ପୁରୀ: ଆଜି ଶ୍ରୀକ୍ଷେତ୍ର ଭଉଁରି । ଚନ୍ଦନ ଯାତ୍ରାର ଶେଷ ଦିନ । ଏହି ଦିନ ଶ୍ରୀଜିଉମାନଙ୍କ ରଥ ଚକା ଡେରା ନୀତି ସମ୍ପନ୍ନ ପରମ୍ପରା ମଧ୍ୟ ଅଛି । ପରମ୍ପରା ଅନୁଯାଇ ଆଜି ତିନି ରଥର ଚକଡେରା ନୀତି ସମ୍ପନ୍ନ କରାଯାଇଛି ।
ଶ୍ରୀମନ୍ଦିରରୁ ତିନି ଠାକୁରଙ୍କ ଆଜ୍ଞାମାଳ ଆସିବାପରେ ତିନି ରଥର ଚକଡେରା ନୀତି କରାଯାଇଛି। ପ୍ରତି ରଥର ୨ଟି ଲେଖାଏଁ ନାହାକା ଚକ ନିର୍ମାଣ କରାଯାଇଛି । ତିନି ଠାକୁରଙ୍କ ପୂଜାପଣ୍ଡାମାନେ ମହାପ୍ରଭୁଙ୍କ ଅଙ୍ଗଲାଗି ତିନୋଟି ଅଜ୍ଞାମାଳ ଆଣିଥିଲେ । ବିଧି ମୁତାବକ ପୂଜାର୍ଚ୍ଚନା ପରେ ୩ଟି ରଥର ମୋଟ ୬ଟି ଚକରେ ଅଖ ସଂଯୋଗ କରାଯାଇଥିବା ଜଣାପଡିଛି । ଆଜ୍ଞାମାଳ ଲାଗି ପରେ ଭୋଇ ସେବକମାନେ ରଥଖଳାର ଇଷ୍ଟଦେବୀ ମା ଚର୍ଚ୍ଚିକାଙ୍କୁ ଆଜ୍ଞାମାଳ ଅର୍ପଣ କରିଥିଲେ ।
ଗୋଟେ ପଟେ ମହାପ୍ରଭୁଙ୍କ ରଥ କାର୍ଯ୍ୟ ଆଗେଇ ଚାଲୁଥିବା ବେଳେ ଅନ୍ୟ ପଟେ ସଂକ୍ରମିତ ମହାରଣା ସେବକମାନେ ଧିରେ ଧିରେ ସୁସ୍ଥ ହେଉଥିବା ସୂତ୍ରରୁ ପ୍ରକାଶ । ସେମାନଙ୍କ ମଧ୍ୟରୁ କେତେକ ପୁନର୍ବାର କାର୍ଯ୍ୟରେ ଯୋଗଦେଇଥିବା କୁହାଯାଉଛି ।