ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଜେଡ଼ି କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସାଢେ଼ ୪ କୋଟି ଓଡ଼ିଆଙ୍କ ସେବାରେ ହେବ ସମର୍ପିତ: ପ୍ରଣବ

ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଜେଡି ରାଜ୍ୟ କାର୍ଯ୍ୟାଳୟ (ମୁଖ୍ୟାଳୟ) ରୂପରେଖ ବଦଳିବ । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହେବ ଦଳର ନୂତନ ମୁଖ୍ୟାଳୟ । ପ୍ରସ୍ତାବିତ କୋଠା ୪ ମହଲା (ବେସ୍ମେଣ୍ଟ୍+ଗ୍ରାଉଣ୍ଡ୍ ଫ୍ଲୋର୍+ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଫ୍ଲୋର୍) ବିଶିଷ୍ଟ ହେବ ।ପରବର୍ତ୍ତୀ ସମୟରେ ରାଜ୍ୟର ୩୦ଟି ଜିଲ୍ଲା ସଦରମହକୁମାରେ ଜିଲ୍ଲା କାର୍ଯ୍ୟାଳୟ ସ୍ଥାପନ କରାଯାଇ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଯୋଗାଯୋଗ ବ୍ୟବସ୍ଥାରେ ମୁଖ୍ୟାଳୟ ସହ ସଂଯୋଗ କରାଯିବ । ପବିତ୍ର ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ନୂତନ ମୁଖ୍ୟାଳୟ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଦଳୀୟ କାର୍ଯ୍ୟାଳୟରେ ଆଜି ଭୂମି ପୂଜନ ଲାଗି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । କୋଭିଡ୍ ନିୟମ ଦୃଷ୍ଟିରୁ ଦଳର କେତେକ ବେଈଷ୍ଟ ନେତା ଓ ନେତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ଦଳର ସଭାପତି ନବୀନ ପଟ୍ଟନାୟକ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚି ‘ଜୟ ଜଗନ୍ନାଥ’ କହି ଏହି ନୂତନ ମୁଖ୍ୟାଳୟ ଲାଗି ଶୁଭ ଦେଇଥିଲେ ।

ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ୨୪ ବର୍ଷ ହେଲା ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ଆଶା ଓ ବିଶ୍ୱାସର ପ୍ରତୀକ ହୋଇଛି । ମହିଳା, ଯୁବ, ଛାତ୍ର, ଚାଷୀ, ଶ୍ରମିକ, ଗରିବ, ଅନୁସୂଚିତ ଜାତି ଓ ଜନଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ ସମସ୍ତଙ୍କ ବିପୁଳ ସମର୍ଥନ ପାଇ ଆଜି ଦଳରେ କୋଟିଏରୁ ଅଧିକ ସଦସ୍ୟ ସାମିଲ୍ ହୋଇଛନ୍ତି । ଆଜି ପବିତ୍ର ରଥଯାତ୍ରାରେ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନୂତନ କାର୍ଯ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି କାର୍ଯ୍ୟାଳୟରେ ଓଡ଼ିଶାବାସୀଙ୍କ ସେବା ପାଇଁ ବିଭିନ୍ନ ଶାଖା କାର୍ଯ୍ୟକ୍ଷମ ହେବା ସହିତ ରକ୍ତଦାନ ଏବଂ ଅନ୍ୟାନ୍ୟ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ଚାଲୁ ରହିବ । ଏହା କେବଳ ଦଳୀୟ କାର୍ଯ୍ୟାଳୟ ହେବ ନାହିଁ, ବରଂ ଏହା ଓଡ଼ିଶାର ଲୋକଙ୍କ ପାଇଁ ସେବା ଓ ସମର୍ପଣର ପ୍ରତୀକ ହେବ । ଓଡ଼ିଶା ସ୍ୱାଭିମାନର ଜାଗ୍ରତ ପ୍ରହରୀ ଭାବେ ମଧ୍ୟ ଏହା କାର୍ଯ୍ୟ କରିବ । ଦଳର ଯୁବ ଓ ଛାତ୍ର ଶ୍ରମ ଦାନ କରି ନିଜ ଘରର କାମ ଭାବି ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବେ । ଏହା ମାଧ୍ୟମରେ ସାଢେ଼ ୪ କୋଟି ଓଡ଼ିଶାବାସୀଙ୍କ ସେବା କରିବାକୁ ବିଜୁ ଜନତା ଦଳର ସମସ୍ତ କାର୍ଯ୍ୟକର୍ତ୍ତା ନିଜକୁ ସମର୍ପିତ କରିବେ । ବିଜେଡି ସାଧାରଣ ସମ୍ପାଦକ (ମୁଖ୍ୟାଳୟ)

ସଞ୍ଜୟ କୁମାର ଦାସବର୍ମା କହିଛନ୍ତି, ଅତ୍ୟାଧୁନିକ ଜ୍ଞାନକୌଶଳରେ ଏହି ଭବନ ନିର୍ମାଣ କରାଯିବ । ଓଡ଼ିଶାର ସ୍ଥାପତ୍ୟ ଏବଂ କଳାକୁ ମଧ୍ୟ ଗୁରୁତ୍ୱ ମିଳିବ । ଏହା ମଧ୍ୟରେ ଏକ ଅଡିଟୋରିୟମ୍ କରାଯିବାର ବ୍ୟବସ୍ଥା ରହିଛି । ୨୩ ବର୍ଷ ପରେ ଦଳର କାର୍ଯ୍ୟାଳୟ ପୁନଃନିର୍ମାଣ ହେଉଥିବା ବେଳେ ୱାଇଫାଇ ବ୍ୟବସ୍ଥା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ଏହାସହ ଯୋଡିହେବ । ୨୩ ବର୍ଷ ଧରି ଦଳର ସଂଗଠନକୁ ସୁଦୃଢ଼ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଦଳର ରାଜ୍ୟ କାର୍ଯ୍ୟାଳୟ ସମେତ ଜିଲ୍ଲାରେ ଦଳର ଭିତ୍ତିଭୂମିକୁ ମଧ୍ୟ ସୁଦୃଢ଼କରାଯାଉଛି । 

ଆଜିର ଏହି ଐତିହାସିକ କାର୍ଯ୍ୟକ୍ରମରେ ଦଳର ବରିଷ୍ଠ  ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ଉଷା ଦେବୀ, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ଅଶୋକ ପଣ୍ଡା, ଡ. ପ୍ରସନ୍ନ ପାଟ୍ଟଶାଣୀ, ପଦ୍ମନାଭ ବେହେରା, ପ୍ରଫୁଲ୍ଲ ସାମଲ, ପ୍ରଣବ ବଳବନ୍ତରାୟ, ପ୍ରମିଳା ମଲ୍ଲିକ, କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।  

 

0
0
0
s2sdefault