ବାରିପଦା(ଦିଲ୍ଲୀପ ମହାନ୍ତି )- ଅପ୍ରିଲ ମାସରେ ମୟୂରଭଞ୍ଜ ଜିଲ୍ଲାରୁ ନେସ୍କୋ ବିଦାୟ ନେଇ ଟାଟା ପାୱାର ନୋର୍ଥ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ଼ ହାତରେ ଜିଲ୍ଲାର ବିଦ୍ୟୁତ ଦାୟିତ୍ୱ ନ୍ୟସ୍ଥ କରାଯାଇଅଛି।ଜିଲ୍ଲାବାସୀ ଭାବିଥିଲେ ଜିଲ୍ଲାରେ ବିଦ୍ୟୁତ ସମସ୍ୟାରେ ସୁଧାର ଆସିବ , କିନ୍ତୁ ବର୍ତମାନ ଅବସ୍ଥା ଆହୁରି ଶୋଚନୀୟ ହୋଇ ପଡିଛି। ସାମାନ୍ୟ ବର୍ଷା ବା ପବନ ହେଲେ ବାରିପଦା ସହରରେ ବାରମ୍ବାର ବିଦ୍ୟୁତ କଟା ହେଉଛି । ତେବେ ଗ୍ରାମାଞ୍ଚଳ ଅବସ୍ଥା କହିଲେ ନ ସରେ। ବାରମ୍ବାର ଘଣ୍ଟା ଘଣ୍ଟା ଧରି ଜାରି ରହିଥିବା ଅଘୋଷିତ ବିଦ୍ୟୁତ କାଟରେ ଅତିଷ୍ଠ ହୋଇ ଖୁଣ୍ଟାଥାନା ଅନ୍ତର୍ଗତ ସାନକେରକ ଗ୍ରାମପଞ୍ଚାୟତର ଶତାଧିକ ଲୋକ ଅଟକରଖିଲେ ବିଦୁତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ। ସୂଚନା ଅନୁସାରେ ଏହି ଗ୍ରାମ ପଞ୍ଚାୟତରେ ପ୍ରତେକ ଦିନ ୨ଘଣ୍ଟା ଲାଇନ ରହୁ ଥିବା ବେଳେ ବାକି ସମୟ ବିଦୁତ କାଟ ହେଉଛି ।ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ବିଦୁତ ବିଭାଗର ଅଧିକାରୀମାନେ ଶୁଣୁନାହାନ୍ତି।ଆଜି ବାଧ୍ୟ ହୋଇ ଏହି ପଞ୍ଚାୟତର ସମସ୍ତେ ମିଶି ସାନକେରକରେ ଥିବା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟକୁ ବନ୍ଦକରି ଦେଇଥିଲେ। ଖବର ପାଇ ଉଦଳା ଡିଭିଜନର ଏସଡ଼ିଓ ପହଁଞ୍ଚି ଲୋକଙ୍କୁ ବୁଝା ସୁଜା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ତେବେ କେବଳ ସାନକେରକୋ ନୁହେଁ, ଏହି ସମସ୍ୟା ସମଗ୍ର ଜିଲ୍ଲାରେ ଦେଖା ଦେଇଥିବାରୁ ଏହାକୁ ତୁରନ୍ତ ସମାଧାନ ପାଇଁ ସାଧାରଣରେ ଦାବି ହୋଇଛି।