ହେଡଲାଇନସ୍:

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୟୂରଭଞ୍ଜର ସୁଯୋଗ୍ୟ ସନ୍ତାନ ପ୍ରଫେସର ଅଜିତ କୁମାର ମହାନ୍ତି ଏବଂ ପଦ୍ମଶ୍ରୀ ଦୈତାରୀ ନାଏକଙ୍କୁ "ଭୂମିପୁତ୍ର" ସମ୍ମାନ

ବାରିପଦା,(ଦିଲ୍ଲୀପ ମହାନ୍ତି): ଭଞ୍ଜମାଟିର ଐତିହ୍ୟ ଓ ସଂସ୍କୃତିକୁ ବହନ କରି ବାରିପଦାରେ ପ୍ରତିଷ୍ଠିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ ବିଶ୍ୱବିଦ୍ୟାଳୟ ପରିସରରେ କୋଭିଡ ନିୟମ ସହିତ ପାଳିତ ହୋଇଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଆଭାଷୀ କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର କିଶୋର କୁମାର ବସା ଅଧ୍ୟକ୍ଷତା କରି ବର୍ତ୍ତମାନର ଯୁବପୀଢିଙ୍କ ଆଶା ଓ ଆକାଂକ୍ଷା ତଥା ଜନଜାତିଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟକୁ କର୍ମତତ୍ପର ହେବାକୁ ଆହ୍ୱାନ କରିଥିଲେ। ବିଶ୍ୱବିଦ୍ୟାଳୟର ସାମଗ୍ରୀକ ବିକାଶ ଦିଗରେ ସମସ୍ତ କର୍ମଚାରୀଙ୍କର ଭୂମିକା ରହିଥିବା ମତପୋଷଣ କରିଥିଲେ ଶ୍ରୀ ବସା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପୂରନ୍‌ ଚାନ୍ଦ ଯୋଶୀ ଏବଂ ଓଡ଼ିଶା ଉଚ୍ଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଅଶୋକ କୁମାର ଦାସ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ପ୍ରଫେସର ଦାସ ବିଶ୍ୱବିଦ୍ୟାଳୟରେ କେବଳ ଭିତ୍ତିଭୂମି ସୁଦୃଢ଼ କଲେ ହେବ ନାହିଁ ବରଂ ମୟୂରଭଞ୍ଜର ସାଂସ୍କୃତିକ ପଟ୍ଟଭୂମି, ଶିମିଳିପାଳ ଜୌବମଣ୍ଡଳ ଏବଂ ଛାତ୍ରଛାତ୍ରୀଙ୍କର ଜୀବିକାର୍ଜ୍ଜନ ପନ୍ଥାର ମହତ୍‌ ଉଦ୍ଦେଶ୍ୟକୁ ପାଥେୟ କରି ବିଶ୍ୱବିଦ୍ୟାଳୟ ନିଜର ଆଭିମୂଖ୍ୟ ଓ ଭବିଷ୍ୟତ ପନ୍ଥା ନିର୍ଦ୍ଧାରଣ କରିବାକୁ ହେବ ବୋଲି ଦୃଢ଼ୋକ୍ତି କରିଥିଲେ । ସେହିପରି ମୁଖ୍ୟ ଅତିଥି ଶ୍ରୀ ଯୋଶୀ ନୂତନ ଜାତୀୟ ଶିକ୍ଷାନୀତିର ଆଦର୍ଶରେ ବିଶ୍ୱବିଦ୍ୟାଳୟକୁ ଗଢିବା ନିମନ୍ତେ ବଦ୍ଧପରିକର ହେବାକୁ ପ୍ରେରଣା ଦେଇଥିଲେ । ପ୍ରତିଷ୍ଠା ଦିବସ ଅବସରରେ ମୟୂରଭଞ୍ଜ ମାଟିର ବରପୁତ୍ର ଭାବା ଆଣବିକ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଅଜିତ କୁମାର ମହାନ୍ତି ଏବଂ କେଉଁଝର ଜିଲ୍ଲାର ସୁଯୋଗ୍ୟ ସନ୍ତାନ ପଦ୍ମଶ୍ରୀ ଦୈତାରୀ ନାଏକଙ୍କୁ ବିଶ୍ୱବିଦ୍ୟାଳୟ ତରଫରୁ ମାନପତ୍ର ଓ ଉପଢୌକନ ସହ "ଭୁମିପୁତ୍ର" ପୁରସ୍କାର ପ୍ରଦାନ କରାଯାଇଥିଲା । ବିଶ୍ୱବିଦ୍ୟାଳୟରୁ ଅବସର ନେଇଥିବା ବଲାଙ୍ଗୀରସ୍ଥିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଉମାବଲ୍ଲଭ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ନିଜର କର୍ତ୍ତବ୍ୟନିଷ୍ଠା ପାଇଁ ତପନ ପାତ୍ର ଓ ଆରତି ଜେନାଙ୍କୁ  "ଶ୍ରେଷ୍ଠ ଅଣଶିକ୍ଷକ କର୍ମଚାରୀ" ପୁରସ୍କାର ପ୍ରଦାନ କରାଯାଇଥିଲା ।  ସେହିପରି ପ୍ରାଣୀବିଜ୍ଞାନରେ ସ୍ନାତକୋତ୍ତରରେ ପ୍ରଥମସ୍ଥାନ ପାଇଁ ସୁଶ୍ରୀ ଶୁଭସ୍ମିତା ଦାସ ଓ ସୁଶ୍ରୀ ଦିବ୍ୟଜ୍ୟୋତି ନାୟକଙ୍କୁ "କୁମଦିନୀ ମେମୋରିଆଲ୍‌ ପୁରସ୍କାର" ପ୍ରଦାନ କରାଯାଇଥିଲା ।  ପ୍ରାରମ୍ବରେ ବିଶ୍ୱବିଦ୍ୟାଳୟସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ସ୍ନାତକୋତ୍ତର ପରିଷଦର ପ୍ରଫେସର ଅନୀଲ କୁମାର ବିଶ୍ୱାଳ ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ । କୁଳସଚିବ ସହଦେବ ସମାଧିଆ ବାର୍ଷିକ ବିବରଣୀ ପାଠ କରି ବିଶ୍ୱବିଦ୍ୟାଳୟର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ । ବିଶ୍ୱବିଦ୍ୟାଳୟର ନ୍ୟୁଜ୍‌ଲେଟର ଓ ବାର୍ଷିକ ରିପୋର୍ଟ ଉନ୍ମୋଚନ କରାଯାଇଥିଲା । ବିତ୍ତ ନିୟନ୍ତ୍ରକ ଶୁକଦେବ ତରେଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରାଧ୍ୟାପିକା ପୁଷ୍ପାଞ୍ଜଳି ପରିଡ଼ା,  କମଳ ଲୋଚନ ବାରିକ, ସ୍ୱରୁପାନନ୍ଦ ବିଶୋୟୀ, କୁକୁ ମହାପାତ୍ର, ବିଷ୍ଣପ୍ରିୟା ହାଁସଦା,  ଶାନ୍ତିସ୍ୱରୁପ ବସା, ହିରଣ୍ୟ ଅଶୋକ କୁମାର ମହନ୍ତ ଓ ନଳିନୀ ରଞ୍ଜନ ଦାସ ପ୍ରମୁଖ ପରିଚାଳନା କରିଥିଲେ ।

 

0
0
0
s2sdefault