ରାୟଗଡ(ସରୋଜ କୁମାର ସାହୁ): ରାୟଗଡ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା । ରାୟଗଡ ସଦର ମହକୁମା ଠାରୁ ପ୍ରାୟ ଦଶ କିଲୋମିଟର ଦୂରରେ ଦଶ ଦଶନ୍ଧି ଧରି ଜେକେ କାଗଜ କଳ ସ୍ଥାପିତ ହୋଇ କାର୍ଯ୍ୟକରି ଆସୁଛି । ଏହି ଅଂଚଳର ଜନ ସାଧାରଣଙ୍କର ସର୍ବାଙ୍ଗୀନ ବିକାଶ ନିମନ୍ତେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜୀବନ ଜିବୀକାର ଉଦ୍ୟମ ଓ ଭିତିଭୂମି ନିର୍ମାଣ କାର୍ଯ୍ୟକୁ ଜେକେ କାଗଜ କଳ ନିଜର ସାମଜିକ ଦାୟୀତ୍ୱବୋଧ ଅନୁଭବ କରି କାର୍ଯ୍ୟ କରି ଆସୁଅଛି ।
ନିରକ୍ଷରତା ଆନୁପାତରେ ରାୟଗଡ ଜିଲ୍ଲା ଜାତୀୟ ସ୍ତରରୁ ବହୁତ ପଛରେ । ଏହି ଜିଲ୍ଲାରେ ନାରୀ ମାନଙ୍କର କ୍ଷେତ୍ରରେ ଏହା ଅତି ନିମ୍ନତର । ଏହି ନିରକ୍ଷରତା ଦୁରିକରଣ ପାଇଁ ମହିଳା ପ୍ରୋଢ ଶିକ୍ଷା କେନ୍ଦ୍ର ଗୁଡିକ ଜେକେ କାଗଜ କଳ ତରଫରୁ ପ୍ରତିଷ୍ଠା କରାଯାଇ ଅଛି । ଏହି କେନ୍ଦ୍ର ମାଧ୍ୟମରେ ପ୍ରାୟ ୫୦୦୦ ରୁ ଉର୍ଦ୍ଧ୍ବ ଜଣ ମହିଳା ଶିକ୍ଷିତ ହୋଇ ପାରିଛନ୍ତି । ଏହା ସହ ଛାତ୍ରମାନଙ୍କ ମଧ୍ୟରେ କମ୍ପୁଟର ଶିକ୍ଷାର ପ୍ରସାର ପାଇଁ ପାଶ୍ୱର୍ବର୍ତି ୫ ଗୋଟି ଗ୍ରାମ ଗୁଡିକରେ ଡିଜିଟାଲ ଲର୍ଣ୍ଣିଙ୍ଗ ସେଣ୍ଟର ଖୋଲାଯାଇ ଅଛି । ବର୍ତମାନ ୭୬୦ ଜଣ ଛାତ୍ର ଏହି ସବୁ ସେଣ୍ଟରରେ ଅଧ୍ୟୟନରତ ଅଛନ୍ତି । ଛାତ୍ର ମାନଙ୍କର ବ୍ୟକ୍ତିତ୍ୱର ବିକାଶ ଓ ତାଙ୍କ ମଧ୍ୟରେ ପ୍ରତିଯୋଗୀ ମନୋଭାବ ନିର୍ମାଣ କରିବା ପାଇଁ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ସବୁ ଆୟୋଜନ କରାଯାଉଛି ।
ଜେକେ କାଗଜ କଳର ପାରିପାର୍ଶ୍ଵିକ ଅଂଚଳ ମାନଙ୍କରେ ଥିବା ୧୨ ଗୋଟି ସ୍କୁଲରେ ପଢୁ ଥିବା ୭୦୦୦ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସ୍କୁଲ ବ୍ୟାଗ, ଓ ପଠନ ଲିଖନ ସାମଗ୍ରୀ ସବୁ ଯୋଗାଇ ଦିଆଯାଉଥିବା ଜେକେ କାଗଜ କଳର ବରିଷ୍ଠ ଲୋକ ସମ୍ପର୍କ ତଥା ସାମଜିକ ଦାୟୀତ୍ୱବୋଧ ଅଧିକାରୀ ଶ୍ରୀ ସୁନୀଲ କୁମାର ନାଥ ପ୍ରକାଶ କରିଛନ୍ତି । କାଗଜ କଳର ପାରିପାର୍ଶ୍ଵିକ ଅଂଚଳରେ ଥିବା ଯୁବକ ଯୁବତୀ ମାନଙ୍କୁ ସ୍ୱାବଲନ୍ୱୀ ହେବା ପାଇଁ ଛୋଟ ଛୋଟ ଉଦ୍ୟୋଗ ନିମନ୍ତେ ତାଲିମ ଦେବା ସହ ରୋଜଗାର କରିବା ନିମନ୍ତେ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଉଛି । ଆର୍ଥିକ ବର୍ଷ ୨୦୨୦-୨୧ ରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୮୦ ଜଣ ଲାଭାର୍ଥକୁ ସୁଯୋଗ ପ୍ରଦାନ କରାଯାଇଥିବା ଶ୍ରୀ ନାଥ ପ୍ରକାଶ କରିଥିଲେ । ସ୍ୱୟଂସହାୟକ ଗୋଷ୍ଠୀ ଗଠନ କରାଯାଇ ଲୋକଙ୍କୁ କର୍ମସଂସ୍ଥାନ ଉପଲବ୍ଧ କରାଯାଇଅଛି । ବର୍ତମାନ ପର୍ଯ୍ୟନ୍ତ ୫୩୧ ଗୋଟି ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ ୫୫୨୮ ଜଣ ଲାଭାର୍ଥୀ ଉପକୃତ ହୋଇଛନ୍ତି ।
ଉକ୍ତ ଅଂଚଳରେ କୃଷିର ବିକାଶ ନିମନ୍ତେ ୮୪ ଗୋଟି ଗ୍ରାମରେ ୮୪ ଜଣ କୃଷକଙ୍କୁ ନେଇ କ୍ଲବ ଗଠନ କରାଯାଇଛି ଏହି କ୍ଲବରେ ବର୍ତମାନ ୨୫୩୨ ଜଣ କୃଷକ ସଦସ୍ୟ ଅଛନ୍ତି । ସରକାରୀ ଯୋଜନା ଓ କୃଷି ସମ୍ବନ୍ଧୀୟ ତାଲିମ ଏବଂ ମାଗଣାରେ ମଞ୍ଜି ଉପଲବ୍ଧ ସେମାନଙ୍କୁ ଏହି କ୍ଲବ ମାଧ୍ୟମରେ କରାଯାଉଛି । ଏହା ସହ ସୌରଶକ୍ତି ଚାଳିତ ପମ୍ପ ମାଧ୍ୟମରେ ଭୂତଳ ଜଳ ଉତୋଳନ କରି ୧୨ ଗୋଟି ଗ୍ରାମର ପ୍ରାୟ ୩୨୯ ଜଣ କ୍ଷୁଦ୍ର ଏବଂ ନାମ ମାତ୍ର ଚାଷୀଙ୍କ ପାଇଁ ଜଳ ସେଚନର ବ୍ୟବସ୍ଥା କରାଯାଇଅଛି ।
ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ପାଇଁ ଗାଁ ଗାଁ ରେ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇ ପ୍ରାୟତଃ ପ୍ରତିବର୍ଷ ୫୦୦୦ ରୁ ଉର୍ଦ୍ଧ୍ୱ ରୋଗୀଙ୍କୁ ମାଗଣାରେ ଚିକିତ୍ସା ଓ ଔଷଧ ବଣ୍ଟନ କରାଯାଉଛିି । ପ୍ରକଳ୍ପ ରୋଷନୀ ମାଧ୍ୟମରେ ପ୍ରାୟ ୧୦୦୦ ଜଣ ରୋଗୀଙ୍କ ଚକ୍ଷୁ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରି ଚଷମା ପ୍ରଦାନ କରାଯାଇଅଛି । କିଶୋର ଓ କିଶୋରୀ ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଡ୍ରାଇଭିଙ୍ଗ ତଥା ସିଲେଇ ତାଲିମ ପ୍ରଦାନ ମଧ୍ୟ କରାଯାଇଅଛି । ଏହି ପରି ଭାବରେ ଜେକେ କାଗଜ କଳ ତାର ସାମାଜିକ ଦାୟୀତ୍ୱ ବୋଧକୁ ହୃଦୟଙ୍ଗମ କରି ସମାଜର ବିକାଶରେ ଯତ୍ନବାନ ରହିଥିବା ଶ୍ରୀ ନାଥ ପ୍ରକାଶ କରିଛନ୍ତି ।







