କାଶୀପୁରରୁ ବୈକୁଣ୍ଠ ନାଥ ଦୁରିଆ: କାଶୀପୁର ବ୍ଲକର ପୋଡାପାଡି ପଞ୍ଚାୟତ ଅନ୍ତର୍ଗତ କଂସାରୀଗୁଡା ଗ୍ରାମ ଛକ ଠାରେ ଆଦିତ୍ୟ ବିର୍ଲ୍ଲା (ହିଣ୍ଡାଲ କୋ) ରିଫାଇନାରୀ କମ୍ପାନୀ ଦ୍ୱାରା ହୋଇଥିବା ବିସ୍ଥାପିତଙ୍କ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଚଳିତ ମାସ ୧୭ ତାରିଖରେ କମ୍ପାନୀ କତ୍ରୁପକ୍ଷ, ଜିଲ୍ଲା ପ୍ରଶାସନ ଓ ବିସ୍ଥାପିତ ଗ୍ରାମବାସୀଙ୍କ ମଧ୍ୟରେ ହେବାକୁ ଥିବା ଭର୍ଚୁଆଲ ବୈଠକ ନିମନ୍ତେ ଆଲୋଚନା କରାଯାଇଥିଲା । ଏଠାରେ ପ୍ରକାଶ ଯେ, ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଵ ସମୟ ହେଲା କଂସାରୀଗୁଡା ଠାରେ ହିଣ୍ଡାଲ କୋ କମ୍ପାନୀ ଏକ ରିଫାଇନାରୀ କାରଖାନା କରିବା ନିମନ୍ତେ ଉକ୍ତ ଅଞ୍ଚଳରେ ଜମି ଅଧିଗ୍ରହଣ କରିଥିଲା କିନ୍ତୁ ଉକ୍ତ କମ୍ପାନୀ କାରଖାନା ପ୍ରତିଷ୍ଠା କରିବାରେ ବହୁ ବିଳମ୍ବ କରୁଥିବାରୁ କମ୍ପାନୀ ଦ୍ବାରା ବିସ୍ଥାପିତ ହୋଇଥିବା ଗ୍ରାମ ବାସୀ ମାନେ କୌଣସି କାମଧନ୍ଦା ନ ପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଛି ଲୋକ ଏଠାରେ କାମଧନ୍ଦା ନ ପାଇ ବାହାର ରାଜ୍ୟକୁ ଯାଇ ଦାଦନ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହେଉଛନ୍ତି । କମ୍ପାନୀ ଦ୍ୱାରା ସେମାନଙ୍କ ଚାଷ ଜମି ଅଧିଗ୍ରହଣ ହେବା ଫଳରେ ଜମି ହରାଇ ଚାଷ ନ କରିପାରି ଭୋକ ଉପାସରେ ରହି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାହା ଫଳରେ ଉକ୍ତ ଅଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ସୃଷ୍ଟି କରିଛି । ଏଠାରେ ଉକ୍ତ ଅଞ୍ଚଳ ବାସୀ ପ୍ରକାଶ କରିଛନ୍ତି ଯେ, ଏଠାରେ କାରଖାନା ପ୍ରତିଷ୍ଠା କରାଯିବା ଆବଶ୍ୟକ ରହିଛି । ଉକ୍ତ ଅଞ୍ଚଳ ବାସୀ କାରଖାନା ପ୍ରତିଷ୍ଠା କରିବା ନେଇ ବାରମ୍ବାର କମ୍ପାନୀ କତ୍ରୁପକ୍ଷ ଓ ଜିଲ୍ଲା ପ୍ରଶାସନକୁ ନିଜର ଅସୁବିଧା ନେଇ ଗୁହାରୀ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିବା ଚିନ୍ତାର ବିଷୟ ପାଲଟିଛି । ଉକ୍ତ ବୈଠକରେ ଆଲୋଚନା କରିଥିଲେ ଯେ, ଚଳିତ ମାସ ୧୭ ତାରିଖରେ ହେବାକୁ ଥିବା କମ୍ପାନୀ କତ୍ରୁପକ୍ଷ, ଜିଲ୍ଲା ପ୍ରଶାସନ ଓ ଗ୍ରାମବାସୀଙ୍କ ମଧ୍ୟରେ ହେବାକୁ ଥିବା ଭରଚୁଆଲ୍ ବୈଠକରେ ଯଦି କୌଣସି ପଦକ୍ଷେପ ନ ନିଆଯାଏ ତାହେଲେ ସେହି ଦିନ ଠାରୁ ବିସ୍ଥାପିତ ଗ୍ରାମବାସୀ ରାଜରାସ୍ତାରେ ଧାରଣା ଦେବେ ବୋଲି ନିଷ୍ପତ୍ତି ହୋଇଛି । ଉକ୍ତ ବୈଠକରେ କଂସାରୀଗୁଡା, ପୋଡାପାଡି, ପୁହୁଣ୍ଡି ଓ ଫୁଲଜବା ଗ୍ରାମର ଡଉଲ ଚୌଧୁରୀ, ଲକ୍ଷ୍ମୀଧର ବାଘ, ମନୋଜ ଝୋଡ଼ୀଆ, ପାଇକୁ ଝୋଡିଆ, ବିପିନ ମାଡିଙ୍ଗା ଓ ଦାମ ବିଡିକା ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ
କଂସାରିଗୁଡା ଠାରେ ହିଣ୍ଡାଲ କୋ କମ୍ପାନୀ ଦ୍ୱାରା ବିସ୍ଥାପିତଙ୍କ ଏକ ଜରୁରୀ ବୈଠକ ଅନୁଷ୍ଠିତ
- Hits: 780