ହେଡଲାଇନସ୍:

ରାୟଗଡା ସହରରେ ଡେଙ୍ଗୁରୋଗ ଲୋକଙ୍କ ନିଦ ହଜେଇଲାଣି, ସେପଟେ ସିଡିଏମଓ ଙ୍କ ନିଦ ଭାଙ୍ଗୁନି  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜିଲ୍ଲାପାଳ କହୁଛନ୍ତି ଗମ୍ଭୀର, ସିଡିଏମଓ କହୁଛନ୍ତି "କାଇଁ ନାଇ ତ"

02-07-18-dengu.jpg - 77.81 kB 

ରାୟଗଡା(ସରୋଜ କୁମାର ସାହୁ) : ରାୟଗଡା ଜିଲ୍ଲାରେ ଡେ଼ଙ୍ଗୁ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଥିବା ବେଳେ ଅପର ପକ୍ଷେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ବେପରୁଆ ବୟାନ ସମସ୍ତଙ୍କୁ ତାଜୁବ କରିଛି । ଜିଲ୍ଲାପାଳ ଜିଲ୍ଲାରେ ଡେ଼ଙ୍ଗୁ ସ୍ଥିତି ଗମ୍ଭୀର ବୋଲି କହୁଥିବା ବେଳେ ସିଡ଼ିଏମଓ ଏଯାଏଁ ଜିଲ୍ଲାରେ ଜଣେ ହେଲେ ଡେ଼ଙ୍ଗୁ ରୋଗୀ ଚିହ୍ନଟ ହୋଇ ନ ଥିବା ସୂଚନା ଦେଉଛନ୍ତି | ଏଭଳି ପରିପ୍ରେକ୍ଷୀରେ  ସ୍ୱାସ୍ଥ୍ୟ ବିଭାଗର ଡେ଼ଙ୍ଗୁ ମୁକାବିଲା ନେଇ ପାରିବାପଣିଆ ପଦାରେ ପକାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି  ଜେକେପୁରର ମନୋରଂଜନ କେନ୍ଦ୍ରର ଡେ଼ଙ୍ଗୁ ସଚେତନ କାର୍ଯ୍ୟକ୍ରମରେ ।

 ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ଡେ଼ଙ୍ଗୁ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ମାସକ ମଧ୍ୟରେ ଗୋଟିଏ ପରେ ଗୋଟିଏ ୨୦ରୁ ଉର୍ଧ୍ଵ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରି ସାରିଲେଣି । ଏବେ ଡେ଼ଙ୍ଗୁକୁ ନେଇ ଆତଙ୍କ ଦେଖା ଦେଇଛି ଜିଲ୍ଲାରେ । ସୋମବାରରେ ପୁଣି ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ୨ଜଣ ଡେଙ୍ଗୁ ରୋଗୀ ଚିକିତ୍ସାନିମନ୍ତେ ଡେଙ୍ଗୁ ୱାର୍ଡରେ ଭର୍ତ୍ତି ହୋଇଛନ୍ତି  । ସେମାନଙ୍କ ମଧ୍ୟରୁ ରାୟଗଡା ସଦର ବ୍ଳକର ହଇଚଇ ମଚାଇଥିବା ସୁଲଭା ଗ୍ରାମର ରତ୍ନାଲୁ ସିଂ(୫୫)ନାମକ ମହିଳା ଚିକିତ୍ସିତ ହେଉଥିବା ବେଳେ ଅନ୍ୟଜଣେ ରାୟଗଡା ସହରର ହରିଜନ ସାହିର ଏସ.କମଳା(୪୫) ବୋଲି ଜଣାପଡିଛି । ପ୍ରକାଶ ଥାଉ କି ଗତ ଜୁନ୍ ୮ ତାରିଖରେ ପ୍ରଥମ କରି ରାୟଗଡ ଜିଲ୍ଳାରେ କାୟା ବିସ୍ତାର କରିଥିଲା ମାରାତ୍ମକ ଡେଙ୍ଗୁ । ଜିଲ୍ଲାର ରାୟଗଡ଼ା ବ୍ଲକ ଅନ୍ତର୍ଗତ ବିରନାରାୟଣପୁର ଗାଁର ୧୩ଜଣଙ୍କ ମଧ୍ୟରୁ ୮ଜଣଙ୍କ ରକ୍ତ ନମୂନାରୁ ବାହାରିଥିଲା ଏହି ଭୁତାଣୁ । ପରେ ମାଲିଗାଁ, ମୁନିଗୁଡ଼ା ବ୍ଲକର ବନ୍ଧୁଗୁଡା, ରାୟଗଡ଼ା ବ୍ଲକର ସୁଲଭା ଏବଂ ଜେକେପୁର ଅଚଂଳର ମୁକ୍ତାସାହିର ସ୍ୱପ୍ନ କୁମାର ନାୟକ(୨୨) ଓ ଅଭିସ୍ପା ଶତପଥି(୧୫)ନାମକ ଦୁଇ ଜଣଙ୍କ ଦେହରେ ଡେ଼ଙ୍ଗୁ ଭୁତାଣୁ ଚିହ୍ନଟ ହୋଇ ସ୍ଥିତିର ଜଟିଳତାକୁ ପରିପ୍ରକାଶ କରୁଛି । ସେହିପରି ଗତ ଜୁନ୍ ୨୪ ତାରିଖ ଦିନ ଡେ଼ଙ୍ଗୁରେ ସୁଲଭା ଗାଁର ଅଜିତ କଣ୍ଡାଗରି ନାମକ ଜଣେ ନାବାଳକ ମୃତ୍ୟୁବରଣ କରିଥିଲେ । ସେହିପରି ଉକ୍ତ ଗ୍ରାମର ଆଉ ଦୁଇଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ଜିଲ୍ଳାରେ ଚିକିତ୍ସା ସେବା ନ ପାଇ ବର୍ତମାନ ପଡୋଶୀ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାମର ଏକ ଘରୋଇ ଚିକିତ୍ସାଳୟରେ  ଚିକିତ୍ସିତ ହେଉଛନ୍ତି । ଯାହାଙ୍କର ରକ୍ତ ନମୂନାରେ ଡେଙ୍ଗୁ ପଜିଟିଭ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ଉଲ୍ଳେଖ ରହିଛି । ରାୟଗଡା ଜିଲ୍ଳାରେ ଡେଙ୍ଗୁର ନିରାକରଣ ହୋଇ ନ ପାରୁଥିବାରୁ ବାହାର ରାଜ୍ୟକୁ ଯାଉଛନ୍ତି ପୀଡିତ ଡେଙ୍ଗୁ ରୋଗୀମାନେ ।  ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଳାରେ ଡେଙ୍ଗୁ ଚିକିତ୍ସା ନିମନ୍ତେ ସମସ୍ତ ବ୍ୟବସ୍ଥା ଥାଇ ମଧ୍ୟ ଏହାର ଉପଯୋଗ ନ କରି ଅନ୍ୟତ୍ର ରୋଗୀଙ୍କୁ ପଠାଇବା ଦ୍ୱାରା ସେମାନେ ବହୁ ଖର୍ଚ୍ଚାନ୍ତ ହେଉଛନ୍ତି ବୋଲି ଅଭିଯୋଗ ଆସୁଛି । ଡେଙ୍ଗୁ ପ୍ରଭାବିତ ଅଂଚଳରେ ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକ ପ୍ରତିନିଧିମାନଙ୍କୁ ସାମିଲ କରାଯାଉ ନ ଥିବାରୁ ରବିବାର ଦିନ ଜେକେପୁରସ୍ଥିତ ମନୋରଂଜନ କେନ୍ଦ୍ର ଠାରେ ହୋଇଥିବା ସଚେତନତା କାର୍ଯ୍ୟକ୍ରମରେ ପ୍ରତିନିଧିମାନେ ଉଦବେଗ ପ୍ରକାଶ କରି ସରକାରଙ୍କ ଯୋଜନା ସ୍ଥାନୀୟ ଅଂଚଳରେ ସଫଳ ରୂପୟାନ ନେଇ କିଭଳି ଲୋକଙ୍କ ପାଖରେ ପଂହଚିବ ଏବଂ ଜିଲ୍ଳା ମୁଖ୍ୟ  ଚିକିତ୍ସାଳୟରେ ଥିବା ଡେଙ୍ଗୁ ୱାର୍ଡ  ୱାର୍ଡକୁ କାର୍ଯ୍ୟକ୍ଷମ କରାଯାଇ ଡେଙ୍ଗୁ ରୋଗୀମାନଙ୍କୁ ଉଚିତ୍ ସେବା ଯୋଗାଇ ଦେବା ପାଇଁ ଜିଲ୍ଳା ପରିଷଦ ସଭ୍ୟ ପି.ଗୈାରୀ ଶଙ୍କର ଓ ବ୍ଳକ ଅଧ୍ୟକ୍ଷ ପେଦେଂଟି ରାମୁଲୁ ପ୍ରକାଶ କରିଥିଲେ । ଯାହାହେଉ ଡେରିରେ ହେଲେ ମଧ୍ୟ ଜିଲ୍ଳା ପ୍ରଶାସନ ଜିଲ୍ଳାରେ ଡେଙ୍ଗୁ ବ୍ୟାପିଥିବା ସ୍ୱୀକାର କରି ସଚେତନତା କାର୍ଯ୍ୟକ୍ରମକୁ ହାତକୁ ନେଇଛି । ତେବେ ପରିତାପର ବିଷୟ ଯେ ପ୍ରଭାବିତ ଅଂଚଳକୁ ଛାଡି ସହରାଚଂଳର ଚାରିକାନ୍ଥ ମଧ୍ୟରେ କରାଯାଉଥିବା ସଚେତନତା କାର୍ଯ୍ୟକ୍ରମ ପ୍ରହସନ ପାଲଟିଛି । ତେବେ ଜିଲ୍ଳାପାଳ ଏହି ମାରାତ୍ମକ  ଡେଙ୍ଗୁକୁ ନେଇ ଉଦବେଗ ପ୍ରକାଶ କରୁଥିବା ବେଳେ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଜିଲ୍ଳାରେ କୈାଣସି ହେଲେ ଡେଙ୍ଗୁରୋଗୀ ଚିହ୍ନଟ ହୋଇ ନ ଥିବା ବୋଲି ଦେଇଥିବା ବିବାଦିୟ ବୟାନ ଜିଲ୍ଳାପାଳଙ୍କ ସ୍ୱୀକାରକୁ  ଖଣ୍ଡନ କରୁଛି । ଉଭୟଙ୍କ ଏପରି ବୟାନ ଫଳରେ ଡେଙ୍ଗୁ ନିମିତ ନିରାକରଣ ବ୍ୟବସ୍ଥା କିଭଳି ଜିଲ୍ଳାରେ ଚାଲିଛି ତାହା ଏଠାରୁ ସ୍ପଷ୍ଟ ଅନୁମେୟ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସମ୍ବାଦିକମାନେ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଘେରି ବିଭିନ୍ନ୍ ପ୍ରଶ୍ନ କରିଥିଲେ । କିନ୍ତୁ ଚିକିତ୍ସାଧିକାରୀ କୈାଣସି ସନ୍ତୋଷଜନକ ଉତ୍ତର  ନ ଦେଇ ସେଠାରୁ ଚାଲିଯାଇଥିଲେ । ଆଗକୁ ବର୍ଷାଦିନ ଥିବା ବେଳେ  ଜିଲ୍ଳା ପ୍ରଶାସନ ଏହାର ନିରାକରଣ ନିମିତ ତୁରନ୍ତ ପଦକ୍ଷେପ ନ ନେଲେ ରାୟଗଡ ଜିଲ୍ଳା ଯେ ହଇଜା ପରେ ପୁଣି ଡେଙ୍ଗୁ ପାଇଁ ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିବ ଏଥିରେ ତିଳେ ହେଲେ ସନ୍ଦେହ  ନାହିଁ । 

 

0
0
0
s2sdefault