ପୁରୀ/ଅନିମେଶ ପଟ୍ଟନାୟକ : ବାହୁଡ଼ା ସୁନାବେଶ ପାଇଁ କଟକଣା ଜାରି କଲା ପ୍ରଶାସନ । ମୋମବାର ୧୯ତାରିଖ ରାତି ୮ଟାରୁ ୨୧ତାରିଖ ରାତି ୮ ଟା ଯାଏଁ ସହରରେ ୧୪୪ ଧାରା ଲାଗୁ କରାଯିବ। ଏହି ସମୟ ମଧ୍ୟରେ ବଡଦାଣ୍ତ, ବଡଦାଣ୍ତରେ ଥିବା ସମସ୍ତ କୋଠାଘରର ଛାତ ଓ ବାଲକୋନିରେ ପ୍ରବେଶ ଉପରେ କଟକଣା ଯାରି କରାଯାଇଛି । ବଡଦାଣ୍ଡରେ ଥିବା ସମସ୍ତ ହୋଟେଲ, ଲଜ ଆଦିକୁ ୧୦ତାରିଖ ସୁଧା ଖାଲି କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଏନେଇ ସଂପୃକ୍ତ ସଂସ୍ଥା ମାଲିକ ଲିଖିତ ଭାବେ ସ୍ଥାନୀୟ ପୋଲିସକୁ ଅବଗତ କରାଇବା ନିମନ୍ତେ ନିର୍ଦ୍ଦେଶ ଜାରି କରାଯାଇଛି ।
କର୍ଫୁ ସମୟରେ ବିନା କାରଣରେ ତାଲିକାଭୁକ୍ତ ନଥିବା ବ୍ୟକ୍ତି ଉକ୍ତ ସ୍ଥାନରେ ରହୁଥିବା ଜଣା ପଡିଲେ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ । ଏହି ସମୟ ମଧ୍ୟରେ ବଡଦାଣ୍ଡରେ ଥିବା ସମସ୍ତ ଦୋକାନ ଓ ବଜାର, ଔଷଧ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ, କାର୍ଯ୍ୟାଳୟ ବନ୍ଦ ରହିବ । ସାଧାରଣ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଜାରି କରାଯାଇଛି । କୌଣସି ଯାତ୍ରୀବାହୀ ବସ ଓ ଟ୍ରେନ ଜିଲ୍ଲା ମଧ୍ୟକୁ ପ୍ରବେଶ କରିପାରିବ ନାହିଁ । କେବଳ ସ୍ବୀକୃତିପ୍ରାପ୍ତ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ବହନ କରିଥିବା ଗାଡିକୁ ଛାଡିଦେଲେ ଅନ୍ୟଗାଡି ଗୁଡିକ ଯିବା ଆସିବା ଉପରେ ମଧ୍ୟ ଏହି କଟକଣା ବଳବତ୍ତର ରହିବ । ସହରର ବଡଦାଣ୍ଡ ବ୍ୟତୀତ ଅନ୍ୟ ସ୍ଥାନରେ କେବଳ ଔଷଧ, ଡାକ୍ତରୀ ଉପକରଣ ଓ ଚଷମା ଦୋକାନ ଖୋଲାରହିବ । ମାତ୍ର ହୋଟେଲ ଓ ରେସ୍ତରାଁ ଗୁଡିକ ଦ୍ବାରା ହୋମ ଡେଲିଭରି ହୋଇପାରିବ । ବାହାର ଜିଲ୍ଲା ବ୍ୟକ୍ତି ଜିଲ୍ଲା ମଧ୍ୟକୁ ପ୍ରବେଶ ନକରିବା ପାଇଁ ଜିଲ୍ଲା ମଧ୍ୟକୁ ଥିବା ସମସ୍ତ ୮ଟି ପ୍ରବେଶ ପଥ ଓ ସହର ବାହାର ବ୍ୟକ୍ତିଙ୍କୁ ପୁରୀ ସହର ପ୍ରବେଶ ବାରଣ ନିମନ୍ତେ ସହର ମଧ୍ୟକୁ ଥିବା ୩ଟି ପ୍ରବେଶ ପଥକୁ ଏହି ସମୟ ମଧ୍ୟରେ ସିଲ କରାଯିବ । କେବଳ ବିଦ୍ୟୁତ ଓ ଜଳ ଯୋଗାଣ, ଟେଲିକମ, ପୋଲିସ ଓ ସୁରକ୍ଷା ପ୍ରଦାନ ସଂକ୍ରାନ୍ତୀୟ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ । ଏଥିନିମନ୍ତେ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।