ହେଡଲାଇନସ୍:

ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଦେହାନ୍ତରେ ଭଦ୍ରକରେ ଶୋକର ଛାୟା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁଖ୍ୟମନ୍ତ୍ରୀ ବ୍ୟକ୍ତ କଲେ ଗଭୀର ଶୋକ

ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ): ଭଦ୍ରକ ମାଟିର ଗର୍ବ ଓ ଗୌରବ , ଓଡ଼ିଶାର ପୂର୍ବତନ ମନ୍ତ୍ରୀ, ବାସୁଦେବପୁର ନିର୍ବାଚନ ମଣ୍ଡଳୀର ଲଗାତର ଭାବେ ନିର୍ବାଚିତ ହୋଇଥିବା ପୂର୍ବତନ ବିଧାୟକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ନୀଳମଣି ରାଉତରାୟଙ୍କ ର ଏକମାତ୍ର ପୁତ୍ର ବିଜୟଶ୍ରୀ ରାଉତରାୟଙ୍କର ଆଜି କରୋନାରେ ଆକ୍ରାନ୍ତ ଫଳରେ ମୃତ୍ୟୁ ହୋଇଯାଇଛି । ସେ ୧୯୮୦ ମସିହାରେ କଟକ ରେଭେନ୍ସା କଲେଜରୁ ଅଧ୍ୟାପକ ଚାକିରୀ ଛାଡି ରାଜନୀତିରେ ପ୍ରବେଶ କରିଥିଲେ । ଆଜି ତାଙ୍କ ଦେହାନ୍ତ ଖବର ଆସିବା ପରେ ଭଦ୍ରକ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି । ସେ ଅନେକ ଦିନ ହେବ ଅସୁସ୍ଥ ହୋଇ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଥିଲେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନୀଳମଣି ରାଉତରାୟଙ୍କ ପୁତ୍ର ବିଜୟଶ୍ରୀ ସ୍କୁଲ ଓ କଲେଜ ଜୀବନରେ ଜଣେ ମେଧାବୀ ଛାତ୍ର ଥିଲେ । ସେ ଭୂଗୋଳରେ ଏମଏ ଗୋଲଡ ମେଡାଲିଷ୍ଟ ଥିଲେ । ପରବର୍ତ୍ତୀ ସମୟରେ ରାଜନୀତିରେ ମଧ୍ୟ ବେଶ୍ ସଫଳ ହୋଇଥିଲେ । ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନମଣ୍ଡଳୀରୁ ସେ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୦ ଓ ୧୯୯୫ରେ ଜନତା ଦଳ ଟିକେଟରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଜେଡ଼ି ଟିକେଟରେ ୪ ଥର ବିଧାୟକ ହୋଇଥିଲେ । ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ସେ ବହୁବାର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ରାଜସ୍ୱ, ସ୍ୱାସ୍ଥ୍ୟ ଓ ଜଙ୍ଗଲ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ସୁଚାରୂ ଭାବେ ତୁଲାଇଥିଲେ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେ ରାଜନୀତିରୁ ଅବସର ନେବାକୁ ମନସ୍ଥ କରି ନିର୍ବାଚନ ଲଢ଼ି ନ ଥିଲେ । ବିଜେଡ଼ିରୁ ତାଙ୍କ ପୁଅ ବିଷ୍ଣୁବ୍ରତ ଟିକେଟ ପାଇ ଜିତିଥିଲେ । ଶ୍ରୀ ରାଉତରାୟଙ୍କ ମୃତ୍ୟୁ ଖବର ପାଇ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟ, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ, ଧମନଗର ବିଧାୟକ ବିଷ୍ଣୁ ଚରଣ ସେଠି, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅଜୟ ନାୟକ, ଜଗନ୍ନାଥ ସ୍ଵାଇଁ ,ଡାକ୍ତର ପ୍ରଦୀପ ନାୟକଙ୍କ ସମେତ ଅନେକ ବୁଦ୍ଧିଜୀବୀ ମର୍ମାହତ। ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି। ତାଙ୍କ ମୃତ୍ୟୁରେ ଭଦ୍ରକ ମିଡ଼ିଆ କ୍ଳବ ପକ୍ଷରୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।

ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।ଏକ ଶୋକବାର୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ବର୍ଗତ ରାଉତରାୟ ଙ୍କୁ ଜଣେ ଲୋକପ୍ରିୟ ରାଜନେତା ତଥା ଅମାୟିକ ବ୍ୟକ୍ତିତ୍ବ ଭାବରେ ବର୍ଣନା କରିଛନ୍ତି।ଦଳ ମତ ନିର୍ବିଶେଷରେ ସେ ସମସ୍ତଙ୍କ ପ୍ରିୟଭାଜନ  ଥିଲେ ।ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀ ଭାବରେ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦଷତା ର ସହ ନିର୍ବାହ କରିଥିଲେ ।ତାଙ୍କର ବିୟୋଗରେ ଆମ ସମସ୍ତଙ୍କ ପାଇଁ ଏକ ବିରାଟ ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି |ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାର ବର୍ଗ ଙ୍କୁ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମର ସଦ୍ ଗତି କାମନା କରଛନ୍ତି । ବିଜୟ ଶ୍ରୀ ରାଉତରାୟ ଙ୍କ ପରଲୋକ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ଫୋନ ଯୋଗ ସ୍ବର୍ଗତ ରାଉତରାୟ ଙ୍କ ପୁଅ ତଥା ବିଧାୟକ ବିଷ୍ଣୁ ବ୍ରତ ରାଉତରାୟଙ୍କ ସହ  କଥା ହୋଇ ସମବେଦନା ଜଣାଇଥିଲେ |

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ମୁଖ୍ୟାଳୟ), ସଞ୍ଜୟ କୁମାର ଦାସବର୍ମା ଶ୍ରୀ ରାଉତରାୟଙ୍କ ବିୟୋଗରେ ଶୋକ ବ୍ୟକ୍ତ କରି କହିଛନ୍ତି ଯେ, ବିଜୁ ଜନତା ଦଳର ବରିଷ୍ଠ  ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ବିୟୋଗରେ ମୁଁ ବିଜୁ ଜନତା ଦଳ ତରଫରୁ ତାଙ୍କର ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଓଡ଼ିଶା ବିଧାନସଭାକୁ ୬ ଥର ପ୍ରତିନିଧିତ୍ୱ କରି ସେ ତାଙ୍କର ଅସମ୍ଭବ ଲୋକପ୍ରିୟତାର ପ୍ରମାଣ ଦେଇଛନ୍ତି । ତାଙ୍କର ସମଗ୍ର ଜୀବନ ଓଡ଼ିଶାବାସୀଙ୍କର ସେବାରେ ସମର୍ପିତ ଥିଲା । ଜଣେ ଅତ୍ୟନ୍ତ ବନ୍ଧୁବତ୍ସଳ, ପରୋପକାରୀ, ମାନବବାଦୀ ଓ ଶିକ୍ଷାବିତ୍ ହିସାବରେ ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲା । ଓଡ଼ିଶାର ଅଣକଂଗ୍ରେସ ଆନ୍ଦୋଳନ କୁ ଶକ୍ତିଶାଳୀ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜଣେ ଘନିଷ୍ଠ ସହଯୋଗୀ ଭାବରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ସେ ତାଙ୍କର ଦାୟିତ୍ୱ ନିର୍ବାହ କରିଛନ୍ତି । ଦୀର୍ଘ ୫ ଦଶନ୍ଧିରୁ ଉର୍ଧ୍ଵ  ସମୟ ଏକ କର୍ମମୟ ଜୀବନର ଆଜି ଅବସାନ ଘଟିଛି । ପରିବେଶ, ଜଙ୍ଗଲ ସୁରକ୍ଷା ଓ ପର୍ଯ୍ୟଟନ ପ୍ରତି ତାଙ୍କର ସ୍ୱତନ୍ତ୍ର ରୁଚି ଥିଲା । ଆରମ୍ଭରୁ ଜଣେ ଶିକ୍ଷାବିତ୍ ହିସାବରେ ନିଜ ଜୀବନ ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବିଜୁ ପଟ୍ଟନାୟକଙ୍କ ପ୍ରେରଣାରେ ରାଜନୀତିକୁ ଆସି ଜଣେ ସଫଳ ରାଜନୀତିଜ୍ଞ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କ ବିୟୋଗ ସମଗ୍ର ରାଜ୍ୟ ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କର ଅମ୍ଳାନ ଆତ୍ମା ପ୍ରତି ମୁଁ ପୁଣିଥରେ ଶ୍ରଦ୍ଧା ନିବେଦନ କରୁଛି ।

ଶ୍ରୀ ରାଉତରାୟଙ୍କ ବିୟୋଗରେ ଇସ୍ପାତ ଓ ଖଣି, ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି I ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ମନ୍ତ୍ରୀ ଭାବେ ଦାୟିତ୍ୱରେ ରହି ସ୍ବର୍ଗତ ରାଉତରାୟ ଅନେକ ଯୋଜନାକୁ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ I ଭଦ୍ରକ ବାସୁଦେବପୁର ଅଞ୍ଚଳରେ ବିକାଶରେ ସେ ଯେଉଁ କାର୍ଯ୍ୟ କରିଯାଇଛନ୍ତି ତାହାକୁ ଅଞ୍ଚଳବାସୀ କେବେବି ଭୁଲିପାରିବେ ନାହିଁ I ତାଙ୍କ ବିୟୋଗ ସମଗ୍ର ରାଜନୀତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ତାଙ୍କ ଶୋକ ବାର୍ତ୍ତାରେ ପ୍ରକାଶ କରିଛନ୍ତି I ସ୍ବର୍ଗତ ରାଉତରାୟଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗ ଓ ଆତ୍ମୀୟ ସ୍ଵଜନଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ମନ୍ତ୍ରୀ ଶ୍ରୀ ମଲ୍ଲିକ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି I 

ପୂର୍ବତନ ମନ୍ତ୍ରୀ ଶ୍ରୀ ରାଉତରାୟଙ୍କ ବିୟୋଗରେ ପଚାଂୟତିରାଜ , ପାନୀୟଜଳ ,ଆଇନ , ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗଭୀର ଶୋକ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ତାଙ୍କ ଶୋକ ବାର୍ତାରେ କହିଛନ୍ତି ଯେ ସ୍ୱର୍ଗତ ରାଉତରାୟଙ୍କ ବିୟୋଗ ଖବର ପାଇ ସେ ମର୍ମାହତ ।  ସ୍ୱର୍ଗତ ଶ୍ରୀ ରାଉତରାୟ ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁ ୬ଥର ବିଧାନସଭାକୁ ନିର୍ବାଚିତ ହେବା ସହିତ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସ୍ୱାସ୍ଥ୍ୟ , ଜଙ୍ଗଲ ଓ ପରିବେଶ ଭଳି ବିଭିନ୍ନ ଗୁରୁତ୍ୱ ପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସେ ଜଣେ ମିଷ୍ଠଭାଷୀ , ପରୋପକାରୀ , ବନ୍ଧୁବଚ୍ଛଳ , ସମଜସେବୀ ଥିଲେ । ତାଙ୍କର ଅକାଳ ବିୟୋଗ ଅତ୍ୟନ୍ତ ଦୁଃଖ ଦାୟକ  ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରି ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହିତ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି ।   

ଇଲେକ୍ଟ୍ରୋନିକ୍ସ,  ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ମଧ୍ୟ ଶ୍ରୀ ରାଉତରାୟଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି I ମନ୍ତ୍ରୀ ଶ୍ରୀ ବେହେରା ଟ୍ୱଇଟ କରି ସ୍ୱର୍ଗତ ରାଉତରାୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି I 

ରାଜ୍ୟ ଯୁବ କଲ୍ୟାଣ ବୋର୍ଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ, ତଥା ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ କୁମାର ନାୟକ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି " ବିଜୁ ଜନତା ଦଳର ବରିଷ୍ଠ ଉପ-ସଭାପତି ତଥା ଚାରି ଦଶନ୍ଧି ଧରି ଅଣ-କଂଗ୍ରେସ ରାଜନୀତିର ଜଣେ ଉଜ୍ୱଳତମ ରାଜନେତା ଶ୍ରୀ ରାଉତରାୟଙ୍କ ଅକାଳ ବିୟୋଗ ଖବର ପାଇ ମୁଁ ଗଭୀର ଭାବେ ଦୁଃଖିତ ଓ ମର୍ମାହତ lରେଭେନ୍ସା ମହାବିଦ୍ୟାଳୟରୁ ଶିକ୍ଷକକତା ଚାକରି ଛାଡି ରାଜନୀତିକୁ ଆସିଥିବା ସ୍ବର୍ଗତ ରାଉତରାୟ ଜନ୍ମରୁ କ୍ଷମତାକୁ ଅତି ନିକଟରୁ ଦେଖିଥିବା ସେହି ମହାନ ଆତ୍ମା, ନିର୍ବାଚନୀ ରାଜନୀତିରୁ ସନ୍ୟାସ ନେଇ ମଧ୍ୟ ଜନସେବାକୁ ସର୍ବାଦା ପ୍ରାଥମିକତା ଦେଉଥିଲେ। ବିଜୁ ବାବୁଙ୍କ ନେତୃତ୍ୱ ରେ ଜନତା ଦଳ ରୁ ବିଧାୟକ ଭାବେ ନିଜର ଜନପ୍ରତିନିଧି ଜୀଵନ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯ ବର୍ଷ ମଧ୍ୟରେ ରାଜ୍ୟ ମନ୍ତ୍ରୀମଣ୍ଡଳ ରେ ସଦସ୍ୟ ରହି ବହୁ ଗୁରୁତ୍ୱପୂର୍ଣ ଦାୟିତ୍ୱ ତୁଲେଇଥିଲେ ଲ ବାସୁଦେବପୁର ନିର୍ବାଚନମଣ୍ଡଳୀର ବିକାଶ ପ୍ରକ୍ରିୟାକୁ  ତ୍ୱରାନ୍ୱିତ କରିବା ସହ ରାଜ୍ୟର ଜଣେ ବରିଷ୍ଠ ମନ୍ତ୍ରୀ ଭାବରେ ଓଡ଼ିଶାର ବିକାଶ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ  ଅବଦାନ ଥିଲା l ଭଦ୍ରକ ଜିଲ୍ଲା ଗଠନରେ ତାଙ୍କର ଗୁରୁତ୍ୱପୂର୍ଣ ଭୂମିକା ଥିଲା, ତାଙ୍କ ବିୟୋଗ ବିଜୁ ଜନତା ଦଳ ଓ ଓଡିଶା ରାଜନୀତି ଜନଜୀବନ ପାଇଁ ଅପୂରଣୀୟ କ୍ଷତି । ଜଣେ ସଫଳ ଜନପ୍ରତିନିଧି ଭାବେ ତାଙ୍କ ଲୋକାଭିମୁଖୀ କାର୍ଯ୍ୟ ପାଇଁ ସେ ଚିର ସ୍ମରଣୀୟ ରହିବେ। ଏହି ଦୁଃଖଦ ମୁହୂର୍ତ୍ତରେ ମୁଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରୁଛି ଓ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି" |

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ନିଜ ଶୋକବାର୍ତ୍ତାରେ କହିଛନ୍ତି ଯେ,  ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନୀଳମଣି ରାଉତରାୟଙ୍କ ପୁଅ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ରାଜ୍ୟ ରାଜନୀତିରେ ସ୍ୱର୍ଗତ ରାଉତରାୟଙ୍କ ଅବଦାନ ଅତୁଳନୀୟ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି। 

ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରି କହିଛନ୍ତି ବିଜୟଶ୍ରୀ ବାବୁ ମୋର ଅନ୍ତରଙ୍ଗ ବନ୍ଧୁଥିଲେ । କରୋନା ରୋଗରେ ପୀଡ଼ିତ ହୋଇ ବିଜୟଶ୍ରୀ ବାବୁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କ ବିୟୋଗ ମୋତେ ମର୍ମାହତ କରିବା ସହ ଦୁଃଖ ଦେଇଛି । ସ୍ୱର୍ଗତ ବିଜୟଶ୍ରୀ ରାଉତରାୟ ଜଣେ ବଂଧୁବତ୍ସଳ, ମିଷ୍ଟଭାଷୀ, ଭଦ୍ର, ପରୋପକାରି ତଥା ବାସ୍ତବବାଦୀ ନେତା ଭାବେ ଓଡ଼ିଶାର ଜନସାଧାରଣଙ୍କ ନିକଟରେ ପରିଚିତ ଥିଲେ । ଦୀର୍ଘ ବର୍ଷ ଧରି ସ୍ୱର୍ଗତ ବିଜୟଶ୍ରୀ ବାବୁ ରାଜନୀତିରେ ରହି ୬ଥର ଭଦ୍ରକ ଜିଲ୍ଲାରୁ ବିଧାୟକ ହୋଇ ରାଜ୍ୟର ପର୍ଯ୍ୟଟନ ଓ ସଂସ୍କୃତି, ଜଙ୍ଗଲ ଓ ପରିବେଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିପର୍ଯ୍ୟୟ ପରିଚାଳନା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଅନେକଗୁଡ଼ିଏ ଜନମଙ୍ଗଲ କାର୍ଯ୍ୟ କରିଯାଇଛନ୍ତି । ତାଙ୍କ ଉଲ୍ଲେଖନୀୟ କାର୍ଯ୍ୟପାଇଁ ଜନମାନସରେ ସଦାସର୍ବଦା ରହିବେ । ତାଙ୍କ ବିୟୋଗ ରାଜ୍ୟ ରାଜନୀତି କ୍ଷେତ୍ରରେ ଏକ ଅପୁରଣୀୟ କ୍ଷତି । ସ୍ୱର୍ଗତ ରାଉତରାୟଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ।

ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି | ସେ ଜଣେ ଦକ୍ଷ ସଂଗଠକ ଓ ଲୋକଙ୍କ ନେତା ଥିଲେ ଏବଂ ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଏକ ଅପୂରଣୀୟ କ୍ଷତି ହେବା ସହ ଏକ ଯୁଗର ଅବସାନ ହୋଇଛି ବୋଲି ଶ୍ରୀ ପଣ୍ଡା ନିଜର ଶୋକ ବାର୍ତ୍ତାରେ କହିଛନ୍ତି। ବିଶେଷକରି ଭଦ୍ରକ ଜିଲ୍ଲାର ବିକାଶରେ ତାଙ୍କ ଅବଦାନ ସବୁଦିନେ ମନେରହିବ। ଶ୍ରୀ ପଣ୍ଡା ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

0
0
0
s2sdefault