ହେଡଲାଇନସ୍:

ତ୍ରିଶଙ୍କୁ ଅବସ୍ଥାରେ ରାଜେନ୍ଦ୍ର କଲେଜର ବିଶ୍ୱବିଦ୍ୟାଳୟ ମାନ୍ୟତା : ତେଜୁଛି ଅସନ୍ତୋଷ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର/ ନିରୋଜ ମିଶ୍ର : ଜିଲ୍ଲାର ସର୍ବ ପୁରାତନ ରାଜେନ୍ଦ୍ର କଲେଜକୁ ଗତ 2020 ମସିହାରେ ରାଜ୍ୟ ସରକାର ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦେଇଥିଲେ । ମାତ୍ର ୟୁଜିସି ଏଥିରେ ଆପତ୍ତି ଉଠାଇ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାକୁ ମନା କରିଦେଇଛି । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇ ଥିବାବେଳେ ମାନ୍ୟତା ପାଇଁ ଦାବି ଜୋର ଧରିଛି ।

ବଲାଙ୍ଗୀର ଜିଲ୍ଲାବାସୀଙ୍କ ସ୍ୱପ୍ନ ପୁଣି ଧୂଳିସାତ ହୋଇଛି । ଜିଲ୍ଲାର ସର୍ବ ପୁରାତନ ରାଜେନ୍ଦ୍ର କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାକୁ ମନା କରିଛି ୟୁଜିସି । ଫଳରେ ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି । ତେବେ ରାଜ୍ୟ ସରକାର ଗତ 2020 ମସିହାରେ ରାଜେନ୍ଦ୍ର ସ୍ୱୟଂ ଶାସିତ କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଇଥିଲେ । ଏଥିପାଇଁ ଭିତ୍ତିଭୂମି ସୁଦୃଢ଼ କରିବା ସହ କୂଳପତିଙ୍କ ନିଯୁକ୍ତି ମଧ୍ୟ କରିଥିଲେ । ସେହିପରି ଏହି ବିଶ୍ୱ ବିଦ୍ୟାଳୟରେ ବଲାଙ୍ଗୀର ଏବଂ ସୁବର୍ଣ୍ଣପୁର ଜିଲ୍ଲାର 25ଟି କଲେଜ ଅନୁବନ୍ଧିତ ହେବ ବୋଲି ସରକାର କହିଥିଲେ । ହେଲେ ଏଥିରେ ୟୁଜିସି ରୋକ ଲଗାଇଛି । ରାଜ୍ୟ ସରକାର କେବଳ ବିଜ୍ଞପ୍ତି ମାଧ୍ୟମରେ ଏହା କରି ଥିବାବେଳେ ରାଜ୍ୟର କୌଣସି ଆଇନ ଆଧାରରେ ଏହା ହୋଇ ନ ଥିବା ଦର୍ଶାଇ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାକୁ ମନାକରିଛି ୟୁଜିସି । ଯାହାକୁ ନେଇ ଏଠି ତୀବ୍ର ଛାତ୍ର ଅସନ୍ତୋଷ ଦେଖା ଦେଇଥିବାବେଳେ କିଛି ଛାତ୍ର ସଙ୍ଗଠନ ରାଜ୍ୟ ସରକାରଙ୍କ ଅପାରଗତାକୁ ଦୋଷ ଦେଇଛନ୍ତି । ଏଥିସହ ଖୁବଶୀଘ୍ର ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି । ସେପଟେ ୟୁଜିସିର ଏହି ନିଷ୍ପତ୍ତି ପରେ କଲେଜ କର୍ତ୍ତୃପକ୍ଷ ନିଜର ପକ୍ଷ ରଖିଛନ୍ତି । ପୂର୍ବରୁ ସବୁ ନିୟମ ମୁତାବକ କରା ଯାଇଥିବାର ଯୁକ୍ତି କରିଛନ୍ତି । ଯେଉଁଥିରେ 1956 2F ନିୟମ ଅନୁଯାୟୀ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ଆବେଦନ କରାଯାଇଥିଲା ।ଏହା ରାଜ୍ୟର 1989 ସେକ୍ସନ 32 ଅନୁଯାୟୀ କରାଯାଇଥିବାର ସ୍ପଷ୍ଟୀକରଣ ଦିଆ ଯାଇଥିଲା । ସେହିପରି ଏହି ନିୟମ ଆଧାରରେ ରାଜ୍ୟରେ ଅନ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇ ଥିବାବେଳେ ୟୁଜିସି ମଧ୍ୟ ତାକୁ ଅନୁମୋଦିତ କରିଥିବାର କଲେଜ କର୍ତ୍ତୃପକ୍ଷ କହିଛନ୍ତି । ତେବେ ୟୁଜିସିରେ କିଛି ଭୁଲ ବୁଝାମଣା ହୋଇଥିବା ଯୋଗୁଁ ଏହି ସମସ୍ୟା ହୋଇଥିବାର କୁହାଯାଇଛି । ରାଜ୍ୟ ସରକାର ଏଦିଗରେ ବିଚାର ବିମର୍ଷ କରି ପୁଣି ୟୁଜିସିକୁ ସ୍ପଷ୍ଟୀକରଣ ଦେଇଥିବାର କଲେଜ କର୍ତ୍ତୃପକ୍ଷ କହିଛନ୍ତି |

ତେବେ ରାଜ୍ୟ ସରକାର, ୟୁଜିସି ଏବଂ ଆଇନର ଜଟିଳତା ମଧ୍ୟରେ ଫସିଛି ରାଜେନ୍ଦ୍ର କଲେଜ । ଏହା କେବେ ଦୂର ହେଉଛି ଓ ବିଶ୍ୱବିଦ୍ୟାଳୟ ମାନ୍ୟତା କେବେ ମିଳୁଛି ତାହା ଦେଖିବାକୁ ବାକି ରହିଲା ।

 

0
0
0
s2sdefault