ଟିଟିଲାଗଡ ନିକଟରେ ଆଇଟିଆଇ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ନିର୍ଦ୍ଦେଶ
ଟିଟିଲାଗଡ, ( ଗୌରବ ଦର୍ଜୀ ): ଟିଟିଲାଗଡ ବିଧାୟିକା ତଥା ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ନୂଆକରି ଗଢ଼ି ଉଠି ଥିବା ମିଶନ ଶକ୍ତି ବିଭାଗ ର ମନ୍ତ୍ରୀ ଟୁକୁନୀ ସାହୁ ଆଜି ଅଚାନକ ଭାବରେ ଟିଟିଲାଗଡ ସଇଁତଳା ମୁଖ୍ୟ ରାସ୍ତା ଶଗଡ଼ ଘାଟ ଗ୍ରାମପଞ୍ଚାୟତ ର ଶାନ୍ତି ନଗର ନିକଟରେ ନିର୍ମାଣ ଧିନ ଗନ୍ଧମାର୍ଦନ ଆଇ ଟି ଆଇ କଲେଜ ପ୍ରକଳ୍ପକୁ ଅଚାନକ ପରିଦର୍ଶନରେ ଯାଇ ତଦାରଖ କରିଥିଲେ। ମନ୍ତ୍ରୀ ଟୁକୁନି ସାହୁ ନିର୍ମାଣ କାର୍ଯ୍ୟର ତଦାରଖ ସମୟରେ ପ୍ରକଳ୍ପ କାମ ଅତି ମନ୍ଥର ଗତିରେ ଚାଲୁଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରି ବିଭାଗୀୟ ଇଡକୋ କର୍ମଚାରୀ, ଗନ୍ଧମାର୍ଦନ କଲେଜ୍ ବଲାଙ୍ଗୀରର ଅଧ୍ୟକ୍ଷ ତଥା ପ୍ରକଳ୍ପ ସ୍ଥାନରେ ଥିବା ବିଭିନ୍ନ କର୍ମଚାରୀଙ୍କ କାର୍ଯ୍ୟ କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି।
ପ୍ରଥମେ ଟିଟିଲାଗଡ ବ୍ଲକ ବନ୍ଦୂପଲା ଗ୍ରାମ ପଞ୍ଚାୟତ ର ନୂଆ ପଡ଼ା ଓ ଚାହାରଭଟା ନିକଟରେ ଏହି ଆଇ ଟି ଆଇ କଲେଜ ନିର୍ମାଣ କରିବା ପାଇଁ ଜମି ଚୟନ କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟ ରେ ବାନ୍ଦୁପଲା ଗ୍ରାମପଞ୍ଚାୟତ କୁ ବାଦ୍ ଦେଇ ଶଗଡଘାଟ ଗ୍ରାମପଞ୍ଚାୟତ ରେ ଏହି ଗନ୍ଧର୍ମାଦନ ଆଇ ଟି ଆଇ କଲେଜ ନିର୍ମାଣ ପାଇଁ ୭.୩୫ ଏକର ଜମି ଚିହ୍ନଟ କରାଯାଇଥିଲା। ଏଥିପାଇଁ ଇଡକୋ ବିଭାଗ ଟେଣ୍ଡର କରିବା ସହ ଏହାର ଏଗରୀମେଣ୍ଟ ଭେଲ୍ୟୁ ୫.୪୮ କୋଟି ଟଙ୍କା ରହିଥିବା ବେଳେ ଏହାର ଏଡମିନିଷ୍ଟ୍ରସନ୍ ଭେଲ୍ୟୁ ୮.୨୪ କୋଟି ଟଙ୍କା ରହିଥିବା ଇଡକୋ ର କନିଷ୍ଠ ଯନ୍ତ୍ରୀ ଆଲୋକ ରଂଜନ ବାଇ ସୂଚନା ଦେଇଛନ୍ତି। ଏହି ଆଇ ଟି ଆଇ କଲେଜ କୁ କୋକସରାର ଜନୈକ ଠିକାଦାର ଆନନ୍ଦ ଗର୍ଗ ଟେଣ୍ଡର ନେଇ ପ୍ରକଳ୍ପ କାମ ଆରମ୍ଭ କରିଛନ୍ତି। ଏହି ଆଇ ଟି ଆଇ କଲେଜ ପାଇଁ ତଥା ଏହାର ବାଇଣ୍ଡରି ୱାଲ ଏବଂ ରାସ୍ତା ନିର୍ମାଣ ପାଇଁ ୫.୪୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଏହି ପ୍ରକଳ୍ପ ର ଅବଧି ୨୦୧୯ ମସିହା ରେ ପୂରଣ ହୋଇଥିଲେ ସୁଦ୍ଧା ଠିକାଦାର ଏବଂ ବିଭାଗୀୟ ଅଧିକାରୀ ବିଭିନ୍ନ ଆଲ ଦେଖାଇ ସମୟ ତଥା ଦିନ ଗଡ଼ାଇ ଚାଲିଛନ୍ତି। ଯାହାକୁ ନେଇ ମନ୍ତ୍ରୀ ଟୁକୁନୀ ସାହୁ ମନ୍ଥର ଗତି ରେ କାମ ଚାଲୁଥିବା ଯୋଗୁଁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ମନ୍ତ୍ରୀଙ୍କୁ ଇଡକୋ ବିଭାଗ ର କନିଷ୍ଠ ଯନ୍ତ୍ରୀ ଆଲୋକ ରଂଜନ ବାଇ ଓ କନିଷ୍ଠ ଯନ୍ତ୍ରୀ ଲକ୍ଷ୍ମଣ ହୋତା, ବଲାଙ୍ଗୀର ଗନ୍ଧମାର୍ଦନ ଆଇ ଟି ଆଇ ର ଅଧ୍ୟକ୍ଷ ବିଶ୍ବରଂଜନ ବେହେରା ପ୍ରମୁଖ ଏହି ପ୍ରକଳ୍ପ ଆସନ୍ତା ୨୦୨୨ ମସିହା ମାର୍ଚ୍ଚ ମାସ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ସୂଚନା ଦେଇଥିଲେ।
ଅପରପକ୍ଷରେ ଅନ୍ୟ ଏକ ଯୋଜନା ରୁ କଲେଜ୍ ପରିସର ଭିତରେ ୧.୫ କୋଟି ଟଙ୍କା ବ୍ୟୟ ଅଟକଳରେ ଛାତ୍ରୀ ନିବାସ କାର୍ଯ୍ୟ ମଧ୍ୟ ମନ୍ଥର ଗତି ରେ ଚାଲିଛି। ଏହି ଗନ୍ଧମାର୍ଦନ ଆଇ ଟି ଆଇ କଲେଜ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ବଲାଙ୍ଗୀର ସ୍ଥିତ ଗନ୍ଧମାର୍ଦନ ଆଇ ଟି ଆଇ କଲେଜ ଟିଟିଲାଗଡକୁ ସ୍ଥାନାନ୍ତରିତ କରାଯିବ। ଏଥିରେ ଅନେକ ଟ୍ରେଡ ରେ ଛାତ୍ରଛାତ୍ରୀ ମାନେ ଦକ୍ଷତା ହାସଲ କରି ସମାଜ ର ବିଭିନ୍ନ ସ୍ରୋତ ରେ ନିଜକୁ ସାମିଲ କରିପାରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି କଲେଜ୍ ନିର୍ମାଣ ହେଲେ ଟିଟିଲାଗଡ ଅଞ୍ଚଳର ତଥା ବଲାଙ୍ଗୀର ଜିଲ୍ଲାର ଛାତ୍ରଛାତ୍ରୀ ମାନେ ବେଶ୍ ଉପକୃତ ହୋଇ ପାରିବେ। ପ୍ରଥମ ପର୍ଯ୍ୟାୟରେ ସିଲେଇ, କମ୍ପ୍ୟୁଟର ହାର୍ଡୱେର ଏଣ୍ଡ ମେଣ୍ଟେନେନ୍ସ, ଇଲେକ୍ଟ୍ରିସିଏନ, ଇଲୋକ୍ଟ୍ରୋନିକ ମେକାନିକ, ଫିଟର ଏବଂ ମେକାନିକାଲ ମୋଟର ଭାଇକେଲ ଆଦି ଟ୍ରେଡ଼ ବା ବିଭାଗ ରହିଥିବା ସୂଚନା ଦେଇଛନ୍ତି ବଲାଙ୍ଗୀର ଗନ୍ଧମାର୍ଦ୍ଧନ ଆଇଟିଆଇ କଲେଜର ଅଧ୍ୟକ୍ଷ। ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଠିକାଦାର ଉପସ୍ଥିତ ନ ରହିଥିବା ବେଳେ ଇଡକୋ ବିଭାଗର ଦୁଇ ଜଣ କନିଷ୍ଠ ଯନ୍ତ୍ରୀ ଆଲୋକ ରଂଜନ ବାଇ ଓ ଲକ୍ଷ୍ମଣ ହୋତା , ଗନ୍ଧମାର୍ଦନ ଆଇ ଟି ଆଇ କଲେଜ ର ଅଧକ୍ଷ ବିଶ୍ବରଂଜନ ବେହେରା , ସରକାରୀ ଆଇ ଟି ଆଇ କଲେଜ ର ଅତିରିକ୍ତ ଟ୍ରେନିଂ ଅଧିକାରୀ କମ୍ବୁପାଣି ସାହୁ , ସୂପଭାଇଯର ହରେରାମ ପାତ୍ର ସମେତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।