"ମୋ କଲେଜ ଅଭିଯାନ" ଅନ୍ତର୍ଗତ ନିଜ କଲେଜ ପାଇଁ ସ୍ଵଅର୍ଜ୍ଜିତ ପୁଞ୍ଜିରୁ ୩୦ ଲକ୍ଷ ଦାନ କରି ଚର୍ଚ୍ଚାରେ ଡାକ୍ତର ପଣ୍ଡା
ସମ୍ବଲପୁର (ଶାସକ ପ୍ରଶାସକ) : ବୟସ ୮୪ ବର୍ଷ ହେଲେ ବି ତାଙ୍କ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୟସ। କିଛି କରିବାର ନିଶା ପାଇଁ ମୋ କଲେଜ ଅଭିଯାନ ରେ ସାମିଲ ହୋଇ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ 30 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ସମ୍ବଲପୁରର ଜଣାଶୁଣା ତଥା ଲୋକପ୍ରିୟ ଡାକ୍ତର ନାରାୟଣୀ ପଣ୍ଡା। | ଏ ମହନୀୟ କାର୍ଯ୍ୟ ପାଇଁ ଡାକ୍ତର ସବୁଆଡୁ ଛୁଟିଛି ପ୍ରଶଂସା ଆଉ କୃତଜ୍ଞତାର ସୁଅ | ଗତକାଲି ସମ୍ବଲପୁର ଜିଲ୍ଲା ଗସ୍ତରେ ଥିବା ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ, କୃଷି-କୃଷକ ସଶକ୍ତିକରଣ , ମତ୍ସ୍ୟ ତଥ ପଶୁପାଳନ ମନ୍ତ୍ରୀ ସମ୍ବଲପୁର ଗସ୍ତ ସମୟରେ ସାକ୍ଷାତ କରିବାର ସୌଜନ୍ୟତା ଭୁଲିନଥିଲେ | ବ୍ୟସ୍ତ କାଯ୍ୟସୂଚୀ ଭିତରେ କିଛି ସମୟ ଯାଇ ସାକ୍ଷାତ କରିଥିଲେ ସେହି ହୃଦୟବାନ ମହିଳାଙ୍କୁ ବିଶିଷ୍ଟ ଡାକ୍ତର ତଥା ସମ୍ବଲପୁରର ଜଣାଶୁଣା ସ୍ବେଚ୍ଛାସେବୀ ଡାକ୍ତର ନାରାୟଣୀ ପଣ୍ଡାଙ୍କୁ ତାଙ୍କ ଭୁତାପଡା ବାସଭବନରେ I ତାଙ୍କ ସହ ଜିଲ୍ଲା ଓକିଲ ସଂଘ ସଭାପତି ତଥା ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଡ. ପ୍ରମୋଦ ରଥ ମଧ୍ୟ ଉପସ୍ଥିତ ଥିଲେ I ମନ୍ତ୍ରୀ ଶ୍ରୀ ସାହୁ ଡା. ପଣ୍ଡାଙ୍କୁ ତାଙ୍କ ସେବା କାର୍ଯ୍ୟ ତଥା ବଦାନ୍ୟତା ପାଇଁ ପ୍ରଶଂସା କରିଥିଲେ I
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଡା. ପଣ୍ଡା ତାଙ୍କର ଡାକ୍ତରୀ ପାଠ ପାଇଁ ସେ ସମୟରେ ଗଙ୍ଗାଧର ମେହେର ମହାବିଦ୍ୟାଳୟରୁ ଛାତ୍ରବୃତ୍ତି ପାଇଥିଲେ । ଏହି ଛାତ୍ରବୃତ୍ତି ଯୋଗୁଁ ସେ ଡାକ୍ତରୀ ଶିକ୍ଷା ପାଇ ଜଣେ ପ୍ରତିଷ୍ଠିତ ଡାକ୍ତର ହୋଇପାରିଥିଲେ । ତେଣୁ ସେ ପାଠ ପଢ଼ିଥିବା ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଉର୍ନତି ପାଇଁ ବିଶ୍ବବିଦ୍ୟାଳୟକୁ ୩୦ ଲକ୍ଷ ଟଙ୍କାର ସହଯୋଗ ରାଶି ପ୍ରଦାନ କରିଥିଲେ I ସେହିପରି ଡା. ପଣ୍ଡା ରୋଟାରି ଇଣ୍ଟର୍ନେସନାଲ୍କୁ ୬ ଲକ୍ଷ ଟଙ୍କା ଦେଇଛନ୍ତି I ବରିଷ୍ଠ ସାମ୍ବାଦିକ ସ୍ଵର୍ଗତ ପ୍ରଶାନ୍ତ ମହାନ୍ତି ଙ୍କ ପତ୍ନୀ ଡା. ପଣ୍ଡା ନିଜ ଚାକିରି ଜୀବନରେ ସଂଚୟ କରି ମାଝିପାଲିରେ ଏକ ଜମି କିଣିଥିଲେ। ତେବେ ତା'ର ରକ୍ଷଣାବେକ୍ଷଣ କରି ନପାରିବାରୁ ତାକୁ ବିକ୍ରି କରି ଏହି ଦାନ କରୁଥିବା କହିଛନ୍ତି I ଡା . ପଣ୍ଡାଙ୍କୁ ତାଙ୍କ ମହାନତା ପାଇଁ ସବୁ ମହଲରେ ପ୍ରଶଂସା କରାଯାଉଛି I
ତାଙ୍କ ସହିତ କିଛି ସମୟ ଅତିବାହିତ କରିବା ସହ "ମୋ କଲେଜ ଅଭିଯାନ" ପ୍ରତି ଥିବା ତାଙ୍କର ଶ୍ରଦ୍ଧା ଓ ଆନ୍ତରିକତା ବିଷୟରେ ପଚାରି ବୁଝିଥିଲେ ମନ୍ତ୍ରୀ ଡ଼ ସାହୁ | ମନ୍ତ୍ରୀ ଡ ସାହୁ ଓ ଡ଼ ନାରାୟଣୀ ପଣ୍ଡାଙ୍କ ମଧ୍ୟରେ ହୋଇଥିବା ସୌଜନ୍ୟମୂଳକ ଆଲୋଚନାର କିୟଦଂଶ ଏପରି |
୧ - ଗଙ୍ଗାଧର ମେହେର କଲେଜରେ ଆପଣ କେଉଁ ମସିହାରେ ପଢୁଥିଲେ?
ଉ. ୧୯୫୩ ରୁ ୧୯୫୫ ମସିହା ପର୍ଯ୍ୟନ୍ତ ଦୁଇବର୍ଷ ମୁଁ ସେହି କଲେଜ ରେ ଆଇଏସସି ପଢ଼ୁଥିଲି। ପର ମୁହୂର୍ତ୍ତରେ ୧୯୫୭ ମସିହାରେ ଏସସିବି ମେଡିକାଲ କଲେଜରେ ରେ ଡାକ୍ତରୀ ପଢିଲି। ସେହି ସମୟରେ ଡାକ୍ତରୀ ପଢିବା ପାଇଁ ଗଙ୍ଗାଧର ମେହେର କଲେଜ ଟ୍ରଷ୍ଟ ତରଫରୁ ପ୍ରତି ମାସରେ 25 ଟଙ୍କା ଆକାରରେ ଛାତ୍ରବୃତ୍ତି ପ୍ରଦାନ କରାଯାଉଥିଲା।
୨- ମୋ କଲେଜ ଅଭିଯାନ ପ୍ରତି ଆନ୍ତରିକତା କେବେଠାରୁ ଆପଣଙ୍କ ଭିତରେ ଜାଗ୍ରତ ହେଲା?
ଉ. ଯେଉଁ କଲେଜ ପାଇଁ ମୁଁ ଆଜି ଡାକ୍ତରାଣୀ ହୋଇପାରିଛି, ତା ପାଇଁ ମୁଁ କିଛି କରିପାରୁନଥିବାରୁ ମନରେ ଅନେକ ଅବଶୋଷ ରହିଯାଇଥିଲା। ହେଲେ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ମାର୍ଚ୍ଚ 21, 2021 ତାରିଖରେ ମୋ କଲେଜ ଅଭିଯାନ ର ପୋର୍ଟାଲ ପୁରାତନ ଛାତ୍ର ଛାତ୍ରୀଙ୍କ ପାଇଁ ଉନ୍ମୋଚନ କରାଗଲା, ସେବେଠାରୁ ଏହା ପ୍ରତି ମୋର ଆଗ୍ରହ ସୃଷ୍ଟି ହେଲା। ମୋ ପ୍ରତି କଲେଜର ଯେଉଁ ଅବଦାନ ରହିଥିଲା ତାର ଋଣ ସୁଝିବା ଏହାହିଁ ପ୍ରକୃତ ମାଧ୍ୟମ ବୋଲି ମତେ ହୃଦବୋଧ ହେଲା।
୩ - ମୋ କଲେଜ ଅଭିଯାନକୁ ନେଇ ଆପଣଙ୍କ ମତ କଣ?
ଉ.- ମୋ କଲେଜ ଅଭିଯାନ ମାଧ୍ୟମରେ ଜଣେ ପୁରାତନ ଛାତ୍ର ଯେତିକି ଅର୍ଥ କଲେଜକୁ ପ୍ରଦାନ କରିଥାଏ ତାର ଦୁଇ ଗୁଣ ଅର୍ଥ ରାଜ୍ୟ ସରକାର ସେହି କଲେଜକୁ ପ୍ରଦାନ କରିଥାନ୍ତି। ଏହା ନିଶ୍ଚିତଭାବେ ପ୍ରଶଂସା ଯୋଗ୍ୟ।
୪- ଆପଣ ମୋ କଲେଜ ଅଭିଯାନ ରେ ସାମିଲ ହେଲା ପରେ ଅନ୍ୟକୁ କଣ ପ୍ରେରଣା ଦେବେ?
ଉ.ମୁଁ ଡାକ୍ତର ଚାକିରୀ କରି ନିଜେ ପ୍ରତିଷ୍ଠିତ ହେବା ସହ କିଛି ଅର୍ଥ ରାଶି ଜମା କରି ରଖିଥିଲି, ସେହି ଜମା ପୁଞ୍ଜିକୁ ଭାଙ୍ଗି ମୁଁ କଲେଜକୁ ଦାନ କରିଛି। ସମସ୍ତ ପୁରାତନ ଛାତ୍ର ଛାତ୍ରୀଙ୍କ ସହଯୋଗରେ ଶିକ୍ଷାନୁଷ୍ଠାନର ଗୁଣାତ୍ମକ ଓ ଶୈକ୍ଷିକ ବାତାବରଣକୁ ପରିବର୍ଦ୍ଧିତ କରିବା ଲାଗି ଆରମ୍ଭ ହୋଇଛି ମୋ କଲେଜ ଅଭିଯାନ। ମୋ ଭଳି ସମସ୍ତ ପୁରାତନ ଛାତ୍ର ଛାତ୍ରୀମାନେ ସହଯୋଗର ହାତ ବଢ଼େଇ ନିଜ ନିଜ କଲେଜକୁ ବିକାଶ କରିବାରେ ସହାୟକ ହୁଅନ୍ତୁ।