ହେଡଲାଇନସ୍:

ମୟୂରଭଞ୍ଜରେ ହେଉ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ :ଧର୍ମେନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଦାବି ରଖିଲା ଭଞ୍ଜ ସେନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ

ବାରିପଦା: ପୂର୍ବତନ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ଭଳି ଏକ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ବ ପ୍ରଦାନ କରାଯାଇଛି। ଆଉ ଶ୍ରୀ ପ୍ରଧାନ ଏହି ନୂତନ ଦାୟିତ୍ବ ନେବା ପରେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜରେ ଜିଲ୍ଲାରେ ଏକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦାବି ଉଠିଛି। ଜିଲ୍ଲାର ଅଗ୍ରଣୀ ସଂଗଠନ ଭଞ୍ଜସେନାର ପ୍ରତିଷ୍ଠା କଳିଙ୍ଗ କେଶରୀ ଜେନା ଟୁଇଟ୍‌ ମାଧ୍ୟମରେ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନିକଟରେ ଏହି ଦାବି ଉପସ୍ଥାପନ କରିଛନ୍ତି। ଓଡ଼ିଶାରୁ ପ୍ରଥମ ଥର ପାଇଁ ଜଣେ ନେତା କେନ୍ଦ୍ରରେ ଶିକ୍ଷା ମନ୍ତ୍ରଣାଳୟର ଗୁରୁଦାୟିତ୍ବ ବହନ କରିଥିବାରୁ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛି ସଂଗଠନ। ତେବେ ଏହି ଅବସରରେ ଅବହେଳିତ ମୟୂରଭଞ୍ଜ ଜିଲ୍ଲା ପ୍ରତି ଦୃଷ୍ଟି ଦେବାକୁ ସଂଗଠନ ଆଶାବ୍ୟକ୍ତ କରିଛି। ଜିଲ୍ଲାରେ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଲେ ଏଠିକାର ଛାତ୍ରଛାତ୍ରୀ ସ୍ୱଳ୍ପ ଖର୍ଚ୍ଚରେ ଉଚ୍ଚଶିକ୍ଷା ଲାଭ କରିବାର ସୁଯୋଗ ପାଇପାରିବେ। ଯାହା ଫଳରେ ଜିଲ୍ଲାର ଅଧିବାସୀଙ୍କର ସାମାଜିକ, ଅର୍ଥନୈତିକ ତଥା ନୈତିକ ମୂଲ୍ୟବୋଧରେ  ପରିବର୍ତ୍ତନ ଆସିବ। ଜିଲ୍ଲାରେ ରହିଥିବା ଅନ୍ଧବିଶ୍ବାସ ଏବଂ କୁସଂସ୍କାର ଦୂର ହେବା ସହିତ ଅସାମାଜିକ କାର୍ଯ୍ୟକଳାପ ମଧ୍ୟ କମିବ। ସେହିପରି ଶିକ୍ଷାର ପ୍ରସାର ଫଳରେ ରୋଜଗାର ସୁଯୋଗ ସୃଷ୍ଟି ହେବ ଏବଂ ଜିଲ୍ଲାର ସାମଗ୍ରୀକ ବିକାଶ କ୍ଷେତ୍ରରେ ଏହା ବେଶ୍‌ ସହାୟକ ହୋଇପାରିବ। ଆନ୍ଧ୍ରପ୍ରଦେଶ, ବିହାର ଆଦି ରାଜ୍ୟରେ ମଧ୍ୟ ଏକାଧିକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରହିଛି। ତେଣୁ ରାଜ୍ୟରେ କୋରାପୁଟ ଜିଲ୍ଲାରେ ଏକମାତ୍ର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ରହିଛି। ମୟୂରଭଞ୍ଜରେ ମଧ୍ୟ ଏକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସ୍ଥାପନ ନେଇ ପର୍ଯ୍ୟାପ୍ତ ଭିତ୍ତିଭୂମି ସୁଯୋଗ ରହିଛି। ଏଠାରେ ଏହି କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ସ୍ଥାପନ ହେଲେ ଓଡ଼ିଶା ସହିତ ପଡ଼ୋଶୀ ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗର ଛାତ୍ରଛାତ୍ରୀମାନେ ମଧ୍ୟ ଉପକୃତ ହୋଇପାରିବେ। ତେଣୁ ଜିଲ୍ଲାରେ ଏକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସ୍ଥାପନ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିହିତ ପଦକ୍ଷେପ ନେବାକୁ ଭଂଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଅନୁରୋଧ କରିଛନ୍ତି। ଏହି ଦାବିକୁ ଗୁରୁତ୍ୱ ଦିଆନଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି। 

 

0
0
0
s2sdefault