମ । ଚାଷ ଜମିକୁ ଜଳ ସେଚନ ବ୍ୟବସ୍ଥା ଯୋଗାଇ ଦେବା ନିମନ୍ତେ ମୋଟ୧୧ଶହ କି.ମି.ର କେନାଲ ନିର୍ମାଣ ହେବାର ଯୋଜନା ପ୍ରସ୍ତୁତ କରାଯାଇ ୧୯୮୭ରୁ ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପ ଯୋଜନା ଓଡ଼ିଶା ସରକାର ନିଜସ୍ୱ ପାଣ୍ଠିରୁ ଆରମ୍ଭ କରିଥିଲେ ।

CHANDILI

  ସୁବର୍ଣ୍ଣରେଖା ଜଳ ସେଚନ ଯୋଜନା ମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକ ମଧ୍ୟରୁ ବାରିପଦା ବ୍ଲକରେ ୧୧ ହଜାର ୫୧୩ ହେକ୍ଟର, ବେତନଟୀ ବ୍ଲକରେ ସର୍ବାଧିକ ୨୧ ହଜାର ୭୩୨ ହେକ୍ଟର, ସାରସକଣା ବ୍ଲକରେ ୬ ହଜାର ୨୯ ହେକ୍ଟର, କୁଳିଅଣା ବ୍ଲକରେ ୭ ହଜାର ୮୨୧ ହେକ୍ଟର, ଶାମାଖୁଣ୍ଟା ବ୍ଲକରେ ୮୭୧ ହେକ୍ଟର, ରାସଗୋବିନ୍ଦପୁର ବ୍ଲକରେ ୫ ହଜାର ୬୦ ହେକ୍ଟର, ବଡ଼ସାହି ବ୍ଲକରେ ୪ ହଜାର ୪୩୪ ହେକ୍ଟର, ବାଙ୍ଗିରିପୋଷି ବ୍ଲକରେ ୯୫୬ ହେକ୍ଟର , ଶୁଳିଆପଦା ବ୍ଲକରେ ୧୫ ହଜାର ୨୧୩ ହେକ୍ଟର ଏବଂ ମୋରଡ଼ା ବ୍ଲକରେ ୨୧ ହଜାର ୨୨ ହେକ୍ଟର ଏହି ମୋଟ ୧୦ ବ୍ଲକରେ୯୪ ହଜାର ୬୫୫ ହେକ୍ଟର ଚାଷ ଜମିକୁ ଜଳସେଚନ କରାବା ନିମନ୍ତେ ଲକ୍ଷ ଧାର୍ଯ୍ୟ କରାଯାଇଛି । ସେହିପରି ବାଲେଶ୍ୱର ଜିଲ୍ଲାର ବାଲେଶ୍ୱର ସଦର ବ୍ଲକରେ ୧ ହଜାର ୨୫୩ ହେକ୍ଟର, ରେମୁଣା ବ୍ଲକରେ ୧ ହଜାର ୨ ହେକ୍ଟର, ବସ୍ତା ବ୍ଲକରେ ୨ ହଜାର ୪୮୮ ହେକ୍ଟର ଓ ଜଳେଶ୍ୱର ବ୍ଲକରେ ସର୍ବାଧିକ ୧୦ ହଜାର ୨୯୯ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ମିଳିପାରିବ । 

      ୨୦୨୦ ଫେବୃଆରୀରେ ହେବାକୁ ଯାଉଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଦ୍ୱାରା  ଗତ ଜୁନରେ ଦେଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଲୋକାର୍ପଣ ହେବା ପରେ ଜୁଲାଇରେ ସୁବର୍ଣ୍ଣରେଖା ବୃହତ୍ତ ଜଳସେଚନ ପ୍ରକଳ୍ପ ଲୋକାର୍ପଣ ବିଜେଡ଼ିର ଏକ ନିର୍ବାଚନୀ ଗୋଟି ଚାଳନା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଥିବା ବେଳେ ଏହା ବିଜେଡ଼ିକୁ କେତେ ପରିମାଣରେ ସଫଳତା ଦେଇ ପାରିବ ତାହା ସମୟ ହିଁ କହିପାରିବ । 

0
0
0
s2sdefault